ଭୁବନେଶ୍ୱର: ‘ମୁଁ କିଏ’ , ‘କାହିଁକି’ ଆଦି ପ୍ରଶ୍ନର ଉତ୍ତର ଖୋଜେ ଦର୍ଶନଶାସ୍ତ୍ର। ତେଣୁ ଏହାକୁ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ପ୍ରଶ୍ନ ପଚାରିବାକୁ ସାହସ ରଖିବା ଉଚିତ। ବର୍ତ୍ତମାନ ଯେତେବେଳେ ନେତୃତ୍ୱ‌ର ସଙ୍କଟ ପରିଲକ୍ଷିତ ହେଉଛି, ସେତେବେଳେ ଏହି ଛାତ୍ରଛାତ୍ରୀମାନେ ପ୍ରଶ୍ନ ପଚାରିବାର ଆବଶ୍ୟକତା ରହିଛି। ନଚେତ୍ ଦର୍ଶନଶାସ୍ତ୍ରର ଉଦ୍ଦେଶ୍ୟ ସଫଳ ହେବ ନାହିଁ। ନିଖିଳ ଉତ୍କଳ ଦର୍ଶନ ପରିଷଦ ପକ୍ଷରୁ କମଳା ନେହରୁ ମହିଳା ମହାବିଦ୍ୟାଳୟ ପରିସରରେ ସଭାପତି ପ୍ରଫେସର ବିଜୟାନନ୍ଦ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ୩୭ତମ ବାର୍ଷିକ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି। ଏଥିସହିତ ଦର୍ଶନଶାସ୍ତ୍ର ସମସ୍ତ ବିଭାଗର ଏକ ଅଂଶ ହୋଇଥିବାରୁ ଏହାକୁ ସର୍ବସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ମାତୃଭାଷା ଉତ୍କୃଷ୍ଟ ମାଧ୍ୟମ। ସମାଜରେ ନୂତନତ୍ୱ ଓ କ୍ରାନ୍ତିକାରୀ ପରିବର୍ତ୍ତନ ପାଇଁ ଦର୍ଶନଶାସ୍ତ୍ର ଓ ଅଧ୍ୟାପକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସେ ଦର୍ଶାଇଥିଲେ। 

ନିଖିଳ ଉତ୍କଳ ଦର୍ଶନ ପରିଷଦର ବାର୍ଷିକ ଅଧିବେଶନ 

Advertisment

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ପ୍ରଫୁଲ୍ଲ କୁମାର ମହାପାତ୍ର, ସରୋଜ କୁମାର ମହାନ୍ତି, ଜେନେରାଲ ସଭାପତି ପ୍ରଫେସର ରଞ୍ଜନ କୁମାର ପଣ୍ଡା ଯୋଗଦେଇ ଦର୍ଶନଶାସ୍ତ୍ରରେ ପ୍ରଶ୍ନ ପଚାରିବାର ଗୁରୁତ୍ୱ ଉପରେ ବିସ୍ତୃତ ଆଲୋଚନା କରିବା ସହିତ ନିଜ ନିଜର ଅଧ୍ୟାପନା ଜୀବନ ଉପରେ ଆଲୋକପାତ କରିଥିଲେ। ପରିଷଦର ସାଧାରଣ ସମ୍ପାଦକ ସଚ୍ଚୀନ୍ଦ୍ର ରାଉଳ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପ୍ରଫେସର ମୋହିନୀ ମହମ୍ମଦଙ୍କ ସମ୍ପାଦନାରେ ପରିଷଦର ଜର୍ଣ୍ଣାଲ ଉନ୍ମୋଚିତ ହୋଇଥିଲା। ଦର୍ଶନଶାସ୍ତ୍ର ବିଭାଗର ୬ଜଣ ପ୍ରାଧ୍ୟାପକ ଓ ପ୍ରାଧ୍ୟାପିକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ପ୍ରବନ୍ଧ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଓ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା। ସଭାକାର୍ଯ୍ୟ ପ୍ରାରମ୍ଭରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସଭାକାର୍ଯ୍ୟକୁ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗର ମୁଖ୍ୟ ଅଧ୍ୟାପିକା ଅଭିଜିତା ଦାସ ସଞ୍ଚାଳନ କରିଥିଲେ। ଶେଷରେ ମହାବିଦ୍ୟାଳୟର ଅତିଥି ଅଧ୍ୟାପକ ବୃନ୍ଦାବନ ମହାପାତ୍ର ଧନ୍ୟବାଦ ଦେଇଥିଲେ।