ଭୁବନେଶ୍ବର: ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମାହୁତି ମାମଲାରେ ଆଜି ଦିନ ତମାମ୍ ରାଜଧାନୀ ହୁଲସ୍ତୁଲ ହୋଇଛି। ବିଭିନ୍ନ ବିରୋଧୀ ଦଳ ପକ୍ଷରୁ ସରକାରଙ୍କୁ ଘେରିବା ସହିତ ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ, ପ୍ରତିବାଦ ସଭା, ମହମବତି ଶୋଭାଯାତ୍ରା କରାଯାଇଥିଲା। ଛାତ୍ର କଂଗ୍ରେସ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ କରାଯାଇଥିଲା। ଛାତ୍ର ବିଜେଡ଼ି ପକ୍ଷରୁ ମଧ୍ୟ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅନ୍ୟ ପକ୍ଷରେ ବିଜେପି ପକ୍ଷରୁ ମଧ୍ୟ ମୃତ ଛାତ୍ରୀଙ୍କ ଅମର ଆତ୍ମାର ସଦ୍ଗତି ଉଦ୍ଦେଶ୍ୟରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଦୀପଦାନ କରାଯାଇଥିଲା।
ମନ୍ତ୍ରୀଙ୍କ ବାସଭବନକୁ ଛାତ୍ର କଂଗ୍ରେସର ଅଣ୍ଡା ମାଡ଼
ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ମହମବତି ଶୋଭାଯାତ୍ରା କରାଯିବା ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଅଣ୍ଡାମାଡ଼ କରାଯାଇଛି। ଛାତ୍ର କଂଗ୍ରେସର ଉପସଭାପତି ସୌମ୍ୟରଞ୍ଜନ ଜେନାଙ୍କ ନେତୃ୍ତ୍ବରେ ଛାତ୍ରମାନେ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରଛାତ୍ରୀଙ୍କୁ ନ୍ୟାୟ ଦେବାରେ ଉଚ୍ଚଶିକ୍ଷା ମନ୍ତ୍ରୀ ବିଫଳ ହୋଇଥିବା ଅଭିଯୋଗ କରି ଆଜି ସନ୍ଧ୍ୟାରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିଥିଲେ। ପୁଲିସ ସେମାନଙ୍କୁ ଅଟକାଇବାରୁ ବାସଭବନକୁ ଛାତ୍ରମାନେ ଅଣ୍ଡାମାଡ଼ କରିଥିଲେ। ସନ୍ଧ୍ୟାରେ ଛାତ୍ର କଂଗ୍ରେସ ପକ୍ଷରୁ ରାମମନ୍ଦିର ସମ୍ମୁଖରେ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ମୃତ ଛାତ୍ରୀଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଓ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଆଜି ସନ୍ଧ୍ୟାରେ ମହମବତି ଶୋଭାଯାତ୍ରା କରାଯାଇଥିଲା। ଏହି ଅବସରରେ ସନ୍ଦୀପ ପ୍ରସାଦ ମହାପାତ୍ର, ଅଖିଳେଶ ଯାଦବ, ସିନ୍ଧାନ୍ତ ଓମ୍ପ୍ରକାଶ, ସାଇ ଅମନ ପରିଜା, ଶାହାରୁଖ ଖାନ୍, ତାପସ ଦେ ପ୍ରମୁଖ ଉପସ୍ଥିତ ରହିଥିଲେ।
ମିଳିତ ବିରୋଧୀ ଦଳର ଶୋଭାଯାତ୍ରା
ମିଳିତ ବିରୋଧୀ ଦଳ ପକ୍ଷରୁ ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ଅବ୍ୟବହିତ ପୂର୍ବରୁ ମୃତ ଛାତ୍ରୀଙ୍କୁ ନ୍ୟାୟ ଓ ଘଟଣାର ନ୍ୟାୟିକ ତଦନ୍ତ ଦାବିରେ ଆଜି ସନ୍ଧ୍ୟାରେ ଭୁବନେଶ୍ବର ମାଷ୍ଟର୍କ୍ୟାଣ୍ଟିନ୍ ଛକଠାରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭା ଅୟୋଜନ କରାଯାଇଥିଲା। ଏହି ମିଳିତ ପଟୁଆର ଏବଂ ଶ୍ରଦ୍ଧାଞ୍ଜଳି ସଭାରେ କଂଗ୍ରେସ ଦଳ ତରଫରୁ ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂହ ସାଲୁଜା, ମିନାକ୍ଷୀ ବାହିନୀପତି, ରଞ୍ଜିତ ପାତ୍ର, ସିପିଆଇ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସିପିଆଇ (ଏମ୍) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସିପିଆଇ(ଏମ୍ଏଲ) ଲିବରେସନ୍ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଏନ୍ସିପି ରାଜ୍ୟ ସଭାପତି ବିକ୍ରମ ସ୍ବାଇଁ ସମେତ ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡୀ, ଶିଶିର ହୁଇ, ସସ୍ମିତା ବେହେରା, ଗୀତାଞ୍ଜଳି ମହାନ୍ତି, ଅଶୋକ ଦାସ, ସୁଦର୍ଶନ ଦାଶ, ଯମେଶ୍ୱର ସାମନ୍ତରା, ଜୟନ୍ତ ଦାସ, କ୍ଷୀରୋଦ କୁମାର ସିଂହଦେଓ, ପ୍ରଶାନ୍ତ ମିଶ୍ର, ପ୍ରଦୀପ୍ତ ନାୟକ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ପ୍ରଫୁଲ୍ଲ ସାମନ୍ତରା, ଦେବପ୍ରସାଦ ରାୟ, ଲକ୍ଷ୍ମୀ ଦୋରା ପ୍ରମୁଖ ବହୁ ନେତୃବୃନ୍ଦ ଅଂଶ ଗ୍ରହଣ କରିଥିଲେ।
ବିଜେଡି ପକ୍ଷରୁ ମାନବଶୃଙ୍ଖଳ
ପୀଡ଼ିତାଙ୍କ ଆତ୍ମାର ସଦ୍ଗତି ଓ ନ୍ୟାୟ ପ୍ରଦାନ ପାଇଁ ବିଜୁ ଜନତା ଦଳ ତରଫରୁ ମାଷ୍ଟର୍କ୍ୟାଣ୍ଟିନ୍ ଛକରୁ ରାମମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ମାନବଶୃଙ୍ଖଳ ସହ ମହମବତି ଜଳାଇ ପ୍ରତିବାଦ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର, ବିଧାୟକ ଡ. ଅରୁଣ ସାହୁ, ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ସଞ୍ଜୟ କୁମାର ଦାସବର୍ମା, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ସାଂସଦ ସୁଲତା ଦେଓ, ବିଧାୟକ ବ୍ୟୋମକେଶ ରାୟ, ଅନନ୍ତ ନାରାୟଣ ଜେନା, ମନ୍ମଥ ରାଉତରାୟଙ୍କ ସହିତ ଯୁବ ଓ ଛାତ୍ର ବିଜେଡିର ନେତା ସାମିଲ ହୋଇଥିଲେ।
ବେଟି ବଚାଓ ଅଭିଯାନ
ମୃତଛାତ୍ରୀଙ୍କୁ ନ୍ୟାୟ ଦାବିରେ ଆଜି ମାଷ୍ଟରକ୍ୟାଣ୍ଟିନ ଛକରେ ବେଟି ବଚାଓ ଅଭିଯାନ ପକ୍ଷରୁ ନିରବ ପ୍ରତିବାଦ କରାଯାଇଛି। ଏହି ଘଟଣାର ନ୍ୟାୟିକ ତଦନ୍ତ ସହ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଗିରଫ ପାଇଁ ଅଭିଯାନ ପକ୍ଷରୁ ଦାବି କରାଯାଇଛି। ଅଭିଯାନର ଅଧକ୍ଷା ତଥା ପୂର୍ବତନ ମହିଳା କମିଶନ ଅଧକ୍ଷା ଲୋପାମୁଦ୍ରା ମହାନ୍ତି, ସମ୍ପାଦିକା ସୂର୍ଯ୍ୟାସ୍ମିତା ପଣ୍ଡା, ଯୁଗ୍ମ ସମ୍ପାଦିକା ବେବି ନାୟକ ଓ଼ ନିବେଦିତା ପଟନାୟକ, ମଞ୍ଜୁଲତା କର, ଗୀତାଞ୍ଜଳି ମହାନ୍ତିଙ୍କ ସହ ବାସୁଦେବ ଭଟ୍ଟ, ପ୍ରସନ୍ନ ବିଶୋୟୀ, ସୁଦର୍ଶନ ଦାସ,ଅଶୋକ ପାଇକରାୟ, ଦେବାଶିଷ ମିଶ୍ର, ରଞ୍ଜନ ଦାସ,ସୂର୍ଯ୍ୟ ନାରାୟଣ ଜେନା, ଶୁଭକାନ୍ତ ବେହେରା, ସୁଶୀଲ ସାହୁଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରତିବାଦ
ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ବିଚାର ବିଭାଗୀୟ ତଦନ୍ତ ସହ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ୱର ସାଂସଦ ଓ ବାଲେଶ୍ୱର ବିଧାୟକଙ୍କ ଇସ୍ତଫା ଦାବିରେ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଲୋୟର ପିଏମ୍ଜିରେ ବିକ୍ଷୋଭ କରାଯାଇଛି। ଏହି ବିକ୍ଷୋଭରେ ସିପିଆଇ ରାଜ୍ୟ ସହସଂପାଦକ କ୍ଷୀରୋଦ ସିଂହଦେଓ, ବିକେଏମ୍ୟୁ ରାଜ୍ୟ ସଂପାଦକ ସୁର ଜେନା, ସିପିଆଇ ରାଜ୍ୟ ସଂପାଦକମଣ୍ଡଳୀ ସଦସ୍ୟ ଜୟନ୍ତ ଦାସ, ବିଜୟ ଜେନା, କୈଳାସ ପୁହାଣ, ନମିତା ସାହୁ, ଡାକ ହେମ୍ବ୍ରମ୍, ଶଙ୍କର ବାରିକ, ଶଙ୍କର ବେହେରା, ଲେନିନ ଜେନା, ସାଇରାମ ଜେନା, ନାନିକା ମୁଣ୍ଡା, ବାସନ୍ତୀ ସୋରେନ, ସୁସ୍ମିତା ନାୟକ, ଚେତମ୍ବର ଭୋଇ ପ୍ରମୁଖ ନେତୃତ୍ୱ ନେଇଥିଲେ।
ଏଆଇଡିଏସ୍ଓ
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏଆଇଡିଏସ୍ଓ ଭୁବନେଶ୍ୱର କମିଟି ପକ୍ଷରୁ ପୀଡ଼ିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ଶୋକସଭା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ ସଂପାଦକ ସିଦ୍ଧାର୍ଥ ରଥ, ଭୁବନେଶ୍ୱର ସଭାପତି ନସିମ ସରକାର, ଉପସଭାପତି ସପ୍ତର୍ଷିନୀ ରାଉଳ, ରୂପାଲି ଦିଗଲଙ୍କ ସହିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ବହୁ ଛାତ୍ରୀ ଓ ଅଭିଭାବକ ଅଂଶଗ୍ରହଣ କରିଥିଲେ।
ଆମ୍ ଆଦ୍ମୀ ପାର୍ଟିର ବିକ୍ଷୋଭ
ଫକୀରମୋହନ ମହାବିଦ୍ୟାଳୟରେ ଏବିଭିପି ନେତ୍ରୀଙ୍କ ଆତ୍ମଦାହ ଘଟଣାର ନିରପେକ୍ଷ ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆମ୍ ଆଦ୍ମୀ ପାର୍ଟି ଦାବି କରିଛି। ଦଳ ପକ୍ଷରୁ କଳିଙ୍ଗ ହସ୍ପିଟାଲ ଛକରେ ମହମବତି ଜଳାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଆମ୍ ଆଦ୍ମୀ ପାର୍ଟିର ରାଜ୍ୟ ସଂଗଠନ ସମ୍ପାଦକ ସନ୍ଦୀପ୍ତ ଦାସ, କଲ୍ୟାଣ ଆନନ୍ଦ, ଜୟସୂର୍ଯ୍ୟ କାନୁନ୍ଗୋ, ରୁଚିରୁଦ୍ର ରଥ, ଲଳିତ ମୋହନ ଦାସ ଅଧିକାରୀ, ଅମୀୟ ଶର୍ମା, ଶୁଭାଶିଷ ସ୍ବାଇଁ ଓ ରାଜ୍ୟ ମୁଖପାତ୍ର ସସ୍ମିତା ହୋତା ପ୍ରମୁଖ ଉପସ୍ଥିତ ଥିଲେ।
ଜାତୀୟ ଦଳିତ ଆଦିବାସୀ ମହାସଂଘ
ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ଜାତୀୟ ଦଳିତ ଆଦିବାସୀ ମହାସଂଘ ନିନ୍ଦା କରିବା ସହିତ ପ୍ରଶାସନ ଦ୍ବାରା ଏହାକୁ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରାଯାଇଛି। ଏନେଇ ମାଷ୍ଟର୍କ୍ୟାଣ୍ଟିନ୍ ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ତ୍ବରିତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏହି ଆନ୍ଦୋଳନରେ ଖୋର୍ଦ୍ଧା ଜିଲ୍ଲା ସଭାପତି ଅଶୋକ କୁମାର ଭୋଇଙ୍କ ନେତୃତ୍ବରେ ରାଜ୍ୟ ସଭାପତି ଲିଟୁ ଦାସ, ମହିଳା ସମ୍ପାଦିକା ଟିକିନା ପରିଡ଼ା, କବିତା ଭୋଇ, ଜଗନ୍ନାଥ ଭୋଇ, ଜୟଦେବ ବେହେରା, ପ୍ରକାଶ ଭୋଇ, ବୈକୁଣ୍ଠ ମାଝୀ, ଦୀପକ ସାମଲ, ବିଜୟ କୁମାର ଭୋଇ, ବିଶ୍ବଜିତ ସେଠୀ, ପ୍ରତିମା ପ୍ରଧାନ, ମହେଶ୍ବର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ବର: ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାଜଧାନୀ କ୍ୟାମ୍ପସ୍ ରାଜନୀତି ସରଗରମ ହୋଇଛି। ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଛାମୁଆ ଛାତ୍ର ସଙ୍ଗଠନଗୁଡ଼ିକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଯୁବ ଓ ଛାତ୍ର ବିଜେଡିର କର୍ମୀମାନେ କ୍ୟାମ୍ପସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଜଣେ ଛାତ୍ରୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯିବା ସହ କୁଶପୁତ୍ତଳିକା ଦାହ କରିଛନ୍ତି। ଛାତ୍ର କଂଗ୍ରେସ ବି ଆନ୍ଦୋଳନକୁ ଓହ୍ଲାଇଛି। ଏବିଭିପିର ଜଣେ ସକ୍ରିୟ ସଭ୍ୟା ଥିବା ସୌମ୍ୟଶ୍ରୀଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ସଙ୍ଗଠନର ସଦସ୍ୟମାନେ ଆଜି ବିଭିନ୍ନ କ୍ୟାମ୍ପସ୍ରେ ଶ୍ରଦ୍ଧାଞ୍ଜଳି ସଭା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ଆଜି ସକାଳୁ ସକାଳୁ ହିଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଆନ୍ଦୋଳନ ଡାକରା ଦେଇଥିଲା। ଦଳୀୟ ନେତାମାନେ ଏନେଇ ଘୋଷଣା ପରେ ସମସ୍ତ କ୍ୟାମ୍ପସ୍ରେ ବିଦ୍ରୋହର ସ୍ବର ଶୁଣିବାକୁ ମିଳିଛି। ଉଭୟ ସଙ୍ଗଠନର ଶତାଧିକ ସଦସ୍ୟ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ସମ୍ମୁଖରେ ରାଜ୍ୟ ସରକାରଙ୍କ ବିରୋଧରେ ନାରା ଦେଇଥିଲେ। ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜାତୀୟ ରାଜପଥ-୧୬କୁ ଅବରୋଧ କରି ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ବିକ୍ଷୋଭକାରୀ ରାସ୍ତା ଅବରୋଧ କରିବାରୁ ପାଖାପାଖି ୩୦ ମିନିଟ୍ ଧରି ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା। ଶହଶହ ଗାଡ଼ି ଅଟକି ରହିବାରୁ ରାସ୍ତା ଜାମ୍ ହୋଇଥିଲା। ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ ମଧ୍ୟକୁ ଆଣିଥିଲା।
ସେହିପରି ଛାତ୍ର କଂଗ୍ରେସର ସଦସ୍ୟମାନେ ଆଜି ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟ ତଥା ଅହିଂସାସ୍ଥଳରେ ଧାରଣାରେ ବସି ଛାତ୍ରୀଙ୍କ ପାଇଁ ନ୍ୟାୟ ଭିକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ସେମାନେ ଦାବି ଜଣାଇଥିଲେ। ଅପରାହ୍ଣରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରାଜଧାନୀ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅପରାହ୍ଣରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇ ଜାତୀୟ ରାଜପଥ ଅବରୋଧ କରିବା ସହ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ‘ସୌମ୍ୟାଶ୍ରୀର ଜୀବନ ଫେରାଇବ କିଏ, ସରକାର ତୁମେ ଜବାବ ଦିଅ’ ନାରା ଦେଇ ଜାତୀୟ ରାଜପଥକୁ ମାଡ଼ି ଆସିବାରୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ପ୍ରାୟ ଅଧ ଘଣ୍ଟା ପାଇଁ ଫାୟାର୍ଷ୍ଟେସନ୍ ଛକରୁ ବରମୁଣ୍ଡାକୁ ଯାଉଥିବା ଗାଡ଼ିଗୁଡ଼ିକ ଅଟକି ରହିଥିଲା। ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ସ୍ଥିତିରେ ସୁଧାର ଆସିଥିଲା। ସେପଟେ ଛାତ୍ରୀ ସୌମ୍ୟଶ୍ରୀଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଏବିଭିପି ଭୁବନେଶ୍ୱର ମହାନଗର ପକ୍ଷରୁ ରାଜଧାନୀ କଲେଜ ସମ୍ମୁଖରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେଇଛି। ସ୍ନାତକ ଓ ଯୁକ୍ତ୨ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ।