ହିଞ୍ଜିଳିକାଟୁ: ଗଞ୍ଜାମଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍‌ ଓ ବେଲଗାଁ ଥାନା ଅଧୀନ ଗଣ୍ଡଳା ସରକାରୀ ଗଣେଶ ବିଦ୍ୟାପୀଠରେ ବୁଧବାର ଦିନ ଶ୍ରେଣୀକକ୍ଷରେ ବେଞ୍ଚ୍‌ରେ ବସିବା ଜାଗାକୁ କେନ୍ଦ୍ର କରି ଦଶମ ଶ୍ରେଣୀର ଜଣେ ଛାତ୍ରଙ୍କୁ ତାଙ୍କ ସହପାଠୀ ଶ୍ରେଣୀକକ୍ଷରେ ଛୁରିରେ ଆକ୍ରମଣ କରିଛି। ଆହତ ଛାତ୍ର ବିପଦମୁକ୍ତ ଥିବା ଆଳରେ ଏତେବଡ଼ ଘଟଣାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଚପାଇ ଦେବାକୁ ଉଦ୍ୟମ ହୋଇଥିବା ନେଇ ବିଭିନ୍ନ ମହଲରେ ଚାପା ଗୁଞ୍ଜରଣ ଚାଲିଛି। ଆଜି ଗଣମାଧ୍ୟମ ଜରିଆରେ ଏହି ଘଟଣା ସାମନାକୁ ଆସିଛି। ପୀଡ଼ିତ ଛାତ୍ରଙ୍କ ପେଟ, ଜଂଘ ଓ ହାତକୁ ଛୁରାମାଡ଼ ହୋଇଥିବାରୁ ବେଲଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। 

Advertisment

ବୁଧବାର ପ୍ରାର୍ଥନା ପରେ ପିଲାମାନେ ଶ୍ରେଣୀକକ୍ଷକୁ ଯାଇଥିଲେ। ସେଦିନ ଦଶମ ଶ୍ରେଣୀର ଇଣ୍ଟରନାଲ୍‌ ଆସେସ୍‌ମେଣ୍ଟ୍ ଥିବାରୁ ଶିକ୍ଷକଶିକ୍ଷୟିତ୍ରୀମାନେ ବ୍ୟସ୍ତ ରହିଥିଲେ। ଦଶମ ଶ୍ରେଣୀକକ୍ଷରେ ପଳାସି ଗ୍ରାମର ଜଣେ ଛାତ୍ର ଓ ଶିଖରପୁରର ଅନ୍ୟଜଣେ ଛାତ୍ରଙ୍କ ମଧ୍ୟରେ ବସିବା ଜାଗାକୁ ନେଇ ଗଣ୍ଡଗୋଳ ହୋଇଥିଲା। ପଳାସିର ଛାତ୍ରଜଣକ ପ୍ରାୟ ବିଦ୍ୟାଳୟକୁ ଆସୁ ନଥିବାରୁ ଅନ୍ୟ ଛାତ୍ର ଜଣକ ତାଙ୍କ ବେଞ୍ଚରେ ବସୁଥିଲେ। ପଳାସିର ଛାତ୍ର ଜଣକ ଉତ୍‌କ୍ଷିପ୍ତ ହୋଇ କମ୍ପାସ୍‌ ବକ୍ସରୁ ଏକ ଫୋଲ୍‌ଡିଂ ଛୁରି ବାହାର କରି ସହାପାଠୀଙ୍କୁ ଆକ୍ରମଣ କରିଥିଲା। ପୀଡ଼ିତ ଛାତ୍ର ନିଜ ପାପୁଲିକୁ ଆକ୍ରମଣ କରିଥିବା ଛାତ୍ରଙ୍କ ପାଟିରେ ପୂରାଇଦେବାରୁ ସେ ମଧ୍ୟ ଆହତ ହୋଇଥିଲେ। ଉଭୟଙ୍କୁ ବେଲଗାଁ ଡାକ୍ତରଖାନାକୁ ଅଣାଯାଇଥିଲା। 

ଛୁରିମାଡ଼ରେ ଆହତ ଛାତ୍ରଙ୍କ ମାଆ ଆଶାଦିଦି ରୂପେ କାର୍ଯ୍ୟ କରୁଛନ୍ତି। ଏହି ଘଟଣାକୁ ବାହାରେ ପ୍ରଘଟ ନ କରିବାକୁ ତାଙ୍କ ଉପରେ କୁଆଡ଼େ ଚାପ ପକାଯାଉଥିବା ଅଭିଯୋଗ ହୋଇଛି। ଘଟଣାକୁ ରଫାଦଫା କରିବାକୁ ଭିତିରିଆ ଉଦ୍ୟମ ହୋଇଛି। ବେଲଗାଁ ଥାନାଧିକାରୀ କହିଛନ୍ତି, ଏନେଇ କୌଣସି ଏତଲା ହୋଇନି। ଅଭିଯୋଗ ହେଲେ ତଦନ୍ତ କରାଯିବ। ପ୍ରଧାନଶିକ୍ଷୟିତ୍ରୀ ଏ. ଲକ୍ଷ୍ମୀ କହିଛନ୍ତି, ଦୁଇ ପରିବାର ମଧ୍ୟରେ ଆପୋସ ବୁଝାମଣା ହୋଇଛି। ଗତକାଲି ହିଞ୍ଜିଳିକାଟୁ ଏବିଇଓ ସୁଶୀଲ ପାତ୍ର ବିଦ୍ୟାଳୟକୁ ଆସି ତଦନ୍ତ କରିବା ସହ ବିଇଓଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଆଜି ହିଞ୍ଜିଳିକାଟୁ ବିଇଓଙ୍କ କାର୍ଯ୍ୟାଳୟକୁ ପ୍ରତିକ୍ରିୟା ଜାଣିବାକୁ ଯାଇଥିବା ବେଳେ ଶନିବାର ସତ୍ତ୍ବେ ଜଣେ ମହିଳା କିରାଣିଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଅଧିକାରୀଙ୍କ ଦେଖା ମିଳି ନଥିଲା। ତେବେ ସରକାରୀ ବିଦ୍ୟାଳୟ ଭିତରେ ଏଭଳି ସମ୍ବେଦନଶୀଳ ଘଟଣା ସାମନ‌ାକୁ ଆସିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।