ସାଇକେଲ ଆରୋହୀଙ୍କୁ ଷ୍ଟୁଡେଣ୍ଟ ଟ୍ରାଫିକ୍ ସ୍ବେଚ୍ଛାସେବୀଙ୍କ ଗୋଇଠା

ଭୁବନେଶ୍ବର: ପୁଲିସ ସାଧାରଣ ଲୋକଙ୍କୁ ମାଡ଼ ମାରିବା ଓ ଦୁର୍ବ୍ୟବହାର କରିବା ଭଳି ଅଭିଯୋଗ ନୂଆ ନୁହେଁ। ମାତ୍ର ଟ୍ରାଫିକ୍‌ ପୁଲିସକୁ ସହାୟତା କରିବାକୁ ଏଜି ଛକ ଟ୍ରାଫିକ ପୋଷ୍ଟରେ ନିୟୋଜିତ ଜଣେ ଷ୍ଟୁଡେଣ୍ଟ ଟ୍ରାଫିକ ସ୍ବେଚ୍ଛାସେବୀଙ୍କ ବିଶୃଙ୍ଖଳିତ ଆଚରଣ ପୁଲିସର ଛବିକୁ ଆହୁରି ମଳିନ କରିଛି। ଆଜି ସଂଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଏଜି ଛକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସେଠାରେ ଥିବା ଷ୍ଟୁଡେଣ୍ଟ ଟ୍ରାଫିକ୍ ସ୍ବେଚ୍ଛାସେବୀ ଗୋଇଠା ମାରି ଜଣେ ସାଇକେଲ ଆରୋହୀଙ୍କୁ ତଳେ ପକାଇ ଦେବା ଘଟଣା ଚର୍ଚାର ବିଷୟ ପାଲଟିଛି।

ଆଜି ସଂଧ୍ୟାରେ ଜଣେ ସାଇକେଲ ଆରୋହୀ ରାଜମହଲ ଛକରୁ ବିଧାନସଭା ଆଡ଼କୁ ଯାଉଥିଲେ। ଏହି ସମୟରେ ଏଜି ଛକ ଟ୍ରାଫିକ୍ ପୋଷ୍ଟ ନିକଟରେ ଥିବା ଜଣେ ଷ୍ଟୁଡେଣ୍ଟ ଟ୍ରାଫିକ ସ୍ବେଚ୍ଛାସେବୀ ତାଙ୍କୁ ଅଟକାଇବାକୁ ଯାଇ ସାଇକେଲକୁ ଗୋଇଠା ମାରିଥିଲେ। ଗୋଇଠା ମାଡ଼ରେ ସାଇକେଲ ଆରୋହୀ ଜଣକ ଦୂରକୁ ଛିଟିକି ପଡ଼ିଥିଲେ। ପୋଷ୍ଟ ନିକଟରେ ଥିବା ଟ୍ରାଫିକ୍ ପୁଲିସ ସେଠାକୁ ଆସି ସାଇକେଲ ଆରୋହୀଙ୍କୁ ଉଠାଇଥିଲେ। ପରେ ଲୋକଙ୍କ ନଜର ହଟାଇବା ଲାଗି ଯେନତେନ ପ୍ରକାର ସାଇକେଲ ଆରୋହୀଙ୍କୁ ସେଠାରୁ ପଠାଇବାକୁ ଉଦ୍ୟମ କରିଥିଲେ। ‌ମାତ୍ର ସେହି ସମୟରେ ଏହି ରାସ୍ତା ଦେଇ ଯାଉଥିବା ଲୋକମାନେ ଘଟଣା ସଂପର୍କରେ ଜାଣିବା ପାଇଁ କିଛି ସମୟ ରାସ୍ତାରେ ଅଟକି ଯାଇଥିଲେ। ଏ ସଂପର୍କରେ ଟ୍ରାଫିକ୍ ଏସିପି କିଶୋର ପାଣିଗ୍ରାହୀ କହିଛନ୍ତି, ସଂପୃକ୍ତ ଷ୍ଟୁଡେଣ୍ଟ ଟ୍ରାଫିକ୍ ସ୍ବେଚ୍ଛାସେବୀଙ୍କୁ ତାଗିଦ୍ କରାଯିବ। କିଭଳି ଲୋକମାନଙ୍କ ସହିତ ଭଲ ବ୍ୟବହାର କରିବେ ସେ ସଂପର୍କରେ ବୁଝାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର