ମାର୍ଚ୍ଚ ୧ରୁ ରାଜଧାନୀରେ ପୁଣି ନିୟୋଜିତ ହେବେ ଷ୍ଟୁଡେଣ୍ଟ ଟ୍ରାଫିକ୍‌ ଭଲ୍ୟୁଣ୍ଟର୍‌

ଶାରୀରିକ, ମୌଖିକ ପରୀକ୍ଷା ଶେଷ, ବଛା ହେବେ ୨୦୦

ଭୁବନେଶ୍ବର : ରାଜଧାନୀରେ ପୁଣି ଆରମ୍ଭ ହେବାକୁ ଯାଉଛି ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର। ଆସନ୍ତା ମାର୍ଚ୍ଚ ୧ରୁ ଟ୍ରାଫିକ ପୁଲିସକୁ ସହାୟତା କରିବା ପାଇଁ ଏମାନେ ନିୟୋଜିତ ହେବେ। ଏଥିପାଇଁ ଆଜି ରିଜର୍ଭ ପୁଲିସ ପଡ଼ିଆରେ ଆବେଦନକାରୀମାନଙ୍କର ଶାରୀରିକ ଓ ମୌଖିକ ପରୀକ୍ଷା କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର ପାଇଁ ୨୬୧ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ଆଜି ୨୧୬ ଜଣ ପରୀକ୍ଷାରେ ଯୋଗ ଦେଇଥିଲେ। ସେମାନଙ୍କର ମେଡିକାଲ୍ ପରୀକ୍ଷା, ଉଚ୍ଚତା, ଓଜନ ମପା ଯାଇଥିଲା। ଏହା ପରେ ମୌଖିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୨୧୬ ଆବେଦନକାରୀଙ୍କ ମଧ୍ୟରୁ ୨୦୦ ଜଣଙ୍କୁ ବଛାଯିବ। ଯେଉଁମାନେ ଡ୍ୟୁଟି କରିବା ପାଇଁ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ପୋଷାକ, ଜୋତା, ଗ୍ଲୋବସ୍ ଆଦି ଦିଆଯିବ। ଆରମ୍ଭରୁ ୩ଦିନ ସେମାନଙ୍କୁ ଟ୍ରାଫିକ ସମ୍ପର୍କରେ ତାଲିମ ଦିଆଯିବ। ଆଜିର ଏହି କାର୍ଯ୍ୟକ୍ରମରେ ଟ୍ରାଫିକ ଡିସିପି ଏସ୍. ସୁଶ୍ରୀ, ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ମାନବସମ୍ବଳ ଚାପ ହ୍ରାସ ସହ ଯେଉଁ ଗରିବ ପିଲାମାନେ ପାଠ ପଢ଼ୁଛନ୍ତି ସେମାନଙ୍କୁ କିଛି ସହାୟତା ପାଇଁ ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଦୈନିକ ପାରିଶ୍ରମିକ ଶହେ ଟଙ୍କା ରଖା ଯାଇଥିବା ବେଳେ ଜଣେ ସର୍ବାଧିକ ୧୫ ଦିନ ଡ୍ୟୁଟି କରିବାର ବ୍ୟବସ୍ଥା ରହିଛି। ଶେଷ ଥର ପାଇଁ ୨୦୧୯ରେ ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର ନିଯୁକ୍ତ କରା ଯାଇଥିଲା।

ସମ୍ବନ୍ଧିତ ଖବର