ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ ଏକ ଷ୍ଟୁଡିଓ। ସେଠାରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ସହ ଅନ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ ଭିଡିଓ ସୁଟିଂ, ଏଡିଟିଂ ବିଷୟରେ ତାଲିମ ଦିଆଯିବ। ବିଶ୍ୱବିଦ୍ୟାଳୟ ଲାଗି ମଧ୍ୟ ଭିଡିଓ ପ୍ରସ୍ତୁତ କରାଯିବ। ଆଉ ବାହାର ସଂସ୍ଥା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଏଥିସହ ବାଙ୍ଗାଲୋର ଓ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ସମେତ ଓଡ଼ିଶା ବାହାରେ ଥିବା ଶିକ୍ଷାନୁଷ୍ଠାନ ସହ ସାମ୍ବାଦିକତା ଓ ଗଣଯୋଗାଯୋଗ ଛାତ୍ରଛାତ୍ରୀଙ୍କ ଶିକ୍ଷା ବିନିମୟ କାର୍ଯ୍ୟକ୍ରମ କରାଯିବ। ଏନେଇ ଗତ ସପ୍ତାହରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ମୁଖ୍ୟଙ୍କ ସହ ଆଲୋଚନା ହୋଇଛି ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ କହିଛନ୍ତି। ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଏମ୍କେସିଜି ପ୍ରେକ୍ଷାଳୟରେ ଆୟୋଜିତ ‘ଆଫିନିଟି ୨୦୧୮’ର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୁଳପତି ପ୍ରଫେସର ପଟ୍ଟନାୟକ ଏହା କହିଛନ୍ତି। ପିଜି କାଉନ୍ସିଲ୍ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ସାମ୍ବାଦିକମାନେ ସତ୍ୟ ଖବର ପ୍ରକାଶ କରିବା ଦରକାର। କୌଣସି ଚାପରେ ପଛଘୁଞ୍ଚା ଦେବା ଉଚିତ ନୁହେଁ। ଯେତେବେଳେ ବି କୌଣସି ସଂସ୍ଥା ବିରୋଧରେ ଖବର ଲେଖୁଛନ୍ତି ସେତେବେଳେ କର୍ତୃପକ୍ଷଙ୍କ ମତାମତ ନିଅନ୍ତୁ। ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ସମ୍ପ୍ରସାରଣ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ସେ କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସାମାଜିକ ସଙ୍ଗଠନ ‘କନ୍ୟା ଅନ୍ମୋଲ୍ ହୈ’ର ଜାତୀୟ ସଂଯୋଜକ ସରୋଜ କୁମାର ଦାଶ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ପାଠପଢ଼ା ପରେ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ବଢ଼େ ବୋଲି ମତବ୍ୟକ୍ତ କରିଥିଲେ। ବିଭାଗୀୟ ସଂଯୋଜିକା ପ୍ରଫେସର ସ୍ୱର୍ଣ୍ଣମୟୀ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଲୋକ ପ୍ରଶାସନ ବିଭାଗ ମୁଖ୍ୟ ପ୍ରଫେସର ପଦ୍ମାଳୟା ମହାପାତ୍ର, ‘କଫିବାଇଟ୍’ର ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ, ଡ. ଅଶୋକ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସମସ୍ତ ଅତିଥିଙ୍କ ସମେତ ଡ. ରମାକାନ୍ତ ମହାନନ୍ଦ, ମିନତି ଭୋଳ ଓ ବୈକୁଣ୍ଠନାଥ ସ୍ୱାଇଁଙ୍କୁ ସମ୍ବର୍ଧିତ କରାଯାଇଥିଲା। ଛାତ୍ରୀ ଅନନ୍ୟା ମିହିର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ପରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।