ବିଜେବି କଲେଜ, କ୍ଲାସ୍‌ କରୁନାହାନ୍ତି ଛାତ୍ରଛାତ୍ରୀ

ଯୁକ୍ତ୨ ପରୀକ୍ଷା ଦେବାରୁ ୨୮ ଛାତ୍ରଛାତ୍ରୀ ବଞ୍ଚିତ, ଏଥର କାମ ଦେଲାନି ନକଲି ଉପସ୍ଥାନ ଓ ଅଭିଭାବକ

ଭୁବନେଶ୍ବର: ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନକଲି ଉପସ୍ଥାନ ଏଥର କାମ ଦେଲାନି। ବିଦ୍ୟାଳୟ(ଯୁକ୍ତ୨ କଲେଜ)କୁ ନ ଆସି କୌଣସି ପରୀକ୍ଷା ନ ଦେଇ ଏକାଥରେ ବାର୍ଷିକ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀ ଯେଉଁ ଅଭିନବ ଉଦ୍ୟମ କରୁଥି‌ଲେ, ତାହା ଫସର ଫାଟିଛି। ଏପରିକି ନକଲି ବାପା, ମା’ଙ୍କୁ ଭଡ଼ାରେ ଆଣି ଖସିଯିବା ଉଦ୍ୟମ ବେକାର ହୋଇଛି। ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ୨୮ଜଣ ଛାତ୍ରଛାତ୍ରୀ। ନାମଲେଖା ପରେ ନିୟମିତ କ୍ଲାସ୍‌କୁ ନ ଆସିବା, ଦୁଇ ବର୍ଷ ଭିତରେ କୌଣସି ଗୋଟିଏ ବି ପରୀକ୍ଷାରେ ଅଂଶଗ୍ରହଣ କରି ନ ଥିବାରୁ ଛାତ୍ରଛାତ୍ରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା କଲେଜ ଅଧ୍ୟକ୍ଷ ବିଷ୍ଣୁ ଚରଣ ଦାସ କହିଛନ୍ତି। ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଜ୍ୟର ପ୍ରମୁଖ କଲେଜ ଭାବେ ପରିଗଣିତ ହେଉଛି। ମାଟ୍ରିକ୍‌ ପରେ ଯୁକ୍ତ୨ ପଢ଼ିବା ସମୟରେ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ଏହି କଲେଜ ରହିଥାଏ। କିନ୍ତୁ ଏଠାରେ ନାମ ଲେଖାଇବା ପରେ କ୍ଲାସ୍‌ ନ କରିବା ଏଥର କିଛି ବିଶୃଙ୍ଖଳିତ ଛାତ୍ରଛାତ୍ରୀଙ୍କୁ ମହଙ୍ଗା ପଡ଼ିଛି। ଚଳିତବର୍ଷ ଏଠାରେ ୨୮ ଜଣ ଛାତ୍ରଙ୍କୁ ପରୀକ୍ଷା ଦେବାରୁ ବଞ୍ଚିତ କରାଯାଇଛି। ପରିଷଦର ନିୟମ ଓ ଷ୍ଟାଫ୍‌ କାଉନସିଲ୍‌ ବୈଠକର ନିଷ୍ପତ୍ତି ଅନୁଯାୟୀ ଏହି ପିଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ୨୦୧୭ରେ ନାମ ଲେଖାଇଥିବା ୧୨୪୮ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭ ଜଣ ବିଜ୍ଞାନ, ୮ ଜଣ ବାଣିଜ୍ୟ ଓ ୧୩ ଜଣ କଳା ବିଭାଗର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଅଯୋଗ୍ୟ ହୋଇଛନ୍ତି। ଯୁକ୍ତ୨ ଫର୍ମ ପୂରଣ ଶେଷ ହୋଇଥିଲେ ମଧ୍ୟ ସେମାନଙ୍କୁ ଅନୁମତି ଦିଆଯାଇ ନାହିଁ।

ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀ ଇତି ମଧ୍ୟରେ ଯୁକ୍ତ୨ ପରିଷଦ ଓ ଗଣଶିକ୍ଷା ବିଭାଗର ଦ୍ବାରସ୍ଥ ହୋଇ ନ୍ୟାୟ ପାଇଁ ଦାବି କରିଛନ୍ତି। ପରୀକ୍ଷା ଦେବାକୁ ଅନୁମତି ଦେବାକୁ ନିବେଦନ କରିଛନ୍ତି। ଏନେଇ କଲେଜ କର୍ତ୍ତୃପକ୍ଷଙ୍କଠାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଜବାବ ମଗାଯାଇଥିବା ବିଶେଷସୂତ୍ରରୁ ସୂଚନା ମିଳିଛି। ଅଧ୍ୟକ୍ଷ ଶ୍ରୀ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ପ୍ରତିବର୍ଷ ଏମିତି କିଛି ପିଲା ଅଛନ୍ତି, ଯେଉଁମାନେ ନାମ ଲେଖାଇବା ପରେ କ୍ଲାସ୍‌ କରିବାକୁ ଆସୁନାହାନ୍ତି। ବର୍ଷକୁ ଥରେ କି ଦୁଇଥର କ୍ଲାସ୍‌ କରୁଛନ୍ତି। ପୁଣି ଫର୍ମପୂରଣ ସମୟରେ ମେଡିକାଲ ସାର୍ଟିଫିକେଟ୍‌ ଦାଖଲ କରି ଖସି ଯାଉଛନ୍ତି। ଶିକ୍ଷାବର୍ଷ ମଧ୍ୟରେ ଏନେଇ ଅଭିଭାବକଙ୍କୁ ଆମେ ଜଣାଇବାକୁ ଚାହିଁଲେ ମଧ୍ୟ ତାହା ଫଳପ୍ରଦ ହେଉନାହିଁ। ଅଭିଭାବକ କଲେଜକୁ ଆସୁନାହାନ୍ତି। ତେଣୁ ଏଥର ଅଧିକ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିୟମ ଅନୁଯାୟୀ ଷ୍ଟାଫ୍‌ କାଉନସିଲ୍‌ ବୈଠକର ସୁପାରିସ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୨୦୧୬, ୨୦୧୭ ଓ ୨୦୧୮ ଯୁକ୍ତ୨ ପରୀକ୍ଷା ପୂର୍ବରୁ କିଛି ପିଲା ଧରା ପଡ଼ିଥିଲେ। କଲେଜ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ଅଭିଭାବକଙ୍କୁ ଅବଗତ କରିବା ପାଇଁ ଡକାଯାଇଥିଲା। କିନ୍ତୁ ପିଲାମାନେ ଦୋଷ ଲୁଚାଇବାକୁ ବାହାର ଲୋକଙ୍କୁ ଆଣି ନିଜର ଅଭିଭାବକ ଭାବେ ଛିଡ଼ା କରାଇଥିଲେ। ୭ରୁ ୮ଜଣ ଧରା ପଡ଼ିଥିଲେ। ସେମାନଙ୍କୁ ପୁଲିସ ଜିମା ବି ଦିଆଯାଇଥିଲା। ଭୁଲ୍‌ ମାଗିବା ପରେ ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଛାଡ଼ି ଦିଆଯାଇଥିଲା।

ସମ୍ବନ୍ଧିତ ଖବର