ଯୁବଶକ୍ତିକୁ ରାଷ୍ଟ୍ର ଗଠନରେ ସାମିଲ କରାଇଥିଲେ ସୁବ୍ବାରାଓ, ଗାନ୍ଧୀବାଦୀ ଡ. ଏସ୍ଏନ୍ ସୁବ୍ବାରାଓଙ୍କ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ବର: ପଦ୍ମଶ୍ରୀ ଡ. ଏସ୍ଏନ୍ ସୁବ୍ବାରାଓ କେବଳ ଗାନ୍ଧୀବାଦୀ ନଥିଲେ, ରାଷ୍ଟ୍ର ଗଠନରେ ସେ ହଜାର ହଜାର ଯୁବବର୍ଗଙ୍କୁ ସାମିଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ହିଂସାମୁକ୍ତ, ନିଶାମୁକ୍ତ, ଭ୍ରଷ୍ଟାଚାରମୁକ୍ତ ଭାରତ ଗଠନ ସ୍ବପ୍ନକୁ ଯୁବମାନସରେ ରେଖାପାତ କରାଇ ଯୁବଚେତନାକୁ ଜାଗ୍ରତ କରାଇ ଆସୁଥିଲେ। ଭାରତ ସ୍କାଉଟ୍‌ସ ଓ ଗାଇଡ୍‌ସ, ରାଜକିଶୋର ନାୟକ ନ୍ୟାସନାଲ ଫାଉଣ୍ଡେସନ୍ ଓ ଜାତୀୟ ଯୁବ ପ୍ରକଳ୍ପ ମିଳିତ ସହଯୋଗରେ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍‌ସ ଓ ଗାଇଡ୍‌ସ ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ବିଶିଷ୍ଟ ଗାନ୍ଧୀବାଦୀ ନେତା ପଦ୍ମଶ୍ରୀ ଡ. ଏସ୍ଏନ୍ ସୁବ୍ବାରାଓଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ଗାନ୍ଧୀବାଦୀ ଡ. ଭଗବାନ ପ୍ରକାଶ ଏହା କହିଛନ୍ତି। ଭାରତ ବର୍ଷରେ ଶାନ୍ତି ଓ ସଦ୍ଭାବନାକୁ ଅଖଣ୍ଡ ରଖିବା ପାଇଁ ସଦ୍ଭାବନା ରେଳଯାତ୍ରା କାର୍ଯ୍ୟକ୍ରମ କରି ନୂଆ ଜାଗରଣ ସୃଷ୍ଟି କରିଥିଲେ ବୋଲି ଭଗବାନ ପ୍ରକାଶ କହିଛନ୍ତି।

କାର୍ଯ୍ୟକ୍ରମରେ ଯୋଗଦେଇ ସିୱାଇଏସ୍‌ଡିର ପ୍ରତିଷ୍ଠାତା ତଥା ପୂର୍ବତନ ସୂଚନା କମିସନର ଜଗଦାନନ୍ଦ କହିଲେ, ଚମ୍ବଲ ଘାଟିରେ ଦୌରାତ୍ମ୍ୟ ବଢ଼ାଉଥିବା ଡାକୁମାନଙ୍କୁ ଆତ୍ମସମର୍ପଣ କରାଇ ସେଠାରେ ଏକ ଗାନ୍ଧୀ ସେବା ଆଶ୍ରମ ପ୍ରତିଷ୍ଠା କରି ଗ୍ରାମ ପୁନର୍ଗଠନ କାର୍ଯ୍ୟକ୍ରମ କରିଥିଲେ। ଯାହା ଆଜି ଜଉରା ଆଶ୍ରମ ନାମରେ ପ୍ରତିଷ୍ଠିତ। କାର୍ଯ୍ୟକ୍ରମରେ ମହାକାଳପଡ଼ା ବିଧାୟକ ତଥା ରାଜ୍ୟ ଭାରତ ସ୍କାଉଟ୍‌ସ ଓ ଗାଇଡ୍‌ସ ସଭାପତି ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇ କହିଛନ୍ତି ଯେ, ସୁବ୍ବାରାଓଙ୍କ ବିୟୋଗରେ ଯୁବପିଢ଼ିମାନଙ୍କର ଏକ ଅପୂରଣୀୟ କ୍ଷତି ହୋଇଛି। ସାରା ଜୀବନ ଜଣେ ଶାନ୍ତି ସାଧକ ଭାବେ ଶୁଦ୍ଧ ବ୍ୟକ୍ତିତ୍ବ ଓ ତୀକ୍ଷ୍‌ଣ ଚିନ୍ତାଧାରା ମାଧ୍ୟମରେ ଯୁବଶକ୍ତିକୁ ରାଷ୍ଟ୍ର ନିର୍ମାଣରେ କର୍ମନିଷ୍ଠ ହେବା ପାଇଁ ପ୍ରେରଣା ଦେଇ ସେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି। ଯୁବଶକ୍ତିକୁ ରାଷ୍ଟ୍ର ଗଠନରେ ସାମିଲ କରିବା ପାଇଁ ଦେଶରେ ବିଭିନ୍ନ ସ୍ଥାନରେ ଯୁବ ଶିବିର ଆୟୋଜନ କରି ଲକ୍ଷ ଲକ୍ଷ ଯୁବକ ଯୁବତୀମାନଙ୍କୁ ତାଲିମ ପ୍ରଦାନ କରିବା ସହ ସେମାନଙ୍କ ଆଞ୍ଚଳିକ ଭାଷାରେ କଥାବାର୍ତ୍ତା କରି ଯୁବବର୍ଗମାନଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ। ଜାତୀୟ ଯୁବ ପ୍ରକଳ୍ପ ନାମରେ ଏକ ସଂଗଠନ କରି ଦେଶ ବିଦେଶରେ ଶାନ୍ତି ଓ ଅହିଂସାର ପ୍ରଚାର ପ୍ରସାର କରିବା ଦିଗରେ ସେ ମୁଖ୍ୟ ଭୂମିକା ନେଇଥିଲେ।

ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ ପରିବହନ କମିସନର ମଧୁସୂଦନ ପାଢ଼ୀ, ଶିକ୍ଷାବିତ୍ ବିମଳେନ୍ଦୁ ମହାନ୍ତି, ଓଡ଼ିଶା ସ୍କାଉଟ୍‌ସ ଓ ଗାଇଡ୍‌ସ ରାଜ୍ୟ ମୁଖ୍ୟ କମିସନର ଡ. କାଳୀପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାହୁ, ପ୍ରତାପ ଜେନା, ଋତୁପର୍ଣ୍ଣା ମହାନ୍ତି, ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପହଲ୍ଲାଦ ସେନ୍, ନିବେଦିତା ବେହେରା, ରାଜ୍ୟ ମହିଳା କମିସନର ମୀନତି ବେହେରା, ସୁରେଶ ମନ୍ତ୍ରୀ, ସୁଧୀର ସାବତ, ଚିତ୍ତରଂଜନ ମହାନ୍ତି, ସୂର୍ଯ୍ୟ ରଥ, ପର୍ଶୁରାମ ଦ୍ବିବେଦୀ, ରମାକାନ୍ତ ମଣ୍ଡଳ, ଗାନ୍ଧୀବାଦୀ ଅରୁନ୍ଧତୀ ଦେବୀ, ତପନ ବିହାରୀ ଭଞ୍ଜ, ଗୋବିନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ସୁବ୍ବାରାଓଙ୍କ ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମରେ ପହଲ୍ଲାଦ ସିଂହ ସଭାପତିତ୍ବ କରିଥିଲେ। ବିଧାୟକ ଶ୍ରୀ ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ଓଡ଼ିଶା ଜାତୀୟ ଯୁବ ପ୍ରକଳ୍ପର ଆବାହକ ମଧୁସୂଦନ ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର