ରାହୁଲ୍‌ ଗାନ୍ଧିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଗର୍ଜିଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର : ଉତ୍ତରାଖଣ୍ଡ ନିର୍ବାଚନ ପ୍ରଚାର ସମୟରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପ୍ରତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ଛାତ୍ର କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହାର ପ୍ରତିବାଦରେ ରବିବାର ଦିନ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଶତାଧିକ ସମର୍ଥକ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ହିମନ୍ତ ବିଶ୍ବଶର୍ମା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ସେହିପରି ବିଭିନ୍ନ ଜିଲ୍ଲାରେ ମଧ୍ୟ ପ୍ରତିବାଦ କରାଯାଇଥିଲା।

ଶ୍ରୀ ବିଶ୍ୱଶର୍ମାଙ୍କର ଏଭଳି ମନ୍ତବ୍ୟ ତାଙ୍କର ହୀନମନ୍ୟତା ଏବଂ ଭାଜପାର ହୀନ ରାଜନୀତିକୁ ସୂଚାଉଛି। ଏହାଦ୍ବାରା ସେ କେବଳ ରାହୁଲ ଗାନ୍ଧି ନୁହେଁ, ଭାରତରତ୍ନ ରାଜୀବ ଗାନ୍ଧିଙ୍କୁ ମଧ୍ୟ ଅପମାନିତ କରିଛନ୍ତି ବୋଲି ଅଭିଯୋଗ କରାଯାଇଥିଲା। ସେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାହୁଲ ଗାନ୍ଧୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଛାତ୍ର କଂଗ୍ରେସ ଦାବି କରିଛି। ବିକ୍ଷୋଭରେ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଂପାଦକ ତଥା ଓଡ଼ିଶା ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷ, ଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜଗଦୀଶ ଗଜେନ୍ଦ୍ର, ପ୍ରଦେଶ ଛାତ୍ର କଂଗ୍ରେସ ମୁଖ୍ୟ ମୁଖପାତ୍ର ବିଶ୍ୱଭୂଷଣ ମହାପାତ୍ରଙ୍କ ସମେତ ବହୁ ଛାତ୍ର କଂଗ୍ରେସ ନେତା ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର