ଭୁବନେଶ୍ବର: ବିଜେବି କଲେଜରେ ରାଗିଂ ହେଉଥିଲା। ରାଗିଂରେ ଅତିଷ୍ଠ ହୋଇ ଜଣେ ମେଧାବୀ ଛାତ୍ରୀ ଆତ୍ମହତ୍ୟା କଲେ। ଅଥଚ କର୍ତ୍ତୃପକ୍ଷ ଜାଣିପାରିଲେ ନାହିଁ। ସେହିଭଳି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀନିବାସରୁ ଜଣେ ଛାତ୍ରୀ ନିଖୋଜ ହୋଇଗଲେ। ମାମୁ ପରିଚୟ ଦେଇ ଜଣେ ଅପରିଚିତ ଯୁବକ ତାଙ୍କୁ ନେଇଗଲା। ଅଥଚ ହଷ୍ଟେଲ କର୍ତ୍ତୃପକ୍ଷ ନକଲି ମାମୁକୁ ଜାଣିପାରିଲେ ନାହିଁ। ତେଣୁ ସରକାରୀ ଶିକ୍ଷାନୁଷ୍ଠାନର ହଷ୍ଟେଲର କର୍ତ୍ତୃପକ୍ଷମାନେ କିଭଳି ଗୁରୁତ୍ବର ସହ ଦାୟିତ୍ବ ନିର୍ବାହ କରୁଛନ୍ତି, ତାହା ଜଳଜଳ ହୋଇ ଦେଖାଯାଉଛି। ରାଜଧାନୀରେ ଦୁଇ ଭିନ୍ନ ସରକାରୀ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳାର ନଗ୍ନ ଉଦାହରଣ ବେଶ୍ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। କର୍ତ୍ତୃପକ୍ଷଙ୍କ ଏଭଳି ଦାୟିତ୍ବହୀନତା ଛାତ୍ରଛାତ୍ରୀଙ୍କ ଜୀବନକୁ ମରଣମୁହଁକୁ ଠେଲି ଦେଉଛି ବୋଲି ଅଭିଯୋଗ ହେଉଛି।
ସୂଚନାଯୋଗ୍ୟ ସଙ୍ଗୀତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ (ଓଡ଼ିଶୀ) ଶୁଭାସିନୀ ମଲ୍ଲିକଙ୍କ ନିଖୋଜ ହେବାକୁ ତିନି ଦିନ ବିତିଗଲାଣି। ପରିବାର ଲୋକେ ପୁଲିସରେ ଅଭିଯୋଗ କରି ଝିଅକୁ ପାଇବାକୁ ଅପେକ୍ଷା କରିଛନ୍ତି। କିନ୍ତୁ ପୁଲିସ ସେମାନଙ୍କ ଟେର୍ ପାଉନି। ମାମୁ ନାଁରେ ନକଲି ଯୁବକ କିଏ? ଶୁଭାସିନୀଙ୍କୁ ନେଇ ସେ କୁଆଡ଼େ ପଳାଇଛି। ଶୁଭାସିନୀ ଏବେ ଜୀବିତ ତ? ଏସବୁ ପ୍ରଶ୍ନକୁ ନେଇ ପରିବାରରେ ତିନି ଦିନ ହେଲା ଚୁଲି ଜଳୁନି। ମାତ୍ର ପୁଲିସ ପାଖରେ କିଛି ଖୋଜ୍ଖବର ନାହିଁ। ଶୁଭାସିନୀଙ୍କ ନିଖୋଜ ମାମଲାକୁ ନେଇ ହଷ୍ଟେଲ୍ କର୍ତୃପକ୍ଷଙ୍କ ଉପରକୁ ଅଙ୍ଗୁଳି ଉଠିଛି। ଗତ ୨ ତାରିଖ ଦିନ ଜଣେ ଯୁବକ ହଷ୍ଟେଲ୍ରେ ପହଞ୍ଚି ଶୁଭାସିନୀଙ୍କ ମାମୁ ବୋଲି ପରିଚୟ ଦେବା ସହ ରେଜିଷ୍ଟରରେ ଦସ୍ତଖତ କଲେ। ଏହାପରେ ସେ ଶୁଭାସିନୀଙ୍କୁ ହଷ୍ଟେଲରୁ ନେଇଯାଇଥିଲେ।
ଉଦ୍ବେଗର କଥା ହଷ୍ଟେଲ୍ କର୍ତ୍ତୃପକ୍ଷ କିଭଳି ଜଣେ ଅପରିଚିତ ଯୁବକଙ୍କ ଜିମାରେ ଛାତ୍ରୀଙ୍କୁ ଛାଡ଼ିଲେ। ମାମୁ ବୋଲି ପରିଚୟ ଦେଲେ ବି ସମ୍ପୃକ୍ତ ଯୁବକ ଅପରିଚିତ ଥିବାରୁ କର୍ତ୍ତୃପକ୍ଷ ତାଙ୍କ ବିଷୟରେ ଖୋଳତାଡ୍ କଲେନାହିଁ କାହିଁକି? ନିହାତି ଫୋନ୍ ଯୋଗେ ପରିବାର ଲୋକଙ୍କୁ ଜଣାଇବା ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବ ନୁହେଁ କି? ତେଣୁ ହଷ୍ଟେଲ୍ କର୍ତୃପକ୍ଷଙ୍କ ଖାମଖିଆଲି ନୀତି ପଦାରେ ପଡ଼ିଛି। ହଷ୍ଟେଲ କର୍ତ୍ତୃପକ୍ଷ ଛାତ୍ରୀଙ୍କୁ ବିପଦମୁହଁକୁ ଠେଲିଦେଇଛନ୍ତି। ଯଦି କିଛି ଅଘଟଣ ଘଟେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଦାୟୀ ରହିବେ ବୋଲି ଶୁଭାସିନୀଙ୍କ ବାପା ଚେତାବନୀ ଦେଇଛନ୍ତି।