ଭୁବନେଶ୍ବର: ୟୁନିଟ୍-୬ସ୍ଥିତ ସରକାରୀ କ୍ବାର୍ଟରରେ ଖୋଲିଥିବା ସତ୍ୟଭାମା ଦେବୀ ମୂକବଧିର ଡିଗ୍ରି କଲେଜକୁ ବନ୍ଦ କରିବା ପାଇଁ ଷଡ୍‌ଯନ୍ତ୍ର ହେଉଥିବା ଅଭିଯୋଗ ହେଉଛି। ଏହା ପ୍ରତିବାଦରେ ଶ୍ରବଣ ଓ ବାକ୍‌ବାଧିତ ଛାତ୍ରମାନେ ରାଜ୍ୟପାଳଙ୍କ ନିକଟରେ ପୁନର୍ବିଚାର ପାଇଁ ଆବେଦନ କରିଛନ୍ତି। ସତ୍ୟଭାମା ଦେବୀ ୱେଲ୍‌ଫେୟାର ଟ୍ରଷ୍ଟ ପକ୍ଷରୁ ଉକ୍ତ ସରକାରୀ କ୍ୱାଟରରେ ଖୋଲାଯାଇଥିବା ଏହି ଶିକ୍ଷାନୁଷ୍ଠାନ ରାଜ୍ୟର ଏକମାତ୍ର ଡିଗ୍ରି କଲେଜ। ଏଠାରେ ପୂର୍ବରୁ ସତ୍ୟଭାମା ଦେବୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ଅନୁମତି ଦେଇଥିଲା। ପରେ ଏହାକୁ ଗୋଠପାଟଣାସ୍ଥିତ ଟ୍ରଷ୍ଟର ନିଜସ୍ୱ ଗୃହକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ଡିଗ୍ରି କଲେଜ ୟୁନିଟ-୬ ସ୍ଥିତ କ୍ୱାର୍ଟରରେ ଚାଲିଆସୁଥିଲା ଓ ସାଧାରଣ ପ୍ରଶାସନ ବିଭାଗ ପାଖରେ ଗୃହ କର ପୈଠ ହେଉଥିଲା। କିନ୍ତୁ ଏହି ସରକାରୀ କ୍ୱାର୍ଟରଟିକୁ ଫେରାଇନେବା ପାଇଁ ସାଧାରଣ ପଶାସନ ବିଭାଗ ଚିଠି କରିଛି। ଛାତ୍ରମାନଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏହି କଲେଜକୁ ଉଚ୍ଛେଦ ନକରିବାକୁ ସେମାନେ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି।