ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। କିନ୍ତୁ ଗୋଟିଏ ମାମଲାର ତଦନ୍ତ ଚାଲିଥିବା ବେଳେ ହତ୍ୟା ଅଭିଯୁକ୍ତ ଦୀପକ ରାଉତର ଅପରାଧିକ ପୃଷ୍ଠଭୂମି ଉପରୁ ପରଦା ଧୀରେ ଧୀରେ ହଟିବାରେ ଲାଗିଛି। ବିଶେଷ କରି ଅତି ନୃଶଂସ ଭାବେ ପତ୍ନୀ ଶୁଭମିତ୍ରାଙ୍କୁ ହତ୍ୟା କରିଥିବା ଦୀପକ ତା’ର ପ୍ରଥମ ପତ୍ନୀଙ୍କୁ ମଧ୍ୟ ହତ୍ୟା କରି ଦୁର୍ଘଟଣାର ରୂପ ଦେଇଥିବା ଅଭିଯୋଗ ଉଠିଲାଣି।
ଦୀପକର ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ମୃତ୍ୟୁର ୩ବର୍ଷ ପରେ ପରିବାର ଲୋକେ ମୁହଁ ଖୋଲିଛନ୍ତି। ଅପର୍ଣ୍ଣାଙ୍କ ଦୁର୍ଘଟଣାଜନିତ ମୃତ୍ୟୁକୁ ପରିବାର ଲୋକେ ଗ୍ରହଣ କରିପାରୁନାହାନ୍ତି। ବୀମା ଟଙ୍କା ହାତେଇବା ପାଇଁ ତାଙ୍କୁ ମଧ୍ୟ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ନେଇ ସେମାନେ ସନ୍ଦେହ କରିଛନ୍ତି। ଅପର୍ଣ୍ଣାଙ୍କ ଦୁଇ ସାନ ଭଉଣୀ ରୋଜାଲିନ ଓ ରୂପାଲି ବୀମା ଟଙ୍କା ପାଇଁ ଦୀପକ ତାଙ୍କ ଭଉଣୀ ଅପର୍ଣ୍ଣାଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦେଇଥିଲା ବୋଲି ଅଭିଯୋଗ କରିଛନ୍ତି। ୨୦୧୮ ଏପ୍ରିଲ୍ ୨୫ରେ ଦୀପକ ଢେଙ୍କାନାଳଜିଲ୍ଲା ତିଳପଦା ଗାଁର ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ପ୍ରେମବିବାହ କରିଥିଲା। ଅପର୍ଣ୍ଣା ଢେଙ୍କାନାଳ ପରଜଙ୍ଗ ସ୍ଥିତ କନ୍ଦରସିଂହାରେ ରାଜସ୍ବ ନିରୀକ୍ଷକ ଭାବେ ଚାକିରି କରୁଥିଲେ। ୨୦୨୨ ମାର୍ଚ୍ଚ ୧୭ରେ ସଡ଼କ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଘଟିଥିବା ଦୀପକ କହିଥିଲା। ଭୁବନେଶ୍ୱରରୁ ଢେଙ୍କାନାଳ ଫେରିବା ବାଟରେ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣା ହୋଇଥିବା ନେଇ ଦୀପକ ଏକ କାହାଣୀ ରଚିଥିଲା ବୋଲି ଏବେ ଅପର୍ଣ୍ଣାଙ୍କ ପରିବାର ଅଭିଯୋଗ କରିଛନ୍ତି। ଓଡି-୦୨-ଏସ୍-୩୪୮୬ ନମ୍ବର ଟ୍ରକ୍ ତାଙ୍କୁ ଧକ୍କା ଦେଇଥିବା କହିବା ପରେ ଖୁଣ୍ଟୁଣି ଥାନାରେ କେସ ନମ୍ବର ୭୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ଦୀପକ ଷଡ୍ଯନ୍ତ୍ର କରି ଅପର୍ଣ୍ଣାଙ୍କୁ ହତ୍ୟା କରିବା ପରେ ଏହାକୁ ଦୁର୍ଘଟଣାର ରୂପ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଏହି ଘଟଣାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ପାଇଁ ଅପର୍ଣ୍ଣାଙ୍କ ବାପା ବିରଞ୍ଚି ରାଉତ ଓ ମା ମିନତି ରାଉତ ପୁଲିସ କମିସନର୍ଙ୍କୁ ଅନୁରୋଧ କରିଛନ୍ତି।
ଜଟିଳ କେସ୍: ସିପି
ଅପର୍ଣ୍ଣାଙ୍କ ମୃତ୍ୟୁ ମାମଲା ଏକ ଜଟିଳ କେସ୍ ବୋଲି ପୁଲିସ କମିସନର୍ ଏସ୍ ଦେବଦତ୍ତ ସିଂ କହିଛନ୍ତି। ଶୁଭମିତ୍ରାଙ୍କ ମାମଲା ଉପରୁ ପରଦା ଉଠିଥିଲେ ମଧ୍ୟ ଅପର୍ଣ୍ଣାଙ୍କ କେସ୍ରେ ବହୁ ଭିତରକୁ ଯିବାକୁ ପଡ଼ିବ। ବିଶେଷକରି ଦୀପକ ଅପରାଧିକ ପୃଷ୍ଠଭୂମି ଓ ସେସମୟର ତା’ର କାର୍ଯ୍ୟକଳାପକୁ ଅନୁଧ୍ୟାନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ଦୀପକଙ୍କୁ ଫାଶୀ ଦିଆଯାଉ
ଅପରାଧିକ ପୃଷ୍ଠଭୂମି ପାଇଁ ନିଲମ୍ବିତ ହୋଇଥିବା କନେଷ୍ଟବଳ ଦୀପକ ରାଉତକୁ ଶୁଭମିତ୍ରା ହତ୍ୟା ପାଇଁ ଫାଶୀ ଦଣ୍ଡାଦେଶ ବ୍ୟବସ୍ଥା କରିବାକୁ ଶୁଭମିତ୍ରାଙ୍କ ବାପା ଦୁର୍ଯ୍ୟୋଧନ ସାହୁ ଦାବି କରିଛନ୍ତି। ପୁରୀ ସ୍ବର୍ଗଦ୍ବାରଠାରେ ଆଜି ଶୁଭମିତ୍ରାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଗଳିତ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରିବାର ଲୋକେ ଭଗ୍ନ ହୃ୍ଦୟ ନେଇ ଶୁଭମିତ୍ରାଙ୍କ ଶେଷକୃତ୍ୟ ସଂପନ୍ନ କରିଛନ୍ତି। ତେବେ ହତ୍ୟାକାରୀ ଦୀପକକୁ ଆଇନ ଅନୁଯାୟୀ ଫାଶୀ ଦଣ୍ଡ ଦେବାର ବ୍ୟବସ୍ଥା କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି।
ମହିଳା କନେଷ୍ଟବଳଙ୍କୁ ନ୍ୟାୟ ଦାବିରେ ମହିଳା କଂଗ୍ରେସର ମହମବତି ଶୋଭାଯାତ୍ରା
ଭୁବନେଶ୍ବର: ହତ୍ୟାର ଶିକାର ହୋଇଥିବା ମହିଳା ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ଆତ୍ମାର ସଦ୍ଗତି ପାଇଁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ଆଜି ମହମବତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ସଭାନେତ୍ରୀ ମୀନାକ୍ଷୀ ବାହିନୀପତିଙ୍କ ନିର୍ଦ୍ଦେଶକ୍ରମେ ମହିଳା କଂଗ୍ରେସ କର୍ମକର୍ତ୍ତାଙ୍କ ଏକ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ୍ରେ ପହଞ୍ଚିଥିଲା। ସେଠାରେ ସ୍ବର୍ଗତ ଶୁଭମିତ୍ରାଙ୍କ ଅମର ଆତ୍ମା ଉଦ୍ଦେଶ୍ୟରେ ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା। ରାଜ୍ୟରେ ମହିଳାଙ୍କ ପ୍ରତି ବଢ଼ୁଥିବା ଅତ୍ୟାଚାରକୁ ନେଇ ଚିନ୍ତାବ୍ୟକ୍ତ କରିବା ସହ ପ୍ରତିକାର ପାଇଁ ମହିଳା କଂଗ୍ରେସ କର୍ମୀମାନେ ସରକାରଙ୍କ ପାଖରେ ଦାବି ରଖିଥିଲେ। ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଅଭିଯୁକ୍ତ ପୁଲିସ କନଷ୍ଟେବଳକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରାଯାଇଥିଲା। ଏହି ଶୋଭାଯାତ୍ରାରେ ନିରୁପମା ପାତ୍ର, ସିଲି ସେଠୀ, ବିଶ୍ବକଲ୍ୟାଣୀ କର, ଅମିତା ବିଶ୍ବାଳ, ସୁନୀତା ବିଶ୍ବାଳ, ମଧୁମିତା ସେଠୀ, ଶ୍ରୀୟାସ୍ମିତା ପଣ୍ଡା, ଊର୍ବଶୀ ମିତ୍ର, ରଂଜିତା ହେମ୍ବ୍ରମ , ଅନିମା ମିଞ୍ଜ୍ , ଚୈତାଳି ପଟ୍ଟନାୟକ, ଗୀତା ମହାନ୍ତି, ମାଳତୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ।