ବାଣୀବିହାର ସୁରକ୍ଷା ପାଇଁ ଏକାଠି ହେଲେ ଛାତ୍ରଛାତ୍ରୀ, କୁଳପତିଙ୍କୁ ୫ ଘଣ୍ଟା ଘେରାଉ

କୁଳପତିଙ୍କୁ ପିଆଇଲେ ଗୋଳିଆ ପାଣି, କ୍ୟାମେରା ଭାଙ୍ଗିଲେ, ପୁଲିସ ସହ ଧସ୍ତାଧସ୍ତି, ପାଠପଢ଼ା ବନ୍ଦ, ଦୁଇ ବିଦ୍ୟାର୍ଥୀ ଅଚେତ

ଭୁବନେଶ୍ବର : ଭୁଶୁଡ଼ୁଥିବା ବାଣୀବିହାର ଭିତ୍ତିଭୂମି ସଜାଡ଼ିବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ଛାତ୍ର ସଙ୍ଗଠନ ଓ ଛାତ୍ରଛାତ୍ରୀ ଆଜି ଏକାଠି ହୋଇଛନ୍ତି। କୁଳପତି ପ୍ରଫେସର୍‌ ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ୫ ଘଣ୍ଟା ଘେରାଉ କରିବା ସହ ତାଙ୍କୁ ଗୋଳିଆ ପାଣି ପିଆଇଛନ୍ତି। ବିଶ୍ବବିଦ୍ୟାଳୟ କ୍ୟାମେରାମ୍ୟାନ୍‌ଙ୍କ କ୍ୟାମେରା ଭାଙ୍ଗିଛନ୍ତି। ପୁଲିସ ସହ ବି ଧସ୍ତାଧସ୍ତି କରିଛନ୍ତି। ମାସକ ଭିତରେ କ୍ୟାମ୍ପସର ପୁନରୁଦ୍ଧାର କରା ନଗଲେ ନିଆଁ ଜଳିବ ବୋଲି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି।

ସମସ୍ୟା ଭିତରେ ବୁଡ଼ି ରହିଥିବା ବାଣୀବିହାରର ସ୍ଥିତିକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁହୁଳୁଥିବା ଅସନ୍ତୋଷ ଆଜି ଉଗ୍ରରୂପ ଧାରଣ କରିଥିଲା। ସକାଳୁ ଦୁଇ ହଜାରରୁ ଅଧିକ ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟ ଆଡ଼କୁ ଅଗ୍ରସର ହୋଇଥିଲେ। ତାଙ୍କ କାର୍ଯ୍ୟାଳୟ ନିକଟରେ ହୋହାଲ୍ଲା କରିବା ସହ ଇସ୍ତଫା ଦାବି କରିଥିଲେ। କୁଳପତି ପ୍ରଫେସର୍‌ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସମୟରେ କ୍ୟାମ୍ପସରେ କିଛି ବି ବିକାଶ ହୋଇନାହିଁ। ଇଟା ଖଣ୍ଡିଏ ବି ପଡ଼ିନି, ବରଂ ନଷ୍ଟ ହେବାରେ ଲାଗିଛି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ।

ସେମାନେ ଆହୁରି ଅଭିଯୋଗ କରିଥିଲେ ଯେ ହାତଗଣତି କିଛି ଅଧିକାରୀଙ୍କୁ ମୋହରା କରି କୁଳପତି ମନମାନି ଚଳାଇଛନ୍ତି। ବାତ୍ୟା ଫନିକୁ ସାଢ଼େ ୪ମାସ ବିତିଥିଲେ ମଧ୍ୟ ପାଚେରି ମରାମତି ହେଉନି, ଷ୍ଟ୍ରିଟ୍‌ ଲାଇଟ୍ ଅଚଳ, ୨୦ କୋଟି ଟଙ୍କାର ୫ଟି କୋଠା କାର୍ଯ୍ୟକ୍ଷମ ହୋଇପାରୁନି, ହଷ୍ଟେଲଗୁଡ଼ିକରୁ ପାଣି ଗଳୁଛି, ଛାତ୍ରୀନିବାସର ଛାତରୁ ପଲସ୍ତରା ଖସୁଛି, ପ୍ରବେଶିକା ପରୀକ୍ଷା ଫି’, ହଷ୍ଟେଲ ଫି’ ଆଦି ଦୁଇଗୁଣ ବୃଦ୍ଧି କରାଯାଇଛି, ବସ୍ତିଗୁଡ଼ିକ କ୍ୟାମ୍ପସ ଭିତରେ ଧସେଇ ପଶୁଥିଲେ ମଧ୍ୟ କୁଳପତି ଏ ଦିଗରେ ପଦକ୍ଷେପ ନେଉନାହାନ୍ତି। କିନ୍ତୁ ବିଶ୍ବବିଦ୍ୟାଳୟ ବିକାଶ ପାଇଁ ଆସିଥିବା କୋଟିଏ ଟଙ୍କା ଖର୍ଚ୍ଚରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି। ଅଢ଼େଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଗୋଟିଏ ବି ଉନ୍ନତିମୂଳକ କାର୍ଯ୍ୟ କରିନାହାନ୍ତି। ଏବେ ହଠାତ୍‌ କ’ଣ ଲାଗି ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ଆବଶ୍ୟକତା ପଡ଼ିଲା ବୋଲି ‌ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି। ପ୍ରତିମୂର୍ତ୍ତି କରାଯାଉ, ଏଥିରେ ଆପତ୍ତି ନାହିଁ। କିନ୍ତୁ ଏହା ପୂର୍ବରୁ କ୍ୟାମ୍ପସରେ ଲାଗି ରହିଥିବା ସମସ୍ୟାଗୁଡ଼ିକର ସମାଧାନ କରାଯାଉ ବୋଲି ସେମାନେ ଦାବି କରିଥିଲେ।

ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳକୁ ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିବାରୁ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଛାତ୍ରଛାତ୍ରୀମାନେ କୁଳପତିଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ଘେରି ଯାଇଥିଲେ। ଏହାକୁ ନେଇ ପୁଲିସ ଓ ଛାତ୍ରଛାତ୍ରୀ ହାତାହାତି ହୋଇଥିଲେ। ଜଣେ ଛାତ୍ରୀଙ୍କୁ ପୁଲିସ ଅଧିକାରୀ ଟଣାଓଟରା କରିଥିଲେ। ଯାହାକୁ ନେଇ ଉତ୍ତେଜନା ବୃଦ୍ଧି ପାଇଥିଲା। ଛାତ୍ର ଆନ୍ଦୋଳନ ଉଗ୍ର ହେଉଥିବା ଦେଖି ଭୁବନେଶ୍ବର ଡିସିପି ଅନୁପ ସାହୁଙ୍କ ସମେତ ୪ ପ୍ଲାଟୁନ୍‌ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫୋର୍ସ ଦେଖିବା ପରେ ଛାତ୍ରଛାତ୍ରୀମାନେ ଚିହିଁକି ଉଠିଥିଲେ। ତୁରନ୍ତ ଫୋର୍ସ ହଟାଇବାକୁ ସେମାନେ ଡିସିପି ଶ୍ରୀ ସାହୁଙ୍କୁ କହିଥିଲେ। ନ ହେଲେ ଭୟଙ୍କର ପରିସ୍ଥିତି ଉପୁଜିବ ବୋଲି ଚେତାବନୀ ଦେଇଥିଲେ। ଏହା ଦେଖି ଡିସିପି ଫୋର୍ସକୁ ଫେରାଇ ନେଇଥିଲେ।

ସେପଟେ ହଜାରେ ଛାତ୍ରଛାତ୍ରୀ କୁଳପତିଙ୍କୁ ଘେରି ରହିଥିଲେ। କାର୍ଯ୍ୟାଳୟରୁ ବାହାରିବାର କୌଣସି ବାଟ ନ ପାଇ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ବେଳକୁ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାକୁ କୁଳପତି ରାଜି ହୋଇଥିଲେ। ଛାତ୍ରଛାତ୍ରୀଙ୍କ ୨୦ ଜଣିଆ ଏକ ପ୍ରତିନିଧି ଦଳ କୁଳପତି ପ୍ରଫେସର ପଟ୍ଟନାୟକଙ୍କୁ ‌ଭେଟିବାକୁ ଯାଇଥିଲା। ଆଲୋଚନାକୁ ଯିବା ସମୟରେ ବିଶ୍ବବିଦ୍ୟାଳୟ ପକ୍ଷରୁ ନିୟୋଜିତ କ୍ୟାମେରାମ୍ୟାନ୍‌ ଛାତ୍ରଛାତ୍ରୀଙ୍କ ଫଟୋ ଉଠାଇଥିଲେ। ଏହାକୁ ବିରୋଧ କରି ଛାତ୍ରମାନେ କ୍ୟାମେରା ଭାଙ୍ଗି‌ ଦେଇଥିଲେ। କୁଳପତିଙ୍କ କାର୍ଯ୍ୟାଳୟ ପରିସରରେ ଦେଢ଼ ଘଣ୍ଟାର ରୁଦ୍ଧଦ୍ବାର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀଙ୍କ ୧୦ଦଫା ଦାବି ଉପରେ ଆଲୋଚନା ‌ହୋଇଥିଲା। ଏହି ସମୟରେ ଜଣେ ଛାତ୍ରୀ ହଷ୍ଟେଲରୁ ବାହାରୁଥିବା ଗୋଳିଆ ପାଣିକୁ କୁଳପତିକୁ ପିଇବା ପାଇଁ ଦେଇଥିଲେ। କୁଳପତି ପ୍ରଫେସର ପଟ୍ଟନାୟକ ପ୍ରଥମେ ଅରାଜି ହେଉଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଥିଲେ। ବୋତଲରେ ଥିବା ଅଧ ଲିଟର ଗୋଳିଆ ପାଣିକୁ ପିଇଥିଲେ। ଆଲୋଚନା‌ ସମୟରେ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା। କେଉଁ ପରିସ୍ଥିତିରେ ଓ କିଭଳି ଭାବେ ଛାତ୍ରୀମାନେ ହଷ୍ଟେଲରେ ରହୁଛନ୍ତି, ସେ ବିଷୟରେ କୁଳପତିଙ୍କୁ ଅବଗତ କରାଇଥିଲେ। ଗାନ୍ଧୀ ଜୟନ୍ତୀରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାକୁ ଯେଉଁ ଚକ୍ରାନ୍ତ ଚାଲିଛି, ତାହାକୁ ବନ୍ଦ କରିବାକୁ ଦାବି କରିଥିଲେ। ଯେ‌ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି, କାମ ନ କରିବାକୁ ଚେତାବନୀ ଦେଇଥିଲେ।

ଦାବିଗୁଡ଼ିକ ଶୁଣିବା ପରେ କେବେ ସୁଦ୍ଧା ସେଗୁଡ଼ିକ ପୂରଣ ହେବ, କୁଳପତି ଲିଖିତ ଆକାରରେ ଛାତ୍ରଛାତ୍ରୀଙ୍କୁ ଦେଇଥିଲେ। ଅପରାହ୍‌ଣ ପ୍ରାୟ ୩ଟା ବେଳକୁ ପୁଲିସ ସୁରକ୍ଷା ମଧ୍ୟରେ କୁଳପତି କାର୍ଯ୍ୟାଳୟ ବାହାରକୁ ଆସି ଛାତ୍ରଛାତ୍ରୀଙ୍କ ଆଗରେ ଦାବିଗୁଡ଼ିକ କେବେ ସୁଦ୍ଧା ପୂରଣ ହେବ ସେନେଇ ଘୋଷଣା କରିଥିଲେ। ଏହାପରେ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହରିଥିଲେ। ତେବେ ନିର୍ଦ୍ଧାରିତ ସମୟସୀମା ମଧ୍ୟ‌‌ରେ ଦାବି ପୂରଣ କରାନଗଲେ, କ୍ୟାମ୍ପସରେ ନିଆଁ ଜଳିବ ବୋଲି କହିଛନ୍ତି।

କୁଳପତିଙ୍କ ପ୍ରତିଶ୍ରୁତି

ମୁଖ୍ୟ ପ୍ରବେଶ ପଥ ସ୍ଥାନାନ୍ତର ଲାଗି ୩ ଦିନ ମଧ୍ୟରେ ବିଏମ୍‌ସି ଓ ପୁଲିସ କମିସନରଙ୍କୁ ଚିଠି ଲେଖାଯିବ
‌ସେପ୍ଟେମ୍ବର ୩୦ ସୁଦ୍ଧା କ୍ୟାମ୍ପସ୍‌ରେ ଉଡ଼ିବ ବିଶାଳ ଜାତୀୟ ପତାକା
ପ୍ରବେଶିକା ପରୀକ୍ଷା‌ ଫି’ ହିସାବ କରାଯାଇ ପିଲାଙ୍କୁ ବଳକା ଫି’ ଫେରସ୍ତ ହେବ
୨୦ ଟଙ୍କା ଭଡ଼ାରେ ହଷ୍ଟେଲରେ ୭ ଦିନ ରହିପାରିବେ ଛାତ୍ରଛାତ୍ରୀଙ୍କ ଅତିଥି
୧୪ ଦିନ ଭିତରେ କ୍ୟାମ୍ପସରୁ ବସ୍ତି ଉଚ୍ଛେଦ, ଲାଗିବ ସିସିଟିଭି
ସେପ୍ଟେମ୍ବର ସୁଦ୍ଧା ଲାଙ୍ଗୁଏଜ୍‌ ବ୍ଲକ, ଅକ୍ଟୋବର ସୁଦ୍ଧା ଇ-ଲାଇବ୍ରେରି
ଏକ ମାସ ମଧ୍ୟରେ ଇନ୍‌ଷ୍ଟ୍ରୁମେଣ୍ଟେସନ ସେଣ୍ଟର କାମ ସରିବ
ଦୁଇ ଦିନ ମଧ୍ୟରେ ୭ ନମ୍ବର ହଷ୍ଟେଲ ସମସ୍ୟାର ସମାଧାନ
୧୫ ଦିନରେ ହଷ୍ଟେଲ ଓ ଶୌଚାଳୟ ମରାମତି, ଖଟ ପରିବର୍ତନ
୭ ଦିନରେ ସବୁ ହଷ୍ଟେଲରେ ଲାଗିବ ବଡ଼ ଆକ୍ବାଗାର୍ଡ
୭ ଦିନରେ ଆମ୍ବୁଲାନ୍ସ ଡ୍ରାଇଭର ନିଯୁକ୍ତି
ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ନର୍ସ ନିଯୁକ୍ତି ପାଇଁ ଦୁଇ ଦିନ ମଧ୍ୟରେ ଚିଠି
ପବ୍ଲିକ ଆଡମିନି‌ଷ୍ଟ୍ରେସନ୍‌ ଓ ଜର୍ଣ୍ଣାଲିଜିମ୍‌ ବିଭାଗ ସମସ୍ୟା ନେଇ ୭ ଦିନ ମଧ୍ୟରେ ଆଲୋଚନା
ପରୀକ୍ଷା ସରିବାର ୪୦ ଦିନ ମଧ୍ୟରେ ପ୍ରକାଶ ପାଇବ ସମସ୍ତ ଫଳ

ସମ୍ବନ୍ଧିତ ଖବର