ଖେଳିବା କାଳ ହେଲା: ଦୟା ନଦୀରେ ଛାତ୍ର ନିଖୋଜ

ଧଉଳି : ଗୁରୁବାର ସନ୍ଧ୍ୟାରେ ଦୟାନଦୀ ଦେବୀଘାଟରେ ଗାଧୋଉଥିବା ବେଳେ ଜଣେ ନାବାଳକ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ସ୍ଥାନୀୟ ନୂଆଗାଁସ୍ଥିତ ଗୌରୀଶଙ୍କର ସ୍କୁଲରେ ୯ମ ଶ୍ରେଣୀରେ ପଢ଼ୁଥିବା ସୁମିତ ଚନ୍ଦ୍ର ସାହୁ। ପାଣି ଭିତରେ ଭାସିଯିବାର ଅଭିନୟ କରୁକରୁ ଶେଷରେ ସେ ସତକୁ ସତ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିବା ପରେ ବି ତାଙ୍କ ପତ୍ତା ପାଇନାହିଁ। ପରିବାର ଲୋକଙ୍କ କାନ୍ଦବୋବାଳିରେ ନଦୀ ବନ୍ଧ ଫାଟିପଡ଼ୁଥିଲା।

ସୂଚନାନୁସାରେ ସୁମିତ ଗୁରୁବାର ସଂଧ୍ୟା ୫ଟା ବେଳେ ନିକଟସ୍ଥ କଲୋନିର ଅନ୍ୟ ୩ ସାଙ୍ଗଙ୍କ ସହିତ ଦୟାନଦୀକୁ ଗାଧୋଇବାକୁ ଯାଇଥିଲେ। ସେମାନେ ଲିଙ୍ଗିପୁରସ୍ଥିତ ଦେବୀଘାଟରେ ଗାଧୋଉଥିଲେ। ୩ ସାଙ୍ଗ ଉପରେ ଥିବା ବେଳେ ସୁମିତ ପ୍ରଥମେ ପାଣିକୁ ପଶି ଯାଇଥିଲେ। ପାଣିରେ ପଶି ସେ ଭାସିଯିବାର ଅଭିନୟ କରିଥିଲେ। ପାଣିରେ ହାତଗୋଡ଼ ଛାଟି ବଞ୍ଚାଅ ବଞ୍ଚାଅ ବୋଲି ପାଟି କରିଥିଲେ। ତେଣୁ ବିକଳ ହୋଇ ତିନି ସାଙ୍ଗ ପାଣିକୁ ଡେଇଁ ତାଙ୍କୁ ଟାଣି ଆଣିଥିଲେ। କିନ୍ତୁ ଉପରକୁ ଆସିବା ପରେ ସୁମିତ ମଜାରେ ଏମିତି କରୁଥିଲେ ବୋଲି କହି ସାଙ୍ଗମାନଙ୍କ ସହ ଖେଳିଥିଲେ। ଏହାପରେ ପୁଣି ସମସ୍ତେ ଏକାଠି ପାଣିରେ ପଶିଥିଲେ। ସୁମିତ୍ ଗଭୀର ପାଣିକୁ ଚାଲିଯାଇଥିଲେ ଏବଂ ପହଁରିଥିଲେ। କିନ୍ତୁ ହଠାତ୍ ସେ ପୁଣି ଭାସିଯାଇଥିଲେ। ତିନି ସାଙ୍ଗ ପ୍ରଥମେ କିଛି ବୁଝିନପାରି ଅପେକ୍ଷା କରିଥିଲେ। କିନ୍ତୁ ସତକୁ ସତ ମାତ୍ର କେଇ ମିନିଟ୍‌ରେ ସୁମିତ୍‌ ନିଖୋଜ ହୋଇଯାଇଥିଲେ।

ସୁମିତ ବୁଡ଼ିଯିବା ନିଶ୍ଚିତ ହେବା ପରେ ସାଙ୍ଗମାନେ ପାଟି କରି ସ୍ଥାନୀୟ ଲୋକଙ୍କୁ ଡାକ ପକାଇଥିଲେ। ସ୍ଥାନୀୟ ଲୋକେ ଧାଇଁ ଆସି ପାଣିରେ ପଶି ଖୋଜାଖୋଜି କରିଥିଲେ। ପରେ ଖବର ପାଇ ଧଉଳି ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିଲା। ରାତି ୧୦ଟା ଯାଏ ସୁମିତ୍‌ଙ୍କ ପତ୍ତା ମିଳିଲା ନାହିଁ।

 

ସମ୍ବନ୍ଧିତ ଖବର