ସୁବାସନଗର ବସ୍ତିରେ ଉତ୍ତେଜନା : ରୋଜଗାର ନ କଲେ ଖାଇବୁ କ’ଣ?

ଭୁବନେଶ୍ବର : ଡୁମଡୁମା ନିକଟସ୍ଥ ସୁବାସନଗର ବସ୍ତିରେ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ଏହି ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରି ସିଲ୍‌ କରିଦେଇଛି। ଗତ ୨୦ତାରିଖରୁ ଏହି ବସ୍ତି ସିଲ୍‌ ହୋଇଥିବାବେଳେ ଏଠାରେ ବିଏମ୍‌ସି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ସହ ପ୍ରତିଦିନ ଆକ୍ଟିଭ୍‌ ସର୍ଭେଲାନ୍ସ କରୁଛି। ହେଲେ ବସ୍ତିବାସିନ୍ଦାଙ୍କୁ ଏବେ ରୋଜଗାର ଚିନ୍ତା ଘାରିଛି। ପାଖରେ ଟଙ୍କା ନଥିବାରୁ କେମିତି କ’ଣ କିଣିକି ଖାଇବେ ସେହି ଚିନ୍ତା ଏବେ ବସ୍ତିବାସିନ୍ଦାଙ୍କୁ ଘାରିଛି।

ବିଏମ୍‌ସି ଜୁନ୍‌ ୨୦ତାରିଖରୁ ଏହି ବସ୍ତିକୁ ସିଲ୍‌ କରିଥିବାରୁ ଏଠାରେ ରହୁଥିବା ୩୧୦ ପରିବାର ବାହାରକୁ ବାହାରି ପାରୁନାହାନ୍ତି। ମଜୁରୀ ଲାଗିଲେ ପେଟ ପୋଷୁଥିବା ଏହି ବାସିନ୍ଦାମାନେ ୫ଦିନ ହେଲା ଘରୁ ବାହାରିନଥିବାରୁ ଅଧିକାଂଶଙ୍କ ଘରେ ଚୁଲି ଜଳିବା ବନ୍ଦ ହୋଇଗଲାଣି। ତେଣୁ ଆଜି ବସ୍ତିବାସିନ୍ଦାମାନେ ଆଜି ବସ୍ତିରେ ହୋହଲ୍ଲା କରିବା ସହ ବିଏମ୍‌ସି ଗାଡ଼ିକୁ ବସ୍ତି‌ରେ ପୂରାଇ ଦେବେନି ବୋଲି କହିଛନ୍ତି। ବସ୍ତିବାସିନ୍ଦା କହିଛନ୍ତି ଯେ, ବିଏମ୍‌ସି ଆମକୁ ଯେଉଁ ସାମଗ୍ରୀ ଯୋଗାଉଛି ତାହା ବଜାର ଠାରୁ ଅଧିକ ଦାମ୍‌। ଆଳୁ କେଜି ୩୦ଟଙ୍କା, ବାଇଗଣ କେଜି ୮୦ଟଙ୍କା, ପିଆଜି କେଜି ୪୦ଟଙ୍କା, ତେଲ ଗୋଟାକୁ ୧୧୨ଟଙ୍କା ଲେଖାଏ ବିକୁଛି। ଯାହା ବଜାର ଦରଠାରୁ ବହୁ ଅଧିକ। ଏପରିକି ବାଇଗଣ କିଲୋ ବଜାରରେ ୪୦ଟଙ୍କା ଥିବାବେଳେ ଆମକୁ ୮୦ଟଙ୍କାରେ ବିକ୍ରି କରାଯାଉଛି, ଫର୍ଚ୍ୟୁନ୍ ରିଫାଇନ୍ ତେଲ ଦାମ୍‌ ୧୦୩ଟଙ୍କା ଥିବାବେଳେ ଆମକୁ ୧୧୨ଟଙ୍କାରେ ବିକ୍ରି କରାଯାଉଛି।

ଏହାବାଦ୍‌ ପ୍ରତ୍ୟେକଙ୍କ ଘରେ ୪ରୁ ୫ଜଣ ଲେଖାଏ ସଦସ୍ୟ ଥିବାବେଳେ କେହି ବାହାରକୁ ବାହାରୁନାହାନ୍ତି। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍ ଯୋଗୁଁ ଯାହା ଟଙ୍କା ସଞ୍ଚୟ କରିଥିଲୁ ତାହା ସରିଗଲାଣି। ଏବେ ଏହି କଣ୍ଟେନମେଣ୍ଟ୍‌ ଜୋନ୍ ଭାରି ବାଧୁଛି। ବିଏମ୍‌ସି ଆମକୁ ବାହାରକୁ ନଛାଡ଼ିଲେ ଆମେ ଲୁଚିକି ଯିବୁ। ୩/୪ ଘର ଲାଗି ଆମେ ପୂରା ବସ୍ତିବାସିନ୍ଦା କାହିଁକି ବାନ୍ଧି ହୋଇ ରହିବୁ।

ଅପରପକ୍ଷେ ଏନେଇ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ, ବସ୍ତିବାସିନ୍ଦା ସେମାନଙ୍କ ରୋଜଗାର ନେଇ ଯେଉଁ ଉଦ୍‌ବେଗ ପ୍ରକାଶ କରିଛନ୍ତି ସେନେଇ ଆମେ ବିଚାର କରୁଛୁ। ଖୁବ୍‌ ଶୀଘ୍ର ଏହାର ବ୍ୟବସ୍ଥା କରିବୁ। ରାଜଧାନୀବାସୀଙ୍କ ସୁରକ୍ଷା ପାଇଁ ଆମେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ୍‌ ଜୋନ୍‌ ଘୋଷଣା କରିଛୁ। ଏହା ଜାରି ରହିବ।

ସମ୍ବନ୍ଧିତ ଖବର