ଶୁଭମୟ ବିଶ୍ବାଳଙ୍କର ଏକକ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ବର: ଗୋ-ମାତାର ଅବଦାନ ଓ ଗାଈ ଉପରେ ହେଉଥିବା ଅତ୍ୟାଚାରକୁ ବଖାଣୁଥିଲା ଚିତ୍ରକଳା। କେତେବେଳେ ଗାଈ ମଧ୍ୟରେ ଥିବା କେଟିଲ୍‌ ଓ ତଳେ ଥିବା ଗ୍ଲାସ୍‌, ସେ ଦେଉଥିବା ଅମୃତକୁ ଇସାରା କରୁଥିଲା ତ’ କେବେ ଗୋଧୂଳି ଲଗ୍ନରେ ଗାଈଆଳ ଟୋକା ସହ ଗାଈଗୋଠର ସ୍ମୃତିକୁ ଉଜ୍ଜୀବିତ କରୁଥିଲା। ଗୋମାତା ବୋଲି ବୋଲାଉଥିଲେ ବି ଗୋ-ଚାଲଣ ଓ ଗୋମାଂସ ଭକ୍ଷଣ ଆଦି କଥା କହି ଏବେକାର ମଣିଷ ସମାଜର ଅପ୍ରିୟ ସତକୁ ସାମ୍ନାକୁ ଆଣିଥିଲା। ପେନ୍‌ସିଲ୍‌ ନୁହେଁ ଅଙ୍ଗାରରେ ପ୍ରସ୍ତୁତ ଧଳା ଓ କଳା ରଙ୍ଗର ଚିତ୍ରିତ ଚିତ୍ରକଳା ଦର୍ଶକଙ୍କୁ ଆକର୍ଷିତ କରୁଥିଲା। ଅବସର ଥିଲା ଜୟଦେବ ଭବନଠାରେ ଅନୁଷ୍ଠିତ ଚିତ୍ରଶିଳ୍ପୀ ଶୁଭମୟ ବିଶ୍ବାଳଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀର। ପ୍ରଦର୍ଶନୀରେ ପ୍ରଦର୍ଶିତ ୧୮ଟି ଚିତ୍ରକଳାକୁ ବାସ୍ତବିକତାର ସ୍ପର୍ଶ ଦେବା ପାଇଁ ଶ୍ରୀ ବିଶ୍ବାଳ ପ୍ରଥମେ ଫଟୋ ଉଠାଇ ତାକୁ ଦେଖି ଚିତ୍ର ଆଙ୍କିଛନ୍ତି। ଏସବୁ ଆଙ୍କିବାକୁ ତାଙ୍କୁ ୩ ମାସ ସମୟ ଲାଗିଛି ବୋଲି ସେ କହିଛନ୍ତି। ଆଜିର ଏହି ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟନ ଉତ୍ସବରେ ପଦ୍ମଶ୍ରୀ ସୁଦର୍ଶନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ପ୍ରଭାକର ମହାରଣା ଓ ଓଡ଼ିଶା ଲଳିତ କଳା ଏକାଡେମିର ସଚିବ ମାନସ ରଞ୍ଜନ ଜେନା ଉପସ୍ଥିତ ଥିଲେ। ଏହି ପ୍ରଦର୍ଶନୀ ଆସନ୍ତା ୧୦ ତାରିଖ ଯାଏଁ ପୂର୍ବାହ୍ଣ ୧୦ଟାରୁ ସନ୍ଧ୍ୟା ୭ଟା ଯାଏଁ ଚାଲିବ।

ସମ୍ବନ୍ଧିତ ଖବର