ଭୁବନେଶ୍ବର: ସୁଭଦ୍ରା ଯୋଜନାରେ ଫର୍ମ ପାଇଁ କୌଣସି ବ୍ୟକ୍ତିଙ୍କୁ ଟଙ୍କା ମାଗିଲେ ବନ୍ଧା ହେବେ। ଏଭଳି ଚେତାବନୀ ଦେଇଛନ୍ତି ଡିସିପି ପ୍ରତୀକ ସିଂହ। ନିଜ ନିଜ ଅଞ୍ଚଳରେ ଥିବା ଜନସେବା କେନ୍ଦ୍ରରେ ଉପରେ କଡ଼ା ନଜର ରଖିବାକୁ ସମସ୍ତ ଥାନାକୁ ଆଲର୍ଟ ମଧ୍ୟ କରାଯାଇଛି। ସୁଭଦ୍ରା ଯୋଜନା ଫର୍ମ ଦେବା ନାଁରେ ଟଙ୍କା ଆଦାୟ କରୁଥିବା ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରାଯିବା ପରେ କମିସନରେଟ୍‌ ପୁଲିସ ସଜାଗ ହୋଇଯାଇଛି। 

Advertisment

ଚନ୍ଦ୍ରଖେଖରପୁର ଥାନା ପୁଲିସ ନିଳାଦ୍ରୀବିହାର ସେକ୍ଟର-୩ର ସସ୍ମିତା ଜେନା(୩୮) ଓ ଭାଇ ରଂଜନୀତ ଜେନା(୩୬)କୁ ଗିରଫ କରିଥିବା ବେଳେ ଖାରବେଳନଗର ଥାନା ପୁଲିସ ସତ୍ୟନଗର ହାଉସିଂବୋର୍ଡ କଲୋନିର ରତିକାନ୍ତ ସାହୁ(୩୨)କୁ ଗିରଫ କରିଛି। ସୂଚନା ମୁତାବକ, ଚନ୍ଦ୍ରଖେଶପୁର ଅଞ୍ଚଳରେ ଥିବା ଜନସେବା କେନ୍ଦ୍ରକୁ ହିତାଧିକାରୀ ସୁଭଦ୍ରା ଯୋଜନା ଫର୍ମ ପାଇଁ ଆସିଥିବା ବେଳେ ସେମାନଙ୍କୁ ଟଙ୍କା ମଗାଯାଇଥିଲା। ଫର୍ମ ପିଛା ୨୦୦ଟଙ୍କା ଦେବାକୁ କୁହାଯାଇଥିଲା। ଯେଉଁମାନେ ବିରୋଧ କରିଥିଲେ,‌ ସେମାନଙ୍କୁ ଫର୍ମ ଦିଆଯାଇନଥିଲା। ଫଳରେ କିଛି ହିତାଧିକାରୀ ବିଏମ୍‌ସି ଜୋନ୍‌ ଅଫିସ୍‌ରେ ଅଭିଯୋଗ କରିଥିଲେ। ଘଟଣା ଥାନା ପର୍ଯ୍ୟନ୍ତ ଯାଇଥିଲା। ପରଦିନ ପୁଲିସ ଟିମ୍‌ ଜନସେବା କେନ୍ଦ୍ରରେ ଜଗି ରହିଥିଲା। କେନ୍ଦ୍ର ଚଳାଉଥିବା ମହିଳା ଏଭଳି ଟଙ୍କା ମାଗୁଥିବା ଜଣାପଡ଼ିବା ପରେ ପୁଲିସ ଚଢ଼ଉ କରି ତାଙ୍କୁ ଓ ସେଠାରେ ଥିବା ତାଙ୍କ ଭାଇ ରଂଜିକୁ ଗିରଫ କରିଥିଲା।

ସେହିପରି ସତ୍ୟନଗର ତୋଷାଳି ଭବନ ନିକଟରେ ଥିବା ଜନସେବା କେନ୍ଦ୍ରର ରତିକାନ୍ତ ମଧ୍ୟ ସମାନ ଢ଼ଙ୍ଗରେ ହିତାଧିକାରୀଙ୍କ ଠାରୁ ଟଙ୍କା ନେଉଥିବା ବେଳେ ପୁଲିସ ତାକୁ ଗିରଫ କରିଥିଲା। ଆଜି ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏବେ ପୁଲିସ ସହରରେ ଥିବା ସମସ୍ତ ଜନସେବା କେନ୍ଦ୍ର ଉପରେ ନଜର ରଖିଛି। ଯଦି କେହି ଫର୍ମ ପାଇଁ ଟଙ୍କା ମାଗନ୍ତି, ତୁରନ୍ତୁ ଜଣାଇବାକୁ କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।