ସ୍କୁଲ ଛାତରୁ ଡେଇଁ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା : ‌ସୋସିଆଲ ମିଡିଆରେ ଫଟୋ ଛାଡ଼ିବାରୁ ନିର୍ଯାତନା, ପିଇଟି ଶିକ୍ଷୟିତ୍ରୀଙ୍କୁ ବହିଷ୍କାର ଓ ଗିରଫ ଦାବି

ସ୍କୁଲରେ ତାଲା ପକାଇ ରାତିସାରା ଧାରଣାରେ ବସିଲେ ଛାତ୍ର

ଛାତ୍ରଛାତ୍ରୀଙ୍କ ମଉଜମସ୍ତିକୁ ସହି ପାରୁ ନଥିଲେ
ଛାତ୍ରୀଙ୍କ ବୟାନ ରେକର୍ଡ
ମୃତ୍ୟୁ ସହ ଲଢ଼େଇ କରୁଛନ୍ତି ଛାତ୍ରୀ

ଚନ୍ଦ୍ରଶେଖରପୁର : ପିଇଟି ଶିକ୍ଷୟିତ୍ରୀଙ୍କ ଅକଥନୀୟ ନିର୍ଯାତନା ସହି ନପାରି ଗତକାଲି ମଞ୍ଚେଶ୍ବରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ୩ ମହଲା ଛାତ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ନାଲ୍‌କୋ ଛକ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ଏହାର ପ୍ରତିବାଦରେ ଆଜି ଅଭିଭାବକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଜି ପୂର୍ବାହ୍ନରେ ୩ ଶହରୁ ଊର୍ଧ୍ବ ଅଭିଭାବକ ସ୍କୁଲ ପରିସରରେ ଥିବା ଡିସି କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ହୋ-ହଲ୍ଲା କରିଥିଲେ। ଅଭିଯୁକ୍ତ ଶିକ୍ଷୟିତ୍ରୀ ସୂର୍ଯ୍ୟମଣି ପଟ୍ଟନାୟକଙ୍କୁ ଚାକିରିରୁ ବହିଷ୍କାର କରିବା, ତାଙ୍କୁ ଗିରଫ କରାଯିବା ଓ ତାଙ୍କ ଦରମା ଅର୍ଥରେ ଛାତ୍ରୀଙ୍କ ଚିକିତ୍ସା କରିବା ପାଇଁ ବିକ୍ଷୋଭକାରୀମାନେ ଦାବି କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ଅପରପକ୍ଷରେ ଏହି ଘଟଣାରେ ଗୁରୁତର ଛାତ୍ରୀଙ୍କ ପରିବାରଲୋକ ଆଜି ମଞ୍ଚେଶ୍ବର ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଛାତ୍ରୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିବା ଜଣାଯାଇଛି।

ଅଭିଭାବକଙ୍କ ଅଭିଯୋଗ ହେଲା, ପିଇଟି ଶିକ୍ଷୟିତ୍ରୀ ସୂର୍ଯ୍ୟମଣି ପଟ୍ଟନାୟକ ଛୋଟ ଛୋଟ କଥାକୁ ନେଇ ଛାତ୍ରୀମାନଙ୍କୁ ନିର୍ଯାତନା ଦେଉଥିଲେ। ଏପରିକି ଚରିତ୍ରକୁ ଆକ୍ଷେପ କରି ମଧ୍ୟ ସେ ଛାତ୍ରଛାତ୍ରୀମାନଙ୍କୁ ଅଶ୍ଳୀଳ ଗାଳିଗୁଲଜ କରୁଥିଲେ। ତେବେ ଏତେ ସବୁ ଘଟଣା ଘଟିଯିବା ପରେ ମଧ୍ୟ ବିଦ୍ୟାଳୟ ଅଧ୍ୟକ୍ଷା ପ୍ରୀତି ରୟ ପିଇଟି ଶିକ୍ଷୟିତ୍ରୀଙ୍କ ଦୋଷକୁ ଘଣ୍ଟ ଘୋଡ଼ାଉଛନ୍ତି ବୋଲି ବିକ୍ଷୋଭକାରୀମାନେ ଅଭିଯୋଗ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଗତ ଦଶହରା ଛୁଟିରେ କିଛି ଛାତ୍ରଛାତ୍ରୀ ନିଜ ପରିବାର ସହ ବଣଭୋଜି ପାଇଁ ଯାଇଥିଲେ। ସେମାନେ ସେଠାରେ ଉଠାଇଥିବା କିଛି ଫଟୋକୁ ସୋସିଆଲ୍ ମିଡ଼ିଆରେ ଛାଡ଼ିଥିଲେ। ତେବେ ସୋସିଆଲ ମିଡିଆରେ ଛାତ୍ରଛାତ୍ରୀମାନଙ୍କ ଫଟୋ ଦେଖି ପିଇଟି ଶିକ୍ଷୟିତ୍ରୀ ସୂର୍ଯ୍ୟମଣିଙ୍କ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା। ଗତକାଲି ସେ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲର ଗୋଟିଏ ସ୍ଥାନକୁ ଡାକି ‘କାହିଁକି ଏଭଳି ଫଟୋ ଉଠାଇ ସୋସିଆଲ୍ ମିଡ଼ିଆରେ ଛାଡ଼ିଛ’ ବୋଲି କହି ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏହି ନିର୍ଯାତନା ସହି ନପାରି ଛାତ୍ରୀଜଣଙ୍କ ସ୍କୁଲର ୩ ମହଲା ଛାତ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଛାତ୍ରଛାତ୍ରୀମାନେ କୌଣସି ଭୋଜିଭାତ କିମ୍ବା ମନୋରଂଜନ ଉତ୍ସବରେ ଯୋଗ ଦେଇଥିବା ଜଣାପଡ଼ିଲେ ଶିକ୍ଷୟିତ୍ରୀଜଣଙ୍କ ସେମାନଙ୍କୁ ମାଡ଼ ମାରିବାର ପୂର୍ବରୁ ମଧ୍ୟ ନଜିର ରହିଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ସ୍କୁଲ୍‌ର ଅଭିଭାବକ ଓ ଶିକ୍ଷକ ସଂଘର ସଭାପତି କୃଷ୍ଣଚନ୍ଦ୍ର ପତି, ସଂପାଦକ ପୁଷ୍ପିତା ମହାପାତ୍ର, ସହ ସଂପାଦକ ସୌମ୍ୟା ପଣ୍ଡା, ରାଜେଶ ମହାନ୍ତି, ପ୍ରମୋଦ ବେହେରା ଓ ବିଜୟ ଦାସଙ୍କ ନେତୃତ୍ବରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ପରେ ଏକ ପ୍ରତିନିଧି ମଣ୍ଡଳୀ ଡିସି କାର୍ଯ୍ୟାଳୟ ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ। ଡିସି କାର୍ଯ୍ୟାଳୟ ମୁଖ୍ୟଙ୍କ କହିବା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସ୍କୁଲରେ ତାଲା ପକାଇ ରାତିସାରା ଧାରଣାରେ ବସିଲେ ଛାତ୍ର
ଚନ୍ଦ୍ରଶେଖପୁର ମଞ୍ଚେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ-୩ର ଏକାଦଶ ‌ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ନେଇ ବିରୋଧ ତେଜିବା‌ରେ ଲାଗିଛି। ଆଜି ରାତି ପ୍ରାୟ ୮ଟା ବେଳେ କେଭି-୩ର ଶତାଧିକ ପୁରାତନ ଓ ବର୍ତ୍ତମାନର ଛାତ୍ର ଏକାଠି ହୋଇ ସ୍କୁଲ୍ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ନ୍ୟାୟ ଦାବିରେ ସେମାନେ ସାରା ରାତି ଧାରଣାରେ ବସିବେ ବୋଲି କହିଛନ୍ତି। ଦିନ ବେଳା ସ୍କୁଲରେ ପରୀକ୍ଷା ଚାଲିଥିବାରୁ ଛାତ୍ରମାନେ ରାତିରେ ଧାରଣା ଦେଇଥିବା ଜଣାପଡ଼ିଛି। ନ୍ୟାୟ ପ୍ରଦାନ ନହେବା ପର୍ଯ୍ୟନ୍ତ ସେମାନେ ଶୀତ କାକରରେ ଧାରଣାରେ ବସି ରହିବେ ବୋଲି ଜଣାଇଛନ୍ତି। ସୂଚନାଯୋଗ୍ୟ, ଗତକାଲି ସ୍କୁଲର ପିଇଟି ଶିକ୍ଷୟିତ୍ରୀଙ୍କ ନିର୍ଯାତନା ସହି ନ ପାରି ଜଣେ ଛାତ୍ରୀ ସ୍କୁଲ କୋଠାର ୩ ମହଲା ଛାତରୁ ଡେଇଁ ଆତ୍ମହତ୍ୟ‌ା ଉଦ୍ୟମ କରିଥିଲେ। ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ସମ୍ବନ୍ଧିତ ଖବର