ଭୁବନେଶ୍ବର : ରାଜ୍ୟର ସହରାଞ୍ଚଳର ଲୋକଙ୍କୁ ସୁଲଭ ମୂଲ୍ୟରେ ବାସଗୃହ ଯୋଗାଇବା ପାଇଁ ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ପକ୍ଷରୁ ବୃହତ ପ୍ରକଳ୍ପ ଆରମ୍ଭ ହୋଇଛି। ଡୁମୁଡୁମାଠାରେ ଦୁଇ ଏକର ୧୦୦ ଡିସିମିଲ ସରକାରୀ ଜମି ଉପରେ ଏକ ବହୁତଳ ବିଶିଷ୍ଟ ପ୍ରକଳ୍ପ ‘ସୁଭଦ୍ରା ଏନକ୍ଲେଭ୍’ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଛି। ୫ ମହଲା ବିଶିଷ୍ଟ ପ୍ରକଳ୍ପରେ ଆର୍ଥିକ ଦୁର୍ବଳ ଶ୍ରେଣୀ, ନିମ୍ନ ଆୟକାରୀ ଓ ମଧ୍ୟମ ଆୟକାରୀ ବର୍ଗଙ୍କ ପାଇଁ ଗୃହ ନିର୍ମାଣ ସଂସ୍ଥା ୧୯୮ଟି ଫ୍ଲାଟ୍ ନିର୍ମାଣ କରିବ ବୋଲି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ୧୬୦ଟି କୋଠା ବିକ୍ରୟ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି।
ଗୃହ ନିର୍ମାଣ ସଂସ୍ଥାର ଆଧୁନିକ ଭିତ୍ତିଭୂମିର ସୁବିଧା ସହ ସୁଲଭ ମୂଲ୍ୟରେ କୋଠାଗୁଡ଼ିକ ସ୍ବଚ୍ଛ ପ୍ରକ୍ରିୟାରେ ବିକ୍ରୟ କରିବ। ଏହି ପ୍ରକଳ୍ପ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅନୁମୋଦିତ ହୋଇଥିବା ବେଳେ ରେରା କର୍ତୃପକ୍ଷଙ୍କ ନିକଟରେ ପଞ୍ଜୀକୃତ ହୋଇଛି। ସଂସ୍ଥା ଏହି କୋଠାଗୁଡ଼ିକୁ ନିର୍ଧାରିତ ୪୨ମାସ ଭିତରେ ସଂପୂର୍ଣ୍ଣ କରି ହିତାଧିକାରୀଙ୍କୁ ବର୍ତମାନର ଘୋଷିତ ମୂଲ୍ୟରେ ଯୋଗାଇ ଦେବ। ପ୍ରକଳ୍ପର ଆନୁମାନିକ ମୂଲ୍ୟ ୬୩କୋଟି ୭୩ଲକ୍ଷ ଟଙ୍କା ସ୍ଥିରୀକୃତ ହୋଇଛି। ନିର୍ଦ୍ଦିଷ୍ଟ ସମୟରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଏହା ଇପିସି ଜରିଆରେ କାର୍ଯ୍ୟକାରୀ କରାଯିବ। ହିତାଧିକାରୀଙ୍କ ସୁବିଧା ପାଇଁ ଗୃହ ନିର୍ମାଣ ସଂସ୍ଥା ଦ୍ବାରା ୟୁକୋ ଓ ଆକ୍ସିସ୍ ବ୍ୟାଙ୍କ ସହବନ୍ଧିତ ହୋଇଛି। ଏହାଦ୍ବାରା ସ୍ବଳ୍ପ ସୁଧହାରରେ ହିତାଧିକାରୀମାନେ ବ୍ୟାଙ୍କରୁ ସୁବିଧାରେ ଋଣ ନେଇପାରିବେ।
ସେହିକରି କଟକ ବିଦ୍ୟାଧରପୁରଠାରେ ସଂସ୍ଥା ମୋଟ ୮କୋଟି ୧୪ଲକ୍ଷ ଟଙ୍କାରେ ନିର୍ମାଣ କାର୍ଯ୍ୟ ହୋଇଛି। ସ୍ବତନ୍ତ୍ର ଆର୍ଥିକ ଦୁର୍ବଳ ହାଉସିଂ ପ୍ରକଳ୍ପରେ ୧୯୬ଟି ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କ ପାଇଁ ହିତାଧିକାରୀଙ୍କୁ କୋଠା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ସହର ଭିତରେ ଏକ ପ୍ରମୁଖ ସ୍ଥାନରେ ସମସ୍ତ ଭିତ୍ତିଭୂମିର ସୁବିଧା ଥାଇ ୪ମହଲା ବିଶିଷ୍ଟ କୋଠାଗୁଡ଼ିକ କୋଠା ପିଛା ୪.୧୬ଲକ୍ଷ ଟଙ୍କାରେ ଯୋଗାଇ ଦିଆଯାଉଛି। ରାଜ୍ୟ ସରକାର ଏହି ପ୍ରକଳ୍ପରେ ୧୯୬ଟି କୋଠାର ଭିତ୍ତିଭୂମି ବିକାଶ ପାଇଁ ୪.୭୬କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହି ପ୍ରକଳ୍ପରେ ସଂସ୍ଥା ଆହୁରି ୧୨୬ଟି ନୂତନ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କ ପାଇଁ ୧୪୨ଟି କୋଠା ନିର୍ମାଣ ଲକ୍ଷ୍ୟ ରଖିଛି। ଏ ପର୍ଯ୍ୟନ୍ତ ଗୃହ ନିର୍ମାଣ ସଂସ୍ଥା ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ୩୧ହଜାର ୭୬୫ଟି ବିଭିନ୍ନ କିସମର ବାସଗୃହ, ଦୋକାନ ଓ କୋଠା ଯୋଗାଇ ଦେଇଛନ୍ତି। ତହିଁରୁ ଭୁବନେଶ୍ବରରେ ୧୯ହଜାର ୬୯୯ଟି ବାସଗୃହ ରହିଛି। ବର୍ତମାନ ସଂସ୍ଥା ଦ୍ବାରା ୧୧୦୮ଟି ବାସଗୃହ ଓ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ସୂଚନା ଦେଇଛନ୍ତି।