ଭୁବନେଶ୍ୱର: ଏଥର ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗତ ମାସରେ ଏସମ୍ପର୍କରେ ସବୁଜ ସଙ୍କେତ ଦେବା ପରେ ଏବେ କ୍ୟାମ୍ପସ୍‌ ରାଜନୀତି ଜୋର୍‌ ଧରିଛି। ଗ୍ରୀଷ୍ମ ଛୁଟି ପରେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବା କ୍ଷଣି ଛାତ୍ରସଂସଦ ନିର୍ବାଚନ ପାଇଁ ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ସଜବାଜ ଦେଖିବାକୁ ମିଳୁଛି। ଛାତ୍ର ବିଜେଡି, ଏବିଭିପି, ଛାତ୍ର କଂଗ୍ରେସର ଛାତ୍ର ନେତାମାନେ ପ୍ରତିଥର ପରି ଏଥର ମଧ୍ୟ କ୍ୟାମ୍ପସ୍‌ରେ ନିଜର ପତିଆରା ଜାହିର କରିବାକୁ ଲାଗିପଡ଼ିଲେଣି। ସଙ୍ଗଠନର ପୁରୁଣା ଛାତ୍ରନେତାମାନେ କ୍ୟାମ୍ପସ୍‌ରେ ଚକ୍କର କାଟିବା ସହ କିଭଳି ଭାବେ ନବାଗତ ଛାତ୍ରଛାତ୍ରୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବେ, ସେନେଇ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଆଇଏସଏଫ୍‍, ଡିଏସ୍‍ଓ, ଏସଏଫ୍‍ଆଇ ପରି ଛାତ୍ର ସଙ୍ଗଠନ ମଧ୍ୟ ନିଜ ନିଜ ସ୍ତରରେ ପ୍ରସ୍ତୁତି ଚଲାଇଛନ୍ତି।

Advertisment

ସ୍ନାତକୋତ୍ତର(ପିଜି) ଓ ସ୍ନାତକ(ୟୁଜି) ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ନାମଲେଖା ଚାଲିଛି। ଆସନ୍ତା ୧୦ ତାରିଖରୁ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବାକୁ ଥିବାରୁ କ୍ୟାମ୍ପସ୍‌ରେ ରାଜନୈତିକ ବାତାବରଣ ଉଷ୍ମ ହେଉଛି। ରାଜନୀତିର ଏନ୍ତୁଡ଼ିଶାଳ କୁହାଯାଉଥିବା ଉତ୍କଳ ବିଶ୍ବବିଦ୍ୟାଳୟରେ ଉଷ୍ମତା ଧୀରେ ଧୀରେ ବଢ଼ୁଛି। ତିନିଟି ଯାକ ଛାମୁଆ ସଙ୍ଗଠନ କ୍ୟାମ୍ପସ୍‌ରେ ହେଲ୍‌ପ ଡେସ୍କ ଆରମ୍ଭ ଦିଗରେ ପଦକ୍ଷେପ ନେଇଛନ୍ତି। ନବାଗତ ଛାତ୍ରଛାତ୍ରୀ କ୍ୟାମ୍ପସ୍‌ରେ ପାଦ ଥାପିବା କ୍ଷଣି କିଭଳି ସଙ୍ଗଠନ ମୋହରେ ପଡ଼ିବେ ସେନେଇ ଛାତ୍ର ସଙ୍ଗଠନ ସଦସ୍ୟମାନେ ଲାଗିପଡ଼ିଛନ୍ତି। ନୂଆ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ସହ ନାମଲେଖାରେ ସହଯୋଗ କରିବାକୁ ଆଗେଇ ଆସୁଛନ୍ତି। ଆସନ୍ତା ସପ୍ତାହକ ମଧ୍ୟରେ ୩ଟି ଯାକ ସଙ୍ଗଠନ କ୍ୟାମ୍ପସ୍‌ରେ ହେଲ୍‌ପ ଡେସ୍କ ଖୋଲିବେ ବୋଲି ଜଣାପଡ଼ିଛି। ସେହିପରି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଛାତ୍ର ବିଜେଡି ଟିକିଏ ଆଗରେ ରହିଛି। ପୁରାତନ ଛାତ୍ରୀ ନେତ୍ରୀଙ୍କ ନେତୃତ୍ବରେ ସଙ୍ଗଠନ ନିଜର ପତିଆରା ଜାହିର କରିବାକୁ ଉଦ୍ୟମ କରିଛି। ନୂଆ ଓ ପୁରୁଣା ଛାତ୍ରୀମାନଙ୍କୁ ଏକାଠି କରି ସଙ୍ଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। କ୍ୟାମ୍ପସ୍‌ ବାହାରେ ଉତ୍ସବ ପାଳନ ହେଉଛି। ଆଗକୁ ଅନୁଷ୍ଠିତ ହେବାକୁ ଥିବା ରାକ୍ଷୀ ପୂର୍ଣ୍ଣିମାକୁ ଧୂମ୍‌ଧାମ୍‌ରେ ପାଳନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ହେଲ୍‌ପ ଡେସ୍କ ଖୋଲିବା ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉଛି। ୭ ବର୍ଷ ହେଲା ସୁପ୍ତ ଅବସ୍ଥାରେ ରହିଥିବା ଏବିଭିପି ଏଠାରେ ନିଜ ସଙ୍ଗଠନକୁ ପୁଣିଥରେ ସକ୍ରିୟ କରିବାକୁ ଅଣ୍ଟା ଭିଡ଼ିଛି। ପୁରାତନ ଛାତ୍ରୀଙ୍କୁ ନେତୃତ୍ବର ମଙ୍ଗ ଧରାଇ ଏହି କ୍ୟାମ୍ପସ୍‌‌ରେ ସଙ୍ଗଠନକୁ ସଜାଡ଼ିବାକୁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଛି। ଛାତ୍ର କଂଗ୍ରେସ ଏଠାରେ ନେତୃତ୍ବ ସନ୍ଧାନରେ ରହିଥିବା ଦେଖିବାକୁ ମିଳିଛି।

ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ, ରାଜଧାନୀ ମହାବିଦ୍ୟାଳୟ, ଦେବରାୟ ଡିଗ୍ରି ମହାବିଦ୍ୟାଳୟ, ବେସିକ୍‌ ସାଇନ୍ସ କଲେଜ, ମହର୍ଷି କଲେଜ, କମଳା ନେହେରୁ ମହିଳା ମହାବିଦ୍ୟାଳୟ ପରି ଶିକ୍ଷାନୁଷ୍ଠାନରେ ତିନିଟି ଯାକ ସଙ୍ଗଠନ ନିଜର ପତିଆରା ଜାହିର କରିବାକୁ ଲାଗିପଡ଼ିଛନ୍ତି। ବହୁବର୍ଷ ବ୍ୟବଧାନରେ ଛାତ୍ରସଂସଦ ନିର୍ବାଚନ ହେଉଥିବାରୁ ୩ଟି ଛାମୁଆ ସଙ୍ଗଠନ ନୂଆ ମୁହଁ ଖୋଜୁଛନ୍ତି। ଅଧିକାଂଶ ସ୍ଥାନରେ ନିଜ ନିଜର ପତିଆରା ଜାହିର କରିବାକୁ ମନ୍ତ୍ରୀ, ସ୍ଥାନୀୟ ବିଧାୟକ ଓ ବିଭିନ୍ନ ଦଳର ନେତାମାନେ ସେମାନଙ୍କ ସମର୍ଥିତ ଛାତ୍ର ସଙ୍ଗଠନ ଓ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇଦେବାର ବ୍ୟବସ୍ଥା କରୁଛନ୍ତି। ନିର୍ବାଚନ ବିଗୁଲ୍‌ ବାଜି ନ ଥିବାରୁ ସଙ୍ଗଠନଗୁଡ଼ିକ ଟିକିଏ ଛକାପଞ୍ଝା ମଧ୍ୟରେ ଗତି କରୁଛନ୍ତି। ୨୦୨୪ରେ ନିର୍ବା‌ଚନ କରିବାକୁ ଘୋଷଣା କରି ରାଜ୍ୟ ସରକାର ଶେଷ ମୁହୂର୍ତ୍ତରେ ବାତିଲ୍‌ କରିଥିଲେ। ଚଳିତବର୍ଷ କାଳେ ଅନୁରୂପ ଭାବେ ନିର୍ବାଚନ ନ ହେବ ତାହାକୁ ନେଇ ସଙ୍ଗଠନଗୁଡ଼ିକ ମଧ୍ୟ ସଂଶୟ ମଧ୍ୟରେ ଅଛନ୍ତି।