୧୨ ଛାତ୍ରଛାତ୍ରୀଙ୍କୁ ମିଳିନି ଯୁକ୍ତ୨ ଆଡମିଟ୍‌ କାର୍ଡ

ପରିଷଦ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ମାର୍ଚ୍ଚ ୬ରୁ ଆରମ୍ଭ ହେବାକୁ ଥିବାବେଳେ ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିନି ଆଡମିଟ୍‌ କାର୍ଡ। ଯେଉଁଥିପାଇଁ ବିଶ୍ୱଜିତ୍‌ ମେମୋରିଆଲ୍‌ ସାଇନ୍ସ କଲେଜର ୧୨ ଜଣ ଛାତ୍ରଛାତ୍ରୀ ଆଜି ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି।

କଲେଜ ଅଧ୍ୟକ୍ଷ ଡ. ମହେନ୍ଦ୍ର କୁମାର ସ୍ୱାଇଁ କହିଛନ୍ତି ଯେ ଛାତ୍ରଛାତ୍ରୀ ପରିଷଦରେ ପଞ୍ଜକରଣ କରିଛନ୍ତି। ହେଲେ ଅନଲାଇନ୍‌ ଫର୍ମ ପୂରଣରେ ବିଳମ୍ବ ହୋଇଥିବାରୁ ପରିଷଦ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲୁ। ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ପରିଷଦ କର୍ତୃପକ୍ଷ ସାହାଯ୍ୟ ନ କରିବାରୁ କୋର୍ଟ ଆଶ୍ରୟ ନେଇଥିଲୁ। ଆଇନ ଅନୁଯାୟୀ ପଦକ୍ଷେପ ନେଇ ସାହାଯ୍ୟ କରିବାକୁ କୋର୍ଟ ପରିଷଦ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି। ଏପରିକି ଗତ ୧୫ ତାରିଖରେ ନୟାଗଡ଼ ଜିଲ୍ଲାର ଏକ କଲେଜର ୪୯ ଜଣ ଛାତ୍ରଛାତ୍ରୀଙ୍କ ସମେତ କେତେକ କଲେଜର ଛାତ୍ରଛାତ୍ରୀଙ୍କୁ ଫର୍ମ ପୂରଣ କରିବାକୁ ଅନୁମତି ଦିଆଯାଇଛି। କିନ୍ତୁ ଆମ କଲେଜର ଛାତ୍ରଛାତ୍ରୀଙ୍କ ପ୍ରତି ଅନ୍ୟାୟ କରାଯାଉଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପରିଷଦର ଜଣେ ବରିଷ୍ଠ ଅଧିିକାରୀ କହିଛନ୍ତି ଯେ ଯେହେତୁ ସେମାନଙ୍କର ଫର୍ମ ପୂରଣ ହୋଇନି ତାଙ୍କୁ ଆଡମିଟ୍‌ କାର୍ଡ ଦେଇ ହେବନି। ସେମାନଙ୍କ ପରୀକ୍ଷା ପାଇଁ ପ୍ରଶ୍ନପତ୍ର, ଉତ୍ତର ଖାତା କିମ୍ବା ସିଟ୍‌ ବ୍ୟବସ୍ଥା ହୋଇନି। ତେଣୁ ଅନୁମତି ମିଳିବନି।

ସମ୍ବନ୍ଧିତ ଖବର