ସାଏନ୍-ଡାଏ ଉଠାଇବାକୁ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ସ୍ମାରକପତ୍ର : ଗେଟ୍ ଆଗରେ ରେଭେନ୍ସା ଛାତ୍ର କ୍ରିୟାନୁଷ୍ଠାନ କମିଟିର ଧାରଣା
କଟକ: ରେଭେନ୍ସାରେ ଗତକାଲି ସାଇନ୍-ଡାଏ ଘୋଷଣା ହେବା ପରେ ଆଜି ଦିନ ୧୦ଟା ସୁଦ୍ଧା ବିଶ୍ୱବିଦ୍ୟାଳୟର ସମସ୍ତ ହଷ୍ଟେଲକୁ ଖାଲି କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଯାଇଥିଲା। ସକାଳ ୬ଟାରୁ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ଛାଡ଼ିବା ଆରମ୍ଭ କରିଥିଲେ ବି ସଂଧ୍ୟା ସୁଧା ଅଳ୍ପକିଛି ଛାତ୍ରଛାତ୍ରୀ ରେଭେନ୍ସା ପରିସର ଛାଡ଼ି ନଥିବା ସୂଚନା ମିଳିଛି। ବିଶ୍ୱବିଦ୍ୟାଳୟ ପରିସରରେ ପୁଲିସ ମୁତୟନ କରାଯାଇଥିବା ବେଳେ ରେଭେନ୍ସା ମୁଖ୍ୟ ଗେଟ ସମ୍ମୁଖରେ ରେଭେନ୍ସା ଛାତ୍ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସାଇନ୍-ଡାଏକୁ ବିରୋଧକରି ଧାରଣା ଦିଆଯାଇଛି। ଅନ୍ୟପାଟେ ସାଇନ୍-ଡାଏକୁ ଉଠାଇବାକୁ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ କୁଳପତିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଗତକାଲି ଛାତ୍ର ଅଶାନ୍ତି ଯୋଗୁଁ ରେଭେନ୍ସା କର୍ତୃପକ୍ଷ ବିଶ୍ୱବିଦ୍ୟାଳୟରେ ସାଇନ୍-ଡାଏ ଘୋଷଣା କରିଥିଲେ। ସାଇନ୍-ଡାଏକୁ ନେଇ ଆଜି କୁଳପତି ପ୍ରଫେସର ଡକ୍ଟର ଇସାନ୍ କୁମାର ପାତ୍ର ଷ୍ଟାଫ୍ କାଉନସିଲ ବୈଠକ ଡକାଇଥିଲେ। ମାତ୍ର ରେଭେନ୍ସା ଗେଟ୍ ସମ୍ମୁଖରେ କମିଟି ପକ୍ଷରୁ ଧାରଣା ଦିଆଯାଇଥିବାରୁ ଏହାକୁ ବାତିଲ କରିଦିଆଯାଇଥିଲା। ବିଭିନ୍ନ ଛାତ୍ର ସଂଗଠନର ସ୍ମାରକପତ୍ର ଉପରେ ଆଲୋଚନା କରି ସାଇନ୍-ଡାଏ ଉଠାଇବା ନିଷ୍ପତ୍ତି ଉପରେ ବିଚାର କରାଯିବ ବୋଲି କୁଳପତି ଡକ୍ଟର ପାତ୍ର କହିଛନ୍ତି। ଆସନ୍ତା ୨୬ ତାରିଖରେ ସ୍ନାତକ ଓ ସ୍ନାତକୋତ୍ତରର ସମସ୍ତ ପରୀକ୍ଷାଫଳ ପ୍ରକାଶ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଛାତ୍ରଛାତ୍ରୀଙ୍କ ଅସହଯୋଗ ଓ ଜିଦ୍ ଯୋଗୁଁ କର୍ତୃପକ୍ଷ ବାଧ୍ୟ ହୋଇ ଏପରି ନିଷ୍ପତ୍ତିି ନେଲେ। ତେଣୁ ବହୁ ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି କୁଳପତି ଡକ୍ଟର ପାତ୍ର କାହିଛନ୍ତି।