ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବି କରି ଆଜି ଛାତ୍ରଛାତ୍ରୀମାନେ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଶତାଧିକ ଛାତ୍ରଛାତ୍ରୀ ଗାନ୍ଧୀ ପାର୍କରେ ଏକତ୍ରିତ ହୋଇ ସେଠାରୁ ଶୋଭାଯାତ୍ରାରେ ବାହାରି କୁଳପତିଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ନାରାବାଜି କରିବା ସହ ଧାରଣାରେ ବସିଥିଲେ।
ଛାତ୍ରାବାସ-୧ ଓ ୨ରେ ଥିବା ସମସ୍ୟାର ଆଶୁ ସମାଧାନ ସହ ବହୁଦିନ ହେବ ବନ୍ଦ ପଡ଼ିଥିବା ୭ନମ୍ବର ହଷ୍ଟେଲ୍କୁ ଖୋଲିବା, ସମସ୍ତ ଛାତ୍ରୀ ନିବାସ ଓ ମୁଖ୍ୟ ଫାଟକରେ ସିସିଟିଭି ଲଗାଇବା, ସମସ୍ତ ରାସ୍ତାରେ ଲାଇଟ୍ ଲଗାଇବା, ଇ-ଲାଇବ୍ରେରିକୁ ଖୋଲିବା ସହ ଲାଇବ୍ରେରିକୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ଅନୁମତି ଦେବା, ୱାଇଫାଇ ସମସ୍ୟାର ସମାଧାନ କରିବା, ଛାତ୍ରୀ ନିବାସ ପାଚେରି ନିର୍ମାଣ କରିବା ଭଳି ସମସ୍ୟାକୁ ନେଇ ସେମାନେ ଏହି ଘେରାଉ କରିଥିଲେ।
ବହୁ ସମୟ ଧରି ଧାରଣାରେ ବସିବା ପରେ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ନିକଟକୁ ଆସି ବୁଝାସୁଝା କରିଥିଲେ। ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରାଣାରୁ ହଟିଥିଲେ। ଏବିଭିପି କ୍ୟାମ୍ପସ ସଭାପତି ସନ୍ତୋଷ ନାୟକଙ୍କ ନେତୃତ୍ବରେ କିଛି ଛାତ୍ରନେତା ଓ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ।