ଚାପ ସହି ନ ପାରି ଜୀବନ ହାରିଲେ ଛାତ୍ର

ଚଳଚ୍ଚିତ୍ର ହ୍ୟାକିଂ ଅଭିଯୋଗରେ ଦୁଇ ଛାତ୍ରଙ୍କୁ ନିସ୍ତୁକ ମାଡ଼

ଭୁବନେଶ୍ୱର/ଖଣ୍ଡପଡ଼ା: ଏକ ଘରୋଇ ମନୋରଂଜନ ଚ୍ୟାନେଲ୍‌ର ଚଳଚ୍ଚିତ୍ର ପ୍ରଡକ୍ସନ୍‌ ହାଉସ୍‌ ଦ୍ୱାରା ପ୍ରସ୍ତୁତ ନୂଆ ଓଡ଼ିଆ ଚଳଚ୍ଚିତ୍ରକୁ ନୟାଗଡ଼ର ଦୁଇ କଲେଜ ଛାତ୍ର ସର୍ଭରରୁ ହ୍ୟାକିଂ କରିଥିବା ଅଭିଯୋଗ ଶେଷରେ ଜଣକୁ ମୃତ୍ୟୁ ମୁହଁକୁ ଟାଣି ନେଇଛି। ହ୍ୟାକିଂ ଓ କପି ସନ୍ଦେହରେ ଏହି ଦୁଇ ଛାତ୍ରଙ୍କୁ ଚ୍ୟାନେଲ୍‌ କର୍ତୃପକ୍ଷ ନୟାଗଡ଼ରୁ ରାଜଧାନୀ ଡାକି ନିସ୍ତୁକ ମାଡ଼ ମାରିବା ସହ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିବାରୁ ଗତକାଲି ବିଳମ୍ବିତ ରାତିରେ ସେମାନଙ୍କ ମଧ୍ୟରୁ ଗଣେଶ ପ୍ରଧାନ ନାମକ ଜଣେ ଛାତ୍ର ରୋଷେଇ ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଗଣେଶଙ୍କ ମୃତ୍ୟୁକୁ ନେଇ ତାଙ୍କର ସହଯୋଗୀ ଓ ଏକ ସିନେ ପ୍ରଡ୍‌କସ୍‌ନର କର୍ମଚାରୀଙ୍କ ଭୂମିକାକୁ ନେଇ ପରିବାର ଲୋକ ସନ୍ଦେହ ପ୍ରକାଶ କରିଛନ୍ତି । ଏ ନେଇ ପରିବାର ଲୋକ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, କାଦୁଆ ଗ୍ରାମର ବଳଭଦ୍ର ପ୍ରଧାନଙ୍କ ପୁଅ ଗଣେଶ (୨୨) ଓ ଧ୍ରୁବ ସ୍ୱାଇଁଙ୍କ ପୁଅ ମାନସ (୨୩) ଦୁଇ ବନ୍ଧୁ। ଏକ ଜଣାଶୁଣା ମନୋରଂଜନ ଚ୍ୟାନେଲ ଦ୍ୱାରା ପ୍ରସ୍ତୁତ ଏକ ଚଳଚ୍ଚିତ୍ରକୁ କିଛି ମାସ ପୂର୍ବେ ଦୁହେଁ ଚ୍ୟାନେଲର ସର୍ଭରରୁ ହ୍ୟାକ୍‌ କରି ନିଜ ଆଇଡି ଦେଇ କପି କରି ନେଇଥିଲେ। ପରବର୍ତୀ ସମୟରେ ଚ୍ୟାନେଲ୍‌ କର୍ତୃପକ୍ଷ ଏହାର ଅନୁସନ୍ଧାନ କରି ଛାତ୍ର ଦୁହିଁଙ୍କୁ ଠାବ କରିବା ସହ ତାଗିଦ୍‌ କରିଥିଲେ। ସେତେବେଳେ ସେମାନଙ୍କଠାରୁ ଚଳଚ୍ଚିତ୍ରର କପି ମଧ୍ୟ ଜବତ କରାଯାଇଥିଲା। ସେହି ଚ୍ୟାନେଲ୍‌ର ଆଉ ଏକ ନୂଆ ଚଳଚ୍ଚିତ୍ର ଗତ ମାସରେ ରିଲିଜ୍‌ ହୋଇଥିବା ବେଳେ ପୁଣି ସେହି ଛାତ୍ରଦ୍ୱୟ ସମାନ ଉପାୟରେ ନିଜ ଆଇଡିକୁ ଚଳଚ୍ଚିତ୍ରଟିକୁ କପି କରି ନେଇଥିବା ଜଣାପଡ଼ିଥିଲା। ଏହା ଜାଣିବା ପରେ ଚ୍ୟାନେଲ୍‌ ପକ୍ଷରୁ ସେମାନଙ୍କୁ ଧରିବା ଲାଗି ଜାଲ ବିଛା ଯାଇଥିଲା। ମୋଟା ଅଙ୍କର ଟଙ୍କା ଦେଇ ଚଳଚ୍ଚିତ୍ରର କପି କିଣିବେ ବୋଲି କହି ଚ୍ୟାନେଲ୍‌ର କିଛି ଲୋକ ଛାତ୍ରଦ୍ୱୟଙ୍କୁ ରାଜଧାନୀ ଡକାଇଥିଲେ। ଦୁଇ ଦିନ ତଳେ ଗଣେଶ ଓ ମାନସ ରାଜଧାନୀରେ ପହଞ୍ଚିବା ପରେ ଚ୍ୟାନେଲ୍‌ କର୍ତୃପକ୍ଷ ତାଙ୍କୁ କାର୍ଯ୍ୟାଳୟରେ ଅଟକାଇ ନିସ୍ତୁକ ମାଡ଼ ମାରିଥିଲେ। ସେମାନେ ତାଙ୍କ ଚଳଚ୍ଚିତ୍ରର ବାରମ୍ବାର ଏଭଳି ହ୍ୟାକ୍‌ କରି ସେମାନଙ୍କ ବ୍ୟବସାୟକୁ କ୍ଷତି କରୁଥିବାରୁ ସେମାନଙ୍କୁ ମୋଟା ଅଙ୍କର କ୍ଷତିପୂରଣ ଦେବାକୁ ଚାପ ପକାଇଥିଲେ।

ଗତକାଲି ଇନ୍‌ଫୋସିଟି ଥାନା ପୁଲିସକୁ ଏହି ଦୁଇ ଛାତ୍ରଙ୍କୁ ହସ୍ତାନ୍ତର କରାଯାଇଥିଲା। ପୁଲିସ ସେମାନଙ୍କଠାରୁ ଗୋଟିଏ ବାଇକ୍‌ ଓ ୪ଟି ମୋବାଇଲ୍‌ ମଧ୍ୟ ଜବତ କରିବା ସହ ପରିବାର ଲୋକଙ୍କୁ ସର୍ତମୂଳକ ଜାମିନରେ ଛାଡ଼ି ଦେଇଥିଲା। ମାନସର ମାମୁଁ ଓ ଗଣେଶର ପରିବାର ଲୋକ ସେମାନଙ୍କୁ ଥାନାରୁ ମୁକୁଳାଇ ସଂଧ୍ୟାରେ ଘରକୁ ଆଣିଥିଲେ। ତେବେ କ୍ଷତିପୂରଣ ବିଷୟରେ ଆଲୋଚନା ପାଇଁ ଆଜି ମଧ୍ୟାହ୍ନରେ ଇନ୍‌ଫୋସିଟି ଥାନାକୁ ପୁଲିସ ଉଭୟ ପକ୍ଷକୁ ଆସିବାକୁ କହିଥିଲା।

ତେବେ ସେମାନେ ଥାନାରୁ ଘରକୁ ଫେରି ରାତି୧୧ଟା ପର୍ଯ୍ୟନ୍ତ ଗାଁର ଏକ ଦୋକାନରେ ବସି ଏ ନେଇ ଆଲୋଚନା କରିଥିଲେ। ଗଣେଶର ପରିବାର ଲୋକ ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କ ଘରେ ଏହାକୁ ନେଇ ଅଶାନ୍ତି ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ଗଣେଶ ମାନସିକ ଭାରସାମ୍ୟ ହରାଇ ନିଜ ବାଡ଼ି ପଛପଟେ ଥିବା ରୋଷେଇ ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ସତ୍ୟର ଉନ୍ମୋଚନ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି । ଘଟଣା ପରେ ଜଗନ୍ନାଥପ୍ରସାଦ ଫାଣ୍ଡି ଅଧିକାରୀ ବୈକୁଣ୍ଠ ସାହୁ ସ୍ଥିତି ଅନୁଧ୍ୟାନ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛନ୍ତି। ଏ ସମ୍ପର୍କରେ ଫତେଗଡ଼ ଥାନା ଅଧିକାରୀ ଆଶୁତୋଷ ମିଶ୍ର ଅଭିଯୋଗକୁ ଆଧାର କରି ଅନୁସନ୍ଧାନ ଜାରି ରହିଥିବା ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଏ ସଂପର୍କରେ ପଚରାଯିବାରୁ ଇନ୍‌ଫୋସିଟି ଥାନା ଆଇଆଇସି ବନିତା ମହାରଣା କହିଛନ୍ତି, ଘଟଣା ମାମୁଲି ଥିଲା। ଯେଉଁ କାରଣରୁ ଗତକାଲି ସେମାନଙ୍କୁ ଥାନାରୁ ଜାମିନ୍‌ରେ ଛାଡ଼ି ଦିଆଯାଇଥିଲା। ତେବେ ପାରିବାରିକ ଚାପରେ ପିଲାମାନେ ଏପରି କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର