ତ୍ରିଶୂଳିଆ: ବାରଙ୍ଗ ବ୍ଲକ୍ ରତାଗଡ଼ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ବଦଳି ଆଦେଶକୁ ବାତିଲ କରିବା ଦାବିକରି ଆଜି ଛାତ୍ରଛାତ୍ରୀମାନେ ସ୍କୁଲ୍ ଗେଟ୍ ସମ୍ମୁଖରେ ଧାରଣା ଦେଇଥିଲେ। ପିଲାମାନଙ୍କ ସହ କିଛି ଅଭିଭାବକ ଓ ଗ୍ରାମବାସୀ ସାମିଲ ହୋଇଥିଲେ। ଆନ୍ଦୋଳନରତ ପିଲାମାନେ ସ୍କୁଲ୍ ଗେଟ୍ ବନ୍ଦ କରି ରଖିବାରୁ ଶିକ୍ଷକମାନେ ସ୍କୁଲ୍ ଭିତରକୁ ପ୍ରବେଶ କରିପାରି ନଥିଲେ। ପୁଲିସ ବୁଝାସୁଝା କରିବା ପରେ ବି ଧାରଣା ପ୍ରତ୍ୟାହାର ନ ହେବାରୁ ବାରଙ୍ଗ ବିଇଓଙ୍କ ପର୍ଯ୍ୟନ୍ତ କଥା ଯାଇଥିଲା। ଶିକ୍ଷକ ବଦଳି ପ୍ରସଙ୍ଗରେ ପୁନର୍ବିଚାର କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ପିଲାମାନେ ଧାରଣାରୁ ହଟିଥିଲେ ଏବଂ ମଧ୍ୟାହ୍ନରେ ପାଠପଢ଼ା ଆରମ୍ଭ ହୋଇଥିଲା। ବିଇଓ ପ୍ରତିଶ୍ରୁତି ପାଳନ ନ କଲେ, ପୁଣି ଆନ୍ଦୋଳନ ହେବ ବୋଲି ଅଭିଭାବକମାନେ କହିଛନ୍ତି।
ଗ୍ରାମବାସୀଙ୍କ କହିବା କଥା ଏହି ବିଦ୍ୟାଳୟ ପାଇଁ ୮ଜଣ ଶିକ୍ଷକ ଆବଶ୍ୟକ। ମାତ୍ର ଅଛନ୍ତି ୫ଜଣ। ଏହାପରେ ବି ଶିକ୍ଷକ ଜଗନ୍ନାଥ ମାରାଣ୍ଡିଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଶିକ୍ଷକ ଶ୍ରୀ ମାରାଣ୍ଡି ଜଣେ ଭଲ ଶିକ୍ଷକ ଓ ପିଲାମାନଙ୍କ ପ୍ରିୟପାତ୍ର। ଏଣୁ ତାଙ୍କ ବଦଳିକୁ ବାତିଲ କରାଯାଉ ବୋଲି ଗ୍ରାମବାସୀମାନଙ୍କ ଦାବି। ପିଲାମାନେ ପ୍ଲାକାର୍ଡ ଧରି ଧାରଣାରେ ବସିଥିବା ବେଳେ ସେମାନଙ୍କୁ ସମର୍ଥନ କରି ଉପେନ୍ଦ୍ର ପଣ୍ଡା, ବସନ୍ତ ବିଶ୍ୱାଳ, ଧୈର୍ଯ୍ୟଧର ବେହେରା, ଶିବାନୀ ବେଜ୍, ସୌମ୍ୟରଞ୍ଜନ ନାୟକ ଓ ସ୍କୁଲ୍ ପରିଚାଳନା କମିଟି ସଭାପତି ଝରଣା ବେହେରା ପ୍ରମୁଖ ଅଭିଭାବକ ତଥା ଗ୍ରାମବାସୀମାନେ ସେଠାରେ ଉପସ୍ଥିତ ଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏସିପି ଶଶିକାନ୍ତ ରାଉତ, ଗୋଡ଼ିସାହି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ବୁଝାସୁଝା କରିଥିଲେ। ଏହାପରେ ବିଇଓଙ୍କ ସହ ଯୋଗାଯୋଗ କରାଯାଇଥିଲା ଏବଂ ସେ ଲିଖିତ ଆକାରରେ ଦାବିପତ୍ର ଦେବା ପାଇଁ କହିବା ପରେ ବିଇଓ ଓ ଡିଇଓଙ୍କ ଉଦ୍ଦେଶ୍ୟରେ ଦୁଇଟି ଦାବିପତ୍ର ପ୍ରଦାନ କରାଯାଇଥିଲା। ଅନୁରୂପଭାବେ ସାନମୁଣ୍ଡଳୀ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ବାତିଲ କରିବା ଦାବି କରି ଛାତ୍ରଛାତ୍ରୀମାନେ ଧାରଣା ଦେଇଥିବା ଜଣାପଡ଼ିଛି।