ରାଜଧାନୀ ସରକାରୀ ସ୍କୁଲରେ ଆରମ୍ଭ ହେଲା ବୃତ୍ତିମେଳା : ଖେଳରେ ଖେଳରେ ପଢ଼ିଲେ ପାଠ

ଭୁବନେଶ୍ୱର: ଖେଳରେ ଖେଳରେ ସରକରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପଢ଼ାଯାଇଛି ପାଠ। ରାଜଧାନୀର ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍‌ ରହୁଥିବାରୁ ଆଜିଠାରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛି ବିଦ୍ୟାଳୟ ଗଣଶିକ୍ଷା ବିଭାଗ। ଭୁବନେଶ୍ୱର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସହରର ବିଭିନ୍ନ ସରକାରୀ ସ୍କୁଲରେ ଖେଳରେ ଖେଳରେ ପାଠପଢ଼ା ଆରମ୍ଭ ହୋଇଛି। ଯାହାର ନାମକରଣ ହୋଇଛି “ବୃତ୍ତିମେଳା”। ଏଥିରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବେଶବୁଶା ହୋଇ ସମାଜକୁ ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି। କିଏ ସୈନିକ ବେଶ ଧାରଣ କରିଛନ୍ତି ତ ଆଉ କିଏ ଫରେଷ୍ଟର ହୋଇଥିଲେ। କେହି କେହି ଡ୍ରାଇଭର, ମେକାନିକ, ସୈନିକ, କୃଷକ, ଡାକ୍ତର, ବାରିକ, ବୈଜ୍ଞାନିକ ପ୍ରଭୃିତି ବେଶ ହୋଇ ସେମାନଙ୍କ ଭବିଷ୍ୟତର ରୂପରେଖ ପ୍ରସ୍ତୁତ କରିଥିଲେ ସେକ୍ଟର-୬ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଆଜି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।

ଖୋର୍ଦ୍ଧା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅନିତା ପଟ୍ଟନାୟକ (ଡିପିସି) ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଉତ୍ସବରେ ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ ସସ୍ମିତା ମାଳୀଙ୍କ ସମେତ ୟୁଆର୍‌ସିସି ବିଦ୍ୟାଧର ସାହୁ, ଏବିପିଓ ଚୈତନ୍ୟ ଜେନା, କଲ୍ୟାଣୀ ମିଶ୍ର, ସ୍କୁଲର ପ୍ରଧାନ ଶିକ୍ଷକ ମଞ୍ଜୁଲତା ରଥ ପ୍ରମୁଖ ଉପସ୍ଥିିତ ଥିଲେ। ଭୁବନେଶ୍ୱର ମହାନଗର ଅଞ୍ଚଳରେ ଥିବା ୧୨୮ଟି ସରକାରୀ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେଥିମଧ୍ୟରୁ ୧୯ଟି ବିଦ୍ୟାଳୟକୁ ଅଧିକ ପ୍ରାଥମିକ ଦିଆଯାଇ ଏଠାରେ ଯେପରି ଅଧିକ କାର୍ଯ୍ୟକଳାପ ହୋଇପାରିବ ସେ ଦିଗରେ ଗୁରୁତ୍ତ୍ୱ ଦିଆଯାଇଥିଲା।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆର୍ଟମେଳା କରିବା ସହ କେତେକ ସ୍ଥାନରେ ମକ୍‌ ପାର୍ଲାମେଣ୍ଟ ମଧ୍ୟ ଅନୁଷ୍ଠିତ ହୋଇଛି। ଅଭିନୟ ମାଧ୍ୟମରେ ଛାତ୍ର୍ରଛାତ୍ରୀ ନିଜର ପ୍ରତିଭାକୁ ପ୍ରତିପାଦିତ କରିଛନ୍ତି। କେତେକ ସ୍ଥାନରେ ପିଲାମାନେ ଅତି ସୁନ୍ଦରଭାବେ ବୈଜ୍ଞାନିକ ଜ୍ଞାନକୌଶଳକୁ ପ୍ରଦର୍ଶିତ କରିଥିଲେ। ପିଲାମାନେ ଯେଉଁ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରିଥିଲେ ଶିକ୍ଷକ ଶିକ୍ଷୟିତ୍ରୀମାନେ ସେହି ଅନୁଯାୟୀ ପିଲାଙ୍କୁ ପ୍ରସ୍ତୁତ କରିଥିଲେ। ୧ମରୁ ୩ୟ ଶେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ କୌଣସି ବହିଖାତା ଆଣି ନ ଥିଲେ। ପିଲାମାନେ ଏହାର ଭରପୁର ମଜା ଉଠାଇବା ଦେଖିବାକୁ ମିଳିଥିଲା।

ଭୁବନେଶ୍ୱର ବ୍ଲକ୍‌ ଶିକ୍ଷା ଅଧିକାରୀ ସସ୍ମିତା ମାଳୀଙ୍କ କହିବା ଅନୁଯାୟୀ ପୂର୍ବରୁ ଉପସ୍ଥାନ କମ ରହୁଥିଲା। ଏହି କାର୍ଯ୍ୟକ୍ରମ ଦ୍ୱାରା ଉପସ୍ଥାନ ବହୁ ପରିମାଣରେ ବୃଦ୍ଧି ପାଇଛି। କେତେକ ସ୍ଥାନରେ ୯୦%ରୁ ୯୭% ଆଜି ଉପସ୍ଥାନ ରହିଥିଲା। ଛାତ୍ରଛାତ୍ରୀମାନେ ପାଠ୍ୟପୁସ୍ତକ ଶିକ୍ଷାଗ୍ରହଣ କରିବା ସହ ଅନ୍ୟ ବିଷୟରେ ମଧ୍ୟ ଶିକ୍ଷାଗ୍ରହଣ କରିପାରୁଛନ୍ତି। ଜଣେ ଛାତ୍ରୀ ଆଜି ନିଜକୁ ସାମ୍ବାଦିକ ଭାବେ ମୋତେ ପ୍ରଶ୍ନ ପଚାରିଥିଲା। ଯାହାଦ୍ୱାରା ଅନ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ଆକୃଷ୍ଟ ହେବେ। ସରକାରୀ ସ୍କୁଲର ଶିକ୍ଷାଦାନ ପ୍ରଣାଳୀରେ ବ୍ୟାପକ ସଂସ୍କାର ଅଣାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର