ଭୁବନେଶ୍ବର: ସନ୍ଦେହଜନକ ଅବସ୍ଥାରେ ଜଣେ ଫାର୍ମାସି ଛାତ୍ରଙ୍କ ମୃତଦେହକୁ ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲ୍‌ରୁ ଜବତ କରାଯାଇଛି। ସେ ହେଲେ ପୁରୀଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ସିପୁନ୍‌ ମୁରୁନୀ(୨୫)। ଏନେଇ ତମାଣ୍ଡୋ ଥାନା ପୁଲିସ କେସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଛି।  କାହିଁକି ସିପୁନ୍‌ ଏଭଳି ଚରମ ନିଷ୍ପତ୍ତି ନେଲେ? ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ସେ ଅନ୍‌ଲାଇନ୍‌ ଗେମ୍‌ରୁ ମାତ୍ରାଧିକ ଟଙ୍କା ଋଣ କରି ମାସିକ ଚାପରେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ପୁଲିସ ଜବତ କରିଥିବା ସୁଇସାଇଡ୍‌ ନୋଟ୍‌ ଓ ମୋବାଇଲ୍‌ ତଥ୍ୟକୁ ଯାଞ୍ଚ ପରେ ପ୍ରକୃତ ତତ୍ୟ ପଦାକୁ ଆସିବ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ଆଜି ସିପୁନ୍‌ଙ୍କ ପରୀକ୍ଷା ଥିବା ବେଳେ ସେ ପରୀକ୍ଷା ଦେବାକୁ ଆସିନଥିଲେ। କାହିଁକି ପରୀକ୍ଷା ଦେଲେ ନାହିଁ? କ’ଣ ହୋଇଛି? ସେ ନେଇ କଲେଜ୍‌ ପକ୍ଷରୁ ସିପୁନ୍‌ଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲା। ହେଲେ ସେ ଫୋନ୍‌ ନ ଉଠାଇବାରୁ କଲେଜ୍‌ କର୍ତୃପକ୍ଷ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ସିପୁନ୍‌ ଘରକୁ ଆସିନଥିବା ବେଳେ ପରୀକ୍ଷାକୁ ନଯିବା ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇଥିଲା। ପରିବାର ଲୋକ ଫୋନ୍‌ କରିଥିଲେ ବି ସେ ଜବାବ ଦେଇନଥିଲେ। ତେଣୁ ଅପରାହ୍ଣରେ ପରିବାରଲୋକ କଲେଜ୍‌ରେ ପହଞ୍ଚି କର୍ତୃପକ୍ଷଙ୍କୁ ଭେଟିଥିଲେ। ସ୍ଥାନୀୟ ପୁଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ସିପୁନ୍‌ କେଉଁଠି ରହନ୍ତି? କେହି ଜାଣିନଥିଲେ। ତେଣୁ ପୁଲିସ ତାଙ୍କର କିଛି ସାଙ୍ଗକୁ ଡାକି ପଚାରଉଚରା କରି ସେ ଏକ ଓୟୋ ହୋଟେଲ୍‌ରେ ରହୁଥିବା କିଛି ସାଙ୍ଗ କହିଥିଲେ। ଏହାପରେ ପୁଲିସ ଟିମ୍‌ ସହ ପରିବାର ଲୋକେ ଓ କଲେଜ୍‌ କର୍ତୃପକ୍ଷ ହୋଟେଲ୍‌କୁ ଯାଇଥିଲେ। ଓୟୋ ରେଜିଷ୍ଟ୍ରାର୍‌ ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ଗତ ମାସେ ହେବ ସିପୁନ୍‌ ହୋଟେଲ୍‌ରେ ରହୁଥିଲେ। ଓୟୋ କର୍ମଚାରୀଙ୍କୁ ପଚରା ଚରା ବେଳେ ସେମାନେ କହିଥିଲେ ଯେ ସିପୁନ୍‌ ହୋଟେଲ୍‌ରେ ଅଛନ୍ତି। ଏହାପରେ ତାଙ୍କ ରୁମ୍‌କୁ ଯାଇ କବାଟ୍‌ ବାଡ଼େଇଥିଲେ ବି ସେ ଜ କବାଟ ଖୋଲି ନଥିଲେ। ସନ୍ଦେହ ହେବାରୁ କବାଟ ଭଙ୍ଗାଯାଇଥିଲା। ସେ ଫ୍ୟାନ୍‌ରେ ଝୁଲୁଥିବା ଦେଖି ସମସ୍ତେ ହତବାକ୍‌ ହୋଇପଡ଼ିଥିଲେ। ତାଙ୍କୁ ଉଦ୍ଧାର କରି ତୁରନ୍ତ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ସିପୁନ୍‌ଙ୍କ ଭାଇ ତମାଣ୍ଡୋ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସନ୍ଧ୍ୟା କାରଣରୁ ଆସନ୍ତାକାଲି ବ୍ୟବଚ୍ଛେଦ ପରେ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଥାନା ପକ୍ଷରୁ କୁହାଯାଇଛି।

ମୁଁ ଆଉ କେତେ ମିଛ କହିବି, ମୃତ୍ୟୁ ପାଇଁ କେହି ଦାୟୀ ନୁହେଁ

Advertisment


ମୁଁ ଆଉ କେତେ ମିଛ କହିବି? ଗୋଟିଏ ମିଛକୁ ଲୁଚାଇବା ପାଇଁ ମୁଁ ଅନେକ ମିଛ କହିସାରିଛି? ଆଉ ମିଛି କହିପାରିବି ନାହିଁ କି କିଛି କହିପାରିବି ନାହିଁ। ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି। ବାପା, ବୋଉ ମୋତେ କ୍ଷମା କରିବ। ସୁଇସାଇଡ୍‌ ନୋଟ୍‌ରେ ଏଭଳି କିଛି ଲେଖା ସିପୁନ୍‌ଙ୍କ ମୃତ୍ୟୁ ପଛରେ ଅନେକ ରହସ୍ୟ ଛାଡ଼ିଯାଇଛି। ଯାହାକୁ ନେଇ ପୁଲିସ ତନାଘନା ଆରମ୍ଭ କରିଛି। 


ଘରୁ ଟଙ୍କା ଆଣି କଲେଜ୍‌ ଫି ଦେଉନଥିଲେ


ସିପୁନ୍‌ଙ୍କ ମୃତ୍ୟୁକୁ ନେଇ ରହସ୍ୟ ଲାଗି ରହିଥିବା ବେଳେ ଜଣାପଡ଼ିଛି ଯେ ସେ ଗତ ୫ମାସ ହେବ କଲେଜ୍‌ ଆସୁନଥିଲେ। କଲେଜ୍‌ ଫି ବି ଦେଉନଥିଲେ। ହେଲେ କଲେଜ୍‌ ଫି ବାବଦକୁ ଘରୁ ଟଙ୍କା ଆଣୁଥିଲେ। ଏହାଛଡ଼ା ସେ କିଛି ସାଙ୍ଗଙ୍କଠାରୁ ମଧ୍ୟ ଟଙ୍କା ନେଇଥିଲେ?  ତେବେ ସେ ଏତେ ଟଙ୍କା କରୁଥିଲେ କ’ଣ? ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଆଉ ଏକ ତଥ୍ୟ ଜଣାପଡ଼ିଛି ଯେ ସେ  ଗତ ମାସ ୧୮ ତାରିଖରୁ ଅର୍ଥାତ  ମାସେ  ଧରି ଓୟୋ ହୋଟେଲ୍‌ରେ ରହୁଥିଲେ। ହୋଟେଲ୍‌ କର୍ମଚାରୀଙ୍କୁ କହୁଥିଲେ ମୋର କନ୍ଧମାଳରେ ପ୍ରୋଜେକ୍‌ଟ ଚାଲିଛି। ହୋଟେଲ୍‌ରେ ରହିବା, ଟଙ୍କା ଧାର କରିବା, ଆଉ କଲେଜ୍‌ ଫି ନଦେବା ପଛରେ ଅନ୍‌ଲାଇନ୍‌ ଗେମ୍‌ କଥାକୁ ନେଇ ଚର୍ଚ୍ଚା ହେଉଛି। ସେ ଅନ୍‌ଲାଇନ୍‌ ଗେମ୍‌ରେ ବହୁ ଟଙ୍କା ହରାଇଥିବା କୁହାଯାଉଛି। ଯାହାକୁ ନଇେ ପୁଲିସ ତଦନ୍ତ କରୁଛି।