ଭୁବନେଶ୍ବର: ରକ୍ତ କର୍କଟ ରୋଗରେ ପୀଡ଼ିତା ଜଣେ ଅଧ୍ୟାପିକାଙ୍କ ଚିକିତ୍ସା ପାଇଁ ଆଗେଇ ଆସିଛନ୍ତି ତାଙ୍କ ପୁରାତନ ଛାତ୍ରଛାତ୍ରୀମାନେ। ସେମାନଙ୍କ ମଧ୍ୟରୁ ଅନେକ ରୋଜଗାରକ୍ଷମ ହୋଇନଥିଲେ ମଧ୍ୟ ସେମାନଙ୍କ ପ୍ରିୟ ଶିକ୍ଷୟିତ୍ରୀଙ୍କ ଚିକିତ୍ସା ପାଇଁ ଅଭାବ ପଡ଼ୁଥିବା ଖର୍ଚ୍ଚ ଭରଣା କରିବାକୁ ଅଣ୍ଟା ଭିଡ଼ିଛନ୍ତି। ମିଲାପ ଫଣ୍ଡ ରେଜର୍ ଠାରୁ ଆରମ୍ଭ କରି ଫୋନ୍ ପେ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଅର୍ଥ ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି। ଜଣେ ଶିକ୍ଷୟିତ୍ରୀଙ୍କ ପାଇଁ ଛାତ୍ରଛାତ୍ରୀମାନଙ୍କ ଏହି ଉଦ୍ୟମ ଅନେକ ଲୋକଙ୍କୁ ସହଯୋଗ କରିବାକୁ ବାଧିତ କରୁଥିବା ଜଣାପଡ଼ିଛି ଓ ଦିନକୁ ଦିନ ଆର୍ଥିକ ସହାୟତା ବଢ଼ୁଥିବା ଜଣାପଡ଼ିଛି। ଛାତ୍ରଛାତ୍ରୀମାନଙ୍କ ଏହି ଉଦାହରଣଯୋଗ୍ୟ ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।
ରାଜଧାନୀର ଏକ ଘରୋଇ କଲେଜରେ ଅଧ୍ୟାପନା କରନ୍ତି ରୋନିସ୍ମିତା ମିଶ୍ର। ତାଙ୍କ ସ୍ବାମୀ ଏକ ଘରୋଇ କମ୍ପାନିରେ କାମ କରନ୍ତି। ଦୁଇ ଜଣଙ୍କର ସ୍ବଳ୍ପ ଦରମା। ଗତ ୬ ଦିନ ତଳେ ରୋନିସ୍ମିତା ରକ୍ତ କର୍କଟରେ ପୀଡ଼ିତ ବୋଲି ଜଣାପଡ଼ିବା ପରେ ତାଙ୍କୁ ଏବେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ସୂଚନାନୁସାରେ ରୋଗ ଏବେ ପ୍ରାଥମିକ ଷ୍ଟେଜ୍ରେ ଅଛି। ଏବେଠାରୁ ଉପଯୁକ୍ତ ଚିକିତ୍ସା କରାଗଲେ, ବଞ୍ଚିବା ଆଶା ବହୁତ। ତେବେ ଏଥିପାଇଁ ୧୫ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେବ ବୋଲି ଡାକ୍ତର କହିଛନ୍ତି। ମାତ୍ର ରୋନିଙ୍କ ପରିବାରର ଏତେ ସମ୍ବଳ ନାହିଁ। ସ୍ବାମୀ-ସ୍ତ୍ରୀଙ୍କ ସ୍ବଳ୍ପ ରୋଜଗାର ରାଜଧାନୀରେ ଚଳିବା ପାଇଁ ଯଥେଷ୍ଟ ହେଉନାହିଁ। ସେ ଏବେ କିଟ୍ ବିଶ୍ବବିଦ୍ୟାଳୟରେ ଅର୍ଥନୀତିରେ ପିଏଚ୍ଡି କରୁଥିବାରୁ ସେବାବଦରେ ବି ଖର୍ଚ୍ଚ ଦରକାର ପଡ଼ୁଛି।
ଏମିତି ସମୟରେ ରୋଗ ଦାଉ ସାଧିଛି। ତେଣୁ ୧୫ ଲକ୍ଷ ଟଙ୍କା କେଉଁଠୁ ଯୋଗାଡ଼ କରିବେ ବୋଲି ସେମାନେ ଚିନ୍ତାରେ ପଡ଼ିଛନ୍ତି। ତେବେ ଏବାବଦରେ ଖବର ପାଇବା ପରେ ତାଙ୍କ ଛାତ୍ରଛାତ୍ରୀମାନେ ଅଣ୍ଟା ଭିଡ଼ିଛନ୍ତି। ସେମାନେ ନିଜେ ନିଜେ କିଛି କିଛି ଟଙ୍କା ସଂଗ୍ରହ କରିବା ସହ ବିଭିନ୍ନ ଉତ୍ସରୁ ଦାନ ସଂଗ୍ରହ କରିବା ପାଇଁ ଲାଗି ପଡ଼ିଛନ୍ତି। ସେମାନେ ସୋସିଆଲ୍ ମିଡିଆରେ ଲୋକଙ୍କୁ ଅନୁରୋଧ କରିଛନ୍ତି। ସାହାଯ୍ୟ କରିବାକୁ ଚାହୁଥିବା ବ୍ୟକ୍ତି ବା ଅନୁଷ୍ଠାନ ମୋବାଇଲ ନମ୍ବର ୯୭୭୬୬୧୧୭୬୪ରେ ଯୋଗାଯୋଗ କରିବା ପାଇଁ ରୋନିଙ୍କ ଛାତ୍ରଛାତ୍ରୀମାନେ ଅନୁରୋଧ କରିଛନ୍ତି।