ଅନ୍‌ଲାଇନ୍‌ ପରୀକ୍ଷା ଦାବିରେ ୟୁଜି ଛାତ୍ରଛାତ୍ରୀ ଅଟଳ: ରାସ୍ତାରୁ ଉଠାଇନେଲା ପୁଲିସ

ଭୁବନେଶ୍ବର : ଯୁକ୍ତ ୩ (ୟୁଜି) ପଞ୍ଚମ ସେମିଷ୍ଟର୍‌ ପରୀକ୍ଷା ଅନ୍‌ଲାଇନ୍‌ରେ କରିବା ଦାବି ଜୋର୍‌ ଧରିଛି। ଗତକାଲି ପରି ଗୁରୁବାର ଦିନ ମଧ୍ୟ ରାଜ୍ୟର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ପୁଣିଥରେ ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନ କରିଛନ୍ତି। ରାସ୍ତାରୋକ କରିବା ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ବିରୋଧରେ ନାରାବାଜି କରିଛନ୍ତି। ଯଦି ତୁରନ୍ତ ନିଷ୍ପତ୍ତି ନିଆ ନଯାଏ, ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି। ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଆନ୍ଦୋଳନରେ ସାମିଲ ହୋଇଥିବାରୁ ପୁଲିସକୁ ବି ନାକେଦମ୍‌ ହେବାକୁ ପଡ଼ିଥିଲା। ଘଣ୍ଟାକରୁ ଅଧିକ ସମୟ ଧରି ରାସ୍ତା ଅବରୋଧ କରିବା ଦ୍ବାରା ଜନଗହଳିପୂର୍ଣ୍ଣ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ସାଧାରଣ ଜୀବନଯାତ୍ରା ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲା। ଶତାଧିକ ଗାଡ଼ି ଏକ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତା ଉପରେ ଅଟକି ରହିବାରୁ ଲୋକେ ନାହିଁ ନ ଥିବା ଅସୁବିଧ‌ାର ସମ୍ମୁଖୀନ ହୋଇଥିଲେ। ଭିଡ଼ ଭିତରେ ଆମ୍ବୁଲାନ୍ସ ଫସିଥିବାରୁ ଦୃଶ୍ୟ ବି ସାମ୍ନାକୁ ଆସିଥିଲା।

ସ୍ଥିତି ବିଗୁଡ଼ିଥିବା ଦେଖି ପୁଲିସ କଠୋର୍‌ ପଦକ୍ଷେପ ଗ୍ରହଣ କରିଥିଲା। ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନରୁ ହଟାଇବା ଲାଗି ଅଧିକ ପୁଲିସ ଫୋର୍ସ ମଗାଯିବା ସହ ସେମାନଙ୍କୁ ଘଉଡ଼ା ଯାଇଥିଲା। ୪ ପ୍ଲାଟୁନ୍‌ରୁ ଅଧିକ ପୁଲିସ ଏକାଠି ହୋଇ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଗୋଡ଼ାଇଥିଲେ। ‌ପୁଲିସର ପଦକ୍ଷେପକୁ ଦେଖି ଛାତ୍ରଛାତ୍ରୀ ଛତ୍ରଭଙ୍ଗ ଦେଇଥିଲେ। ଯିଏ ଯୁଆଡ଼େ ପାରିଲେ ଧାଇଁଲେ। ପୁଲିସ ଗୋଡ଼ାଇବା ସମୟରେ ଜଣେ ଛାତ୍ରୀ ଚେତା ହରାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ପାଣି ଛିଞ୍ଚନ କରାଯିବା ପରେ ସେ ସୁସ୍ଥ ହୋଇଥିଲେ। ଆନ୍ଦୋଳନର ନେତୃତ୍ବ ନେଉଥିବା ଛାତ୍ରଛାତ୍ରୀଙ୍କ ସମେତ ପ୍ରାୟ ୭୦ ଜଣଙ୍କୁ ପୁଲିସ ଉଠାଇ ନେଇ ପରବର୍ତୀ ସମୟରେ ଛାଡ଼ି ଦେଇଥିଲା। ଆନ୍ଦୋଳନକାରୀଙ୍କୁ ଉଠାଇନେବା ସମୟରେ ବି ଉତ୍ତେଜନା ପ୍ରକାଶ ପାଇଥିଲା।

ଛାତ୍ରଛାତ୍ରୀ ଆଜି ମଧ୍ୟ ସମାନ ଦାବି ଉପସ୍ଥାପନ କରିଛନ୍ତି। କରୋନାର ଦ୍ବିତୀୟ ଲହର ପରେ କଲେଜ ଖୋଲିବାର ବହୁତ କମ୍ ଦିନରେ ୪ର୍ଥ ସେମିଷ୍ଟର୍‌ ପରୀକ୍ଷା କରାଯାଇଛି। ଏହାପରେ ପଞ୍ଚମ ସେମିଷ୍ଟର ପାଇଁ ସମ୍ପୂର୍ଣ୍ଣ ଭାବେ ପାଠ୍ୟକ୍ରମ ଶେଷ ହୋଇନାହିଁ କି ପ୍ରାକ୍ଟିକାଲ୍ କ୍ଲାସ୍ ହୋଇନି। ମାତ୍ର ପଞ୍ଚମ ସେମିଷ୍ଟର୍‌ ପରୀକ୍ଷାକୁ ଅଫ୍‌ଲାଇନ୍ ମାଧ୍ୟମରେ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି। ଏହ‌ାଦ୍ବାରା ଶିକ୍ଷାବର୍ଷ ଠିକ୍‌ ସମୟରେ ଶେଷ ହେବ ନାହିଁ। ସଠିକ୍‌ ମାର୍କ ମଧ୍ୟ ମିଳିବ ନାହିଁ। ‌ତେଣୁ ପରୀକ୍ଷାକୁ ଅନ୍‌ଲାଇନ୍‌ରେ କରାଯାଉ। ନ ହେଲେ ବିନା ପରୀକ୍ଷାରେ ପରବର୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବା ନେଇ ବ୍ୟବସ୍ଥା ହେଉ।

ସମ୍ବନ୍ଧିତ ଖବର