ଭୁବନେଶ୍ୱର : ସମ୍ବାଦ ଓ ସାହିତ୍ୟର ଲକ୍ଷ୍ୟ ଏକ। ସମୂହ ହିତ ଯିଏ ସାଧନ କରେ, ସେ ସାହିତ୍ୟ। ସମୂହ ହିତକୁ ଯିଏ ସୁରକ୍ଷା ଦିଏ, ତାହା ସମ୍ବାଦ। ସାହିତ୍ୟ ଓ ସମ୍ବାଦ ପରସ୍ପର ପରିପୂରକ ହେଲେ ସମୂହ ହିତ ଅଧିକ ସମୃଦ୍ଧ ହେବ ବୋଲି କହିଛନ୍ତି ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ। ସୁବାର୍ତ୍ତାର ଷୋଡ଼ଶ ସ୍ବନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି।

Advertisment

ରାଜନୀତିଜ୍ଞ ଗଣେଶ୍ୱର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଆବେଗ ଓ ଅଙ୍ଗୀକାରବଦ୍ଧତା ଥିଲେ ସମ୍ବାଦ ବି ସାହିତ୍ୟ ହୋଇପାରେ। ବାଗ୍ମୀ ତଥା ସଂସ୍କୃତିବିତ୍‌ ଡାକ୍ତର କୃଷ୍ଣକେଶବ ଷଡ଼ଙ୍ଗୀ କହିଲେ, ସାହିତ୍ୟ ଓ ସମ୍ବାଦ ଉଭୟ ବାର୍ତ୍ତା ଦିଏ। ଉଭୟ ସମ୍ବାଦ ଓ ସାହିତ୍ୟରେ ତଥ୍ୟ ଓ ସତ୍ୟ ଥାଏ। ସାହିତ୍ୟ ସମ୍ବାଦରୁ ହିଁ ସୃଷ୍ଟି। ସମ୍ବାଦକୁ ନେଇ ଯୁଗୋପଯୋଗୀ ସାହିତ୍ୟ ସଂରଚନା ହୋଇପାରେ। ସମ୍ବାଦପତ୍ର ପାଇଁ ସବୁଠୁ ବଡ଼ ଆହ୍ୱାନ ହେଉଛି ଉପଯୁକ୍ତ ଭାଷାର ବ୍ୟବହାର। ଭାଷାକୁ ବଞ୍ଚେଇବା ବି ସମ୍ବାଦର ପ୍ରମୁଖ କାମ ବୋଲି ସେ କହିଛନ୍ତି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ହଟ୍ଟନାଥ ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ସମାଜ’ର ମହାପ୍ରବନ୍ଧକ ସୁରେଶ ଚନ୍ଦ୍ର ମନ୍ତ୍ରୀ, ସହଦେବ ଜୟସିଂହ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ପ୍ରାରମ୍ଭରେ ‘ସୁବାର୍ତ୍ତା’ର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ ଅତିଥି ପରିଚୟ ଦେଇଥିଲେ।

ଉତ୍ସବରେ ଅନିଲ ଧୀରଙ୍କୁ ସୁବାର୍ତ୍ତା ଗୌରବ ସମ୍ମାନ, ସଂଗ୍ରାମ କେଶରୀ ପାଇକରାୟଙ୍କୁ ସୁଯୋଗ୍ୟ ଓଡ଼ିଆ ସମ୍ମାନ ସମେତ ପ୍ରମୋଦ ସାମନ୍ତରାୟ, ବିଜୟ ପରିଡା, ସତ୍ୟନାରାୟଣ ରାଉତରାୟ, କାଶୀନାଥ ପାଣିଗ୍ରାହୀ, ପ୍ରଭାକର ମଙ୍ଗରାଜ, ସୀତାବଲ୍ଲଭ ମହାପାତ୍ର, ସଚ୍ଚିଦାନନ୍ଦ ପଣ୍ଡା, ଅମରେଶ ବିଶ୍ୱାଳ, ପ୍ରସନ୍ନ କୁମାର ମିଶ୍ର, ବିହାରୀ ନାୟକ, ସୁନୀଲ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସାହୁ, କାମଦେବ ମହାପାତ୍ର, ବୁଦ୍ଧିମାନ ନାୟକ ଓ ସନ୍ତୋଷ କୁମାର ପଣ୍ଡାଙ୍କୁ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ନାମରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ କାମଦେବ ମହାପାତ୍ରଙ୍କ ପୁସ୍ତକ ‘ଆମ ସଂଗ୍ରାମୀ ସାଥୀ’, ଅମରେଶ ବିଶ୍ବାଳଙ୍କ ‘ମୋ ମନର କଥା’, ସଂଗ୍ରାମ ମହାପାତ୍ରଙ୍କ ‘ଜୀବନର ରଙ୍ଗ’ ଏବଂ ଡ. ସୂର୍ଯ୍ୟ ମିଶ୍ରଙ୍କ ‘ଓଡ଼ିଶା ଇତିହାସର ବହ୍ନି ପୁରୁଷ, ଉତ୍କଳ ରତ୍ନ, ମିଷ୍ଟର ଓଡ଼ିଶା’ ପୁସ୍ତକ ଲୋକାର୍ପିତ ହୋଇଥିଲା। ଶେଷରେ ସାମ୍ବାଦିକ ଦେବାଶିଷ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।