ଡୁମୁଡୁମା ନିକଟସ୍ଥ ସୁବାସନଗର ବସ୍ତି ସିଲ୍‌, ୫ ଆକ୍ରାନ୍ତ ବାହାରିବା ପରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଆବଶ୍ୟକ ହେଲେ ୧୯୨୯କୁ ଫୋନ୍‌ କରିବେ

ଭୁବନେଶ୍ବର : ଡୁମୁଡୁମା ନିକଟସ୍ଥ ସୁବାସନଗର ବସ୍ତିରେ ଗୋଟିଏ ଦିନରେ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ବିଏମ୍‌ସି ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରି ସିଲ୍‌ କରିଛି। ଏବେ ୭ଦିନ ପର୍ଯ୍ୟନ୍ତ ଏହି ବସ୍ତି ଓ ଏହା ନିକଟବର୍ତ୍ତୀ ଅଞ୍ଚଳକୁ ସିଲ୍‌ କରାଯାଇଥିବା ବେଳେ ଆବଶ୍ୟକସ୍ଥଳେ ଏହା ୧୪ ଦିନକୁ ବୃଦ୍ଧି କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସୁବାସନଗର ବସ୍ତିର ୫ଜଣ କରୋନା ଆକ୍ରାନ୍ତ ଜଣେ ଦିଲ୍ଲୀ ଫେରନ୍ତା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ସମସ୍ତେ ପୁରୁଷ ହୋଇଥିବା ବେଳେ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୨୪ ବର୍ଷ, ୧୯ ବର୍ଷ, ୩୮ ବର୍ଷ, ୧୮ ବର୍ଷ, ୧୫ ବର୍ଷ। ସମସ୍ତ ଆକ୍ରାନ୍ତଙ୍କୁ ଶୁକ୍ରବାର ରାତିରେ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହାପରେ ଆଜି ସକାଳୁ ବିଏମ୍‌ସି ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲା ବୋଲି କମିସନର ପ୍ରେମ ଚନ୍ଦ୍ର ଚୌଧରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଏନ୍‌ଏଚ୍‌-୧୬ନିକଟସ୍ଥ ହନୁମାନ ମନ୍ଦିର (ଡୁମୁଡୁମା)ରୁ ପ୍ଲଟ୍‌ ନଂ ୩୭୩ ଏବଂ ପ୍ଲଟ୍‌ ନଂ ୩୨୩ ନିକଟସ୍ଥ ଶନିମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳ, ପ୍ଲଟ୍‌ ନଂ ୩୭୩ ଏବଂ ପ୍ଲଟ୍‌ ନଂ ୩୨୩ ନିକଟରୁ ପ୍ଲଟ୍‌ ନଂ ୨୬୧ ଏବଂ ପ୍ଲଟ୍‌ ନଂ ୨୫୮, ପ୍ଲଟ୍‌ ନଂ ୨୬୧ ଏବଂ ପ୍ଲଟ୍‌ ନଂ ୨୫୮ରୁ ହନୁମାନ ମନ୍ଦିର, ଶନି ମନ୍ଦିର ଓ ଦୀନବନ୍ଧୁ ସୁଲଭ ବଣ୍ଟନ ଦୋକାନ ପର୍ଯ୍ୟନ୍ତ ଅଞ୍ଚଳକୁ ସିଲ୍‌ କରାଯାଇଛି।

ଏହି ଅଞ୍ଚଳକୁ କୌଣସି ବାହାର ଲୋକ ଯାଇ ପାରିବେନି କି ଏଠାରୁ କେହି ବାହାରକୁ ଆସିବେନି। ସମସ୍ତେ ଘରେ ସଙ୍ଗରୋଧ ରହିବେ। ଏହି ଅଞ୍ଚଳରେ ଥିବା ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଦୋକାନ ଆଦି ବନ୍ଦ ରହିବ। ବିଏମ୍‌ସି ଟିମ୍‌ ଏହି ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧୀୟ ସାମଗ୍ରୀ ଯୋଗାଇବ। ଲୋକମାନଙ୍କର କୌଣସି ଅସୁବିଧା ପାଇଁ ୧୯୨୯ରେ ଫୋନ୍‌ କରିପାରିବେ ବୋଲି କୁହାଯାଇଛି।

ପ୍ରାୟ ଦୁଇ ମାସ ପରେ ବିଏମ୍‌ସି ରାଜଧାନୀରେ କଣ୍ଟେନମେଣ୍ଟ୍‌ ଜୋନ୍‌ ଘୋଷଣା କରିଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ବହୁ ଲୋକ ସଙ୍ଗରୋଧ ନିୟମ ମାନୁ ନଥିବାରୁ ଏବଂ ବସ୍ତି ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଥିବାରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

ଆଜି ସଂଧ୍ୟାରେ ବିଏମ୍‌ସି କମିସନର୍‌ ପ୍ରେମ ଚନ୍ଦ୍ର ଚୌଧରୀ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ ଏଠାରେ ଥିବା ୩୦୦ ପରିବାରକୁ ନଜରରେ ରଖି କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏଠାରେ ୭ଦିନ ପର୍ଯ୍ୟନ୍ତ ପ୍ରତିଦିନ ଆକ୍ଟିଭ୍‌ ସର୍ଭେଲାନ୍ସ ଜାରି ରହିବ। ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀ ପ୍ରତି ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବେ। ଯାହା ନିକଟରେ ଲକ୍ଷଣ ଦେଖାଯିବ ସେମାନଙ୍କର ସ୍ବାବ୍‌ ଟେଷ୍ଟ ହେବ। ଆକ୍ରାନ୍ତଙ୍କ ପରିବାରର ସମସ୍ତଙ୍କର ସ୍ବାବ୍‌ ଟେଷ୍ଟ ହେବ।

ସମ୍ବନ୍ଧିତ ଖବର