ଭୁବନେଶ୍ବର: ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଭୁବନେଶ୍ବର ଏମ୍ସ ଆଉ ଏକ ମାଇଲ୍ଖୁଣ୍ଟ ହାସଲ କରିଛି। ଦିଲ୍ଲୀ ଏମ୍ସ ପରେ ଭୁବନେଶ୍ବରରେ ଏମ୍ବିବିଏସ୍ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିବାକୁ ଦେଶର ବିଭିନ୍ନ ପ୍ରାନ୍ତର ଛାତ୍ରଛାତ୍ରୀ ଆଗ୍ରହ ଦେଖାଇଛନ୍ତି। ନିଟ୍ ପରୀକ୍ଷାରେ ଉନ୍ନତ ରୢାଙ୍କ ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀ ଭୁବନେଶ୍ବର ଏମ୍ସକୁ ଦ୍ବିତୀୟ ପସନ୍ଦ ଭାବେ ଚୟନ କରିଥିବା ପ୍ରଥମ ପର୍ଯ୍ୟାୟ କାଉନସେଲିଂର କଟ୍ ଅଫ୍ ରୢାଙ୍କ(ଏମ୍ସ)ରୁ ସୂଚନା ମିଳିଛି। ଦିଲ୍ଲୀ ଏମ୍ସର କଟ୍ ଅଫ୍ ରୢାଙ୍କ ୫୧ ରହିଥିବା ବେଳେ ଏହା ତଳକୁ ଭୁବନେଶ୍ବର ଏମ୍ସର କଟ୍ ଅଫ୍ ରୢାଙ୍କ ୫୬୯ ରହିଛି। ଯେତେବେଳେ କି ଭୁବନେଶ୍ବର ସମେତ ଦେଶରେ ପ୍ରତିଷ୍ଠା ହୋଇଥିବା ଅନ୍ୟ ଏମ୍ସଗୁଡ଼ିକ ପଛରେ ପଡ଼ିଛନ୍ତି।
ସର୍ବଭାରତୀୟ କୋଟାର ୧୫% ସିଟ୍ ଅଧୀନରେ ଆସୁଥିବା ଦେଶରେ ୧୯ଟି ଏମ୍ସର ଏମ୍ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମର ପ୍ରଥମ ରାଉଣ୍ଡ ରେଜଲ୍ଟ ପ୍ରକାଶ ସହ ୯ ତାରିଖ ସୁଦ୍ଧା କାଉନସେଲିଂ ସରିଛି। ଛାତ୍ରଛାତ୍ରୀ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ନିଜ ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିପାରିବେ। ପ୍ରଥମ ରାଉଣ୍ଡ କାଉନସେଲିଂରୁ ଜଣାପଡ଼ିଛି ଯେ ସାଧାରଣ ବର୍ଗରେ ନୂଆଦିଲ୍ଲୀ ଏମ୍ସର କଟ୍ ଅଫ୍ ରୢାଙ୍କ ୫୧ ରହିଛି। ଯେତେବେଳେ ଭୁବନେଶ୍ବର ଏମ୍ସର ୫୬୯, ଭୋପାଳ ଏମ୍ସର ୫୯୧, ଯୋଧପୁର ଏମ୍ସର ୭୮୬, ଋଷିକେଶ ଏମ୍ସର ୧୩୦୦, ରାୟପୁର ଏମ୍ସର ୧୫୮୮, ପାଟଣା ଏମ୍ସର ୧୮୫୦, ନାଗପୁର ଏମ୍ସର ୨୫୩୭, ରାଜକୋଟ ଏମ୍ସର ୩୦୮୫, ବିବିନଗର ଏମ୍ସର କଟ୍ ଅଫ୍ ରୢାଙ୍କ ୩୦୮୬ ରହିଛି। ଅର୍ଥାତ୍ ନିଟ୍ ପରୀକ୍ଷାରେ ଭଲ ରୢାଙ୍କ ପାଇଥିବା ଛାତ୍ରଛାତ୍ରୀଙ୍କ ପସନ୍ଦର ଏମ୍ସ ପାଲଟିଛି ଦିଲ୍ଲୀ, ଭୁବନେଶ୍ବର ଓ ଭୋପାଳ।
ଭୁବନେଶ୍ବର ଏମ୍ସ କର୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଏଠାକାର ଶୈକ୍ଷିକ ବାତାବରଣ ଉନ୍ନତମାନ। ଯେଉଁଥିପାଇଁ ଡାକ୍ତରୀ ଶିକ୍ଷା ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଏଠାରେ ପଢ଼ିବାକୁ ପସନ୍ଦ କରୁଛନ୍ତି। ଏଥିସହ ଏହି ଶିକ୍ଷାନୁଷ୍ଠାନରୁ ପାସ୍ କରିଥିବା ଛାତ୍ରଛାତ୍ରୀ ପରବର୍ତୀ ସମୟରେ ଦେଶର ଅଗ୍ରଣୀ ଅନୁଷ୍ଠାନଗୁଡ଼ିକରେ ନାମ ଲେଖାଉଛନ୍ତି। ବିଶେଷକରି ଓଡ଼ିଶା ସମେତ ଦକ୍ଷିଣ ଭାରତୀୟ ଛାତ୍ରଛାତ୍ରୀଙ୍କ ପସନ୍ଦର ଶିକ୍ଷାନୁଷ୍ଠାନ ପାଲଟିଛି ଭୁବନେଶ୍ବର ଏମ୍ସ। ପ୍ରତିବର୍ଷ ଏମ୍ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମ ଲେଖାଉଥିବା ଅଧିକାଂଶ ଛାତ୍ରଛାତ୍ରୀ ଦକ୍ଷିଣ ଭାରତୀୟ। ଏଥିସହ ଦେଶର କୋଣ ଅନୁକୋଣରୁ ଛାତ୍ରଛାତ୍ରୀ ବି ଏଠାରେ ପଢ଼ିବାକୁ ଆସୁଛନ୍ତି। ଏକ ଦଶନ୍ଧିରୁ କମ୍ ବୟସର ଏହି ଶିକ୍ଷାନୁଷ୍ଠାନ ଏବେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ୨୦୧୮ ଓ ୨୦୧୯ ପିଜି ପ୍ରବେଶିକା ପରୀକ୍ଷାରେ ଏମ୍ସ ଭୁବନେଶ୍ବରର ଦୁଇ ଜଣ ଛାତ୍ର ନୂଆଦିଲ୍ଲୀ ଏମ୍ସ ଟପର୍ ହୋଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/aiims.jpg)