୪ ଘଣ୍ଟା ଧାରଣାରେ ବସିଲେ ଛାତ୍ରୀ

ବାଣୀବିହାର ହଷ୍ଟେଲରେ ଲାଗିରହିଛି ସମସ୍ୟା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଏକ ନମ୍ବର ଛାତ୍ରୀ ନିବାସରେ ଦୀର୍ଘ ଦିନ ଧରି ପାଣି ସମସ୍ୟା ଲାଗିରହିଥିଲେ ମଧ୍ୟ ତାହାର ସମାଧାନ କରାଯାଉ ନାହିଁ। ଏନେଇ ଛାତ୍ରୀମାନେ ବାରମ୍ବାର ହଷ୍ଟେଲ ସୁପରିନ୍‌ଟେଣ୍ଡେଣ୍ଟଙ୍କ ନିକଟରେ ଅଭିଯୋଗ କରୁଥିଲେ ମଧ୍ୟ ଶୁଣୁନାହାନ୍ତି। ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଘଟଣା ସମ୍ପର୍କରେ ଅବଗତ ଥିଲେ ମଧ୍ୟ ସମାଧାନ କରୁ ନଥିବାରୁ ଆଜି ପୂର୍ବାହ୍ନ ୧୧ଟାରେ ଛାତ୍ରୀମାନେ ହଷ୍ଟେଲ ସମ୍ମୁଖରେ ଧାରଣାରେ ବସିଥିଲେ। ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ହଷ୍ଟେଲରେ ଥିବା ଶୌଚାଳୟକୁ ପାଣି ଆସୁ ନ ଥିବାରୁ ସମସ୍ୟା ସୃଷ୍ଟି ହେଉଛି। ନିର୍ଧାରିତ ସମୟରେ ନିତ୍ୟକର୍ମ ସାରି କ୍ଲାସ୍‌ କରିହେଉନି। ବାହାର ହଷ୍ଟେଲ ଉପରେ ନିର୍ଭର କରିବାକୁ ପଡ଼ୁଛି। ପିଇବା ପାଣିର ସମସ୍ୟା ଦେଖାଦେଉଛି। ରୁମ୍‌ ଭିତର ଓ ବାହାର ନିୟମିତ ଭାବେ ସଫେଇ କରାଯାଉ ନାହିଁ। ସୁରକ୍ଷା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। ହଷ୍ଟେଲର କର୍ମଚାରୀମାନେ ଖରାପ ବ୍ୟବହାର କରୁଛନ୍ତି। ଏନେଇ ସୁପରିନ୍‌ଟେଣ୍ଡେଣ୍ଟଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ କିଛି ବି ପଦକ୍ଷେପ ନେଉନାହାନ୍ତି। ବରଂ ଗାଳି ଦେଉଛନ୍ତି। ତେଣୁ ସୁପରିନ୍‌ଟେଣ୍ଡେଣ୍ଟଙ୍କୁ ହଟାଇବା ସହ ନୂତନ ନିଯୁକ୍ତି କରିବାକୁ ଛାତ୍ରୀମାନେ ଦାବି କରିଥିଲେ। ଅପରାହ୍ନ ୩ଟା ପର୍ଯ୍ୟନ୍ତ ସେମାନେ ଧାରଣାରେ ବସିବା ପରେ କୁଳପତି ପ୍ର୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଛାତ୍ରୀଙ୍କ ନିକଟରେ ପହଞ୍ଚିଥିଲେ। ୧୦ ଦିନ ମଧ୍ୟରେ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କୁଳପତି ପ୍ରଫେସର ପଟ୍ଟନାୟକ ପ୍ରତିଶ୍ରୁତି ଦେବା ପରେ ଛାତ୍ରୀମାନେ ଧାରଣାରୁ ଓହରିଥିଲେ।

ସମ୍ବନ୍ଧିତ ଖବର