କର୍ତୃପକ୍ଷ କଲେନି, ଅଣ୍ଟା ଭିଡ଼ିଲେ ଛାତ୍ରଛାତ୍ରୀ

ଭୁବନେଶ୍ବର : ବାତ୍ୟା ‘ଫନି’କୁ ୧୦ ଦିନ ବିତିଲା। ତଥାପି ସଫା ହେଲାନି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ। ନା ପ୍ରଶାସନ ଏହି କ୍ୟାମ୍ପସକୁ ଗୁରୁତ୍ବ ଦେଲା ନା ବରିଷ୍ଠ ଅଧିକାରୀମାନେ ପଦକ୍ଷେପ ନେଲେ। ସ୍ଥିତିରେ କୌଣସି ସୁଧାର ନ ଆସିବାରୁ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ କ୍ୟାମ୍ପସରେ ସଫେଇ କରାଯାଇଛି। ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇ କୁଳପତିଙ୍କ କାର୍ଯ୍ୟାଳୟ ପରିସର ସମେତ ହଷ୍ଟେଲ, କ୍ୟାମ୍ପସର ବିଭିନ୍ନ ସ୍ଥାନରେ ପଡ଼ିରହିଥିବା ଗଛ କାଟିଥିଲେ। ଡାଳ ବି ଉଠାଇ ଅନ୍ୟତ୍ର ପକାଇଥି‌ଲେ। କ୍ୟାମ୍ପସର ସୌନ୍ଦର୍ଯ୍ୟ ଫେରାଇ ଆଣିବା ସହ ସବୁଜିମା ଭରିବାକୁ ସେମାନେ ଉଦ୍ୟମ କରିଛନ୍ତି। ଏଭିବିପିର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର କହିଛନ୍ତି, ଏକ ଦାୟିତ୍ବବାନ ଛାତ୍ର ସ˚ଗଠନ ହିସାବରେ ଶିକ୍ଷାନୁଷ୍ଠାନର ସୌନ୍ଦର୍ଯ୍ୟ ଓ ସୁରକ୍ଷା ଆମର ଦାୟିତ୍ବ। ତାହାକୁ ଆମେ ପାଳନ କରୁଛୁ। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ ବିଶ୍ବବିଦ୍ୟାଳୟ ପରିସର ସଫେଇ କରିଛନ୍ତି। ଆଗାମୀ ୧୭ ତାରିଖ ପର୍ଯ୍ୟନ୍ତ ବାତ୍ୟାରେ କ୍ଷତିଗ୍ରସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏବିଭିପିର ରାଷ୍ଟ୍ରୀୟ ସମ୍ପାଦକ ଅଭିଳାଷ ପଣ୍ତା, ପ୍ରିୟଙ୍କା ପ୍ରିୟଦର୍ଶନୀ ମଲ୍ଲିକ, ମହାନଗର ସମ୍ପାଦକ ଦୀପକ ପ୍ରକାଶ ସ୍ବାଇଁ, ସଞ୍ଜୟ ମଲ୍ଲିକ, ଛାତ୍ରୀ ଲିନା ନନ୍ଦିତା ପରିଡା, ମିତାଲି ମୋହିନୀ ରଥ, ସୋନାଲି ବେହେରା ପ୍ରମୁଖ ସଫେଇର ‌ନେତୃତ୍ବ ନେଇଥିଲେ।

ପ୍ରାଶାସନିକ କୋଠା ଉପରେ ଗଛ

ବିଶ୍ବବିଦ୍ୟାଳୟ ପ୍ରାଶାସନିକ କୋଠା ଉପରେ ଏବେ ବି ଗଛ ପଡ଼ିରହିଛି। ସେଗୁଡ଼ିକ ହଟାଇବା ଦିଗରେ ପଦକ୍ଷେପ ନିଆଯାଉ ନା‌ହିଁ। ଇତି ମଧ୍ୟରେ ଏନ୍‌ଡିଆର୍‌ଏଫ୍‌ର ଏକ ଟିମ୍‌ କ୍ୟାମ୍ପସରେ ରହି କିଛି ମାତ୍ରାରେ ସଫେଇ କରୁଥିବା ଦେଖିବାକୁ ମିଳୁଛି। ରାସ୍ତାରୁ ଗଛ ହଟାଇ ଦେଇଛନ୍ତି। ହେଲେ ତାହାକୁ ସମ୍ପୂର୍ଣ୍ଣ କାଟୁ ନଥିବାରୁ କ୍ୟାମ୍ପସର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଜନ୍ତୁଙ୍କ ଭୟ ରହୁଛି। ବିଦ୍ୟୁତ୍‌ ଖୁଣ୍ଟ ଆଜି ବି ମରାମତି ହୋଇନି। ସେମିତି ପଡ଼ିରହିଛି। ‌କେବେ ସୁଦ୍ଧା ସମ୍ପୂର୍ଣ୍ଣ କ୍ୟାମ୍ପସ ସଫେଇ ହେବ ସେନେଇ କେହି ବି ମୁହଁ ଖୋଲୁନାହାନ୍ତି। ବରିଷ୍ଠ ଅଧିକାରୀମାନେ ଆଜି ବି କ୍ୟାମ୍ପସକୁ ଫେରି ନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର