ଭୁବନେଶ୍ବର : ଡୁମଡୁମା ନିକଟସ୍ଥ ସୁବାସନଗର ବସ୍ତିରୁ ୬ଜଣ କରୋନା ଆକ୍ରାନ୍ତ ବାହାରିବା ପରେ ବିଏମ୍ସି କର୍ତ୍ତୃପକ୍ଷ ଜୁନ୍ ୨୦ତାରିଖରେ ଏହି ବସ୍ତିକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଥିଲେ। ଆଜି ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ମୁକ୍ତ କରିଛନ୍ତି। ଏନେଇ ଆଜି ସଂଧ୍ୟାରେ ବିଏମ୍ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ଗତ ୨୦ତାରିଖରେ ବିଏମ୍ସି ଏନ୍ଏଚ୍-୧୬ନିକଟସ୍ଥ ହନୁମାନ ମନ୍ଦିର (ଡୁମଡୁମା)ରୁ ପ୍ଲଟ୍ ନଂ ୩୭୩ ଏବଂ ପ୍ଲଟ୍ ନଂ ୩୨୩ ନିକଟସ୍ଥ ଶନିମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳ, ପ୍ଲଟ୍ ନଂ ୩୭୩ ଏବଂ ପ୍ଲଟ୍ ନଂ ୩୨୩ ନିକଟରୁ ପ୍ଲଟ୍ ନଂ ୨୬୧ ଏବଂ ପ୍ଲଟ୍ ନଂ ୨୫୮, ପ୍ଲଟ୍ ନଂ ୨୬୧ ଏବଂ ପ୍ଲଟ୍ ନଂ ୨୫୮ରୁ ହନୁମାନ ମନ୍ଦିର, ଶନି ମନ୍ଦିର ଓ ଦୀନବନ୍ଧୁ ସୁଲଭ ବଣ୍ଟନ ଦୋକାନ ପର୍ଯ୍ୟନ୍ତ ଅଞ୍ଚଳକୁ ବାଉଁଶ ବାଡ଼ ଦେଇ ସିଲ୍ କରିଥିଲା। ଏହାପରେ ଏଠାରେ ବସ୍ତିବାସିନ୍ଦାଙ୍କୁ ବିଭିନ୍ନ ସାମଗ୍ରୀ ଯୋଗାଇଥିଲା। କିନ୍ତୁ ବସ୍ତିବାସିନ୍ଦା ଘରେ ବସିବାରୁ ରୋଜଗାର ଶୂନ୍ୟ ହୋଇଯାଇଥିଲେ। ଏହାପରେ ବିରୋଧ କରିଥିଲେ। ବସ୍ତିରେ ଉତ୍ତେଜନା ଦେଖାଦେଉଥିବାରୁ ବିଏମ୍ସି କଣ୍ଟେନମେଣ୍ଟ୍ ଜୋନ୍ ଅବଧି ପୂରିବାର ଦୁଇ ଦିନ ପୂର୍ବରୁ ଆଜି ବସ୍ତିରୁ ସିଲ୍ ଖୋଲିଦେଇଛି। କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା ପରେ ସମ୍ପୃକ୍ତ ଅଞ୍ଚଳରେ ୧୨ଥର ସର୍ଭେ କରାଯାଇଥିଲା। ସେହି ସମୟରେ ଲକ୍ଷଣ ଥିବା ୫୪ଜଣଙ୍କଠାରୁ ନମୁନା ସଂଗ୍ରହ କରାଯାଇଥିଲା। ମାତ୍ର ସବୁ ନମୁନା ନେଗେଟିଭ୍ ଆସିଥିଲା। ସ୍ଥିତିରେ ସୁଧାର ଆସିଥିବାରୁ ବିଏମ୍ସି ଉକ୍ତ ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ୍ କଟକଣା ଉଠାଇ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/Subas-Nagar.jpg)