ତ୍ରିଶୁଳିଆ: କାଠାଯୋଡ଼ି ନଦୀ ଉପରେ ନିର୍ମିତ ସୁଭାଷ ସେତୁରେ ଯାତାୟାତ ଏବେ ବିପଦପୂର୍ଣ୍ଣ ହୋଇପଡ଼ିଛି। ବ୍ରିଜ୍ ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ଦୁଇ କଡ଼ରେ ବହଳ ବହଳ ବାଲି ଆସ୍ତରଣ ଜମି ରହିଥିବାରୁ ପ୍ରତିଦିନ ଯାନବାହାନ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଉଛନ୍ତି। ତେଣୁ କଟକ ସହରକୁ ଦୂରତା ହ୍ରାସ କରୁଥିବା ଏହି ସେତୁ ଏବେ କର୍ତ୍ତୃପକ୍ଷଙ୍କ ଉଦାସୀନତାରୁ ସ୍ଥାନୀୟ ଲୋକଙ୍କ ପାଇଁ ପ୍ରାଣ ଘାତକ ସାଜିଛି ବୋଲି ଅଭିଯୋଗ ହେଉଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଭୁବନେଶ୍ବରରୁ କଟକ ମଧ୍ୟରେ ଦୂରତା ହ୍ରାସ କରିଛି ଏହି ସେତୁ। ତେଣୁ ପ୍ରତିଦିନ ଏହି ସେତୁ ଦେଇ ଶହଶହ ଗାଡ଼ିରେ ହଜାର ହଜାର ଲୋକେ ଯାତାୟାତ କରୁଛନ୍ତି।
ବିଶେଷକରି ବାରଙ୍ଗ ଅଞ୍ଚଳର ଲୋକଙ୍କ ପାଇଁ ଏହି ବ୍ରିଜ୍ଟି ବହୁ ଉପଯୋଗୀ ହୋଇଛି। ସେତୁ ନିର୍ମାଣ ହେବା ପରଠାରୁ ଦିନ ବେଳା ଏହା ଉପରେ କେବଳ ହାଲୁକା ଯାନ ଯିବା ପାଇଁ ନିୟମ ଥିଲା। କେବଳ ରାତି ୧୦ ଟାରୁ ସକାଳ ୬ଟା ମଧ୍ୟରେ ଭାରୀଯାନ ଚଳାଚଳ ପାଇଁ ଅନୁମତି ଥିଲା। ବ୍ରିଜ୍ର ଦୁଇକଡ଼ରେ ପୁଲିସର ପହରା ଥିଲା। ବ୍ରିଜ୍ ଉପରେ ଜମୁଥିବା ବାଲି ନିୟମିତ ବ୍ୟବଧାନରେ ସଫା ହେଉଥିଲା। କିନ୍ତୁ ଏବେ ସବୁ କଟକଣା ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥା ଠପ୍ ହୋଇଯାଇଛି।
ଏବେ ଦିନରାତି ସବୁବେଳେ ବେଧଡ଼କ ଭାରୀଯାନ ଯିବା ଆସିବା କରୁଛି। ଏପରିକି ଓଭର୍ଲୋଡ୍ ହୋଇଥିବା ବାଲି ଗାଡ଼ି ଏହି ବ୍ରିଜ ଉପରେ ଚଳାଚଳ କରୁଛନ୍ତି। ଫଳରେ ଓଭର୍ଲୋଡେଡ୍ ହାଇୱାରୁ ପ୍ରଚୁର ବାଲି ଖସି ବ୍ରିଜ୍ର ଦୁଇକଡ଼ରେ ଜମା ହେଉଛି। କେଉଁଠି ବାଲି ପାହାଡ଼ ଭଳି ଗଦା ହୋଇଥିବା ବେଳେ କେଉଁଠି ବାଲିର ସ୍ତର ବହୁ ବାଟ ପର୍ଯ୍ୟନ୍ତ ଲମ୍ବି ରହିଛି। ଏବେ ବ୍ରିଜ୍ର ଦୁଇକଡ଼ରେ ହାରାହାରୀ ୩ ଫୁଟ୍ ଚଉଡ଼ା ଓ ୪ଇଞ୍ଚ ବହଳର ବାଲି ଜମା ହୋଇରହିଛି। ଫଳରେ ଯାନବାହାନର ଚକ ବାଲିରେ ଖସି ଦୁର୍ଘଟଣା ଘଟାଉଥିବା ଏକ ନିତିଦିନିଆ ଘଟଣା ହୋଇଗଲାଣି। ବଡ଼ ଗାଡ଼ି ସବୁକୁ ସାଇଡ୍ ଦେବାକୁ ଯାଇ ବାଇକ୍ ଓ ସାଇକେଲ ଆରୋହୀମାନେ ବ୍ରିଜ୍ କଡ଼କୁ ଗଲେ, ବାଲିରେ ଭାରସାମ୍ୟ ହରାଇ ତଳେ ପଡ଼ୁଛନ୍ତି। ଏଭଳି ଦୁର୍ଘଟଣାରେ କାହାର ଜୀବନହାନି ହୋଇଥିବା ଅଭିଯୋଗ ନଥିଲେ ହେଁ ଗୁରୁତର ଆହତ ହେବା ଏବଂ ବହୁ ବାଇକ୍ ଓ ସାଇକେଲ୍ ଭାଙ୍ଗି ଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଏହି ସେତୁ ଦେଇ ଗଲେ, ହାଇକୋର୍ଟକୁ ନିକଟ ହେଉଛି। ସେହିଭଳି କଟକର କିଛି କଲେଜକୁ ମଧ୍ୟ ଦୂରତା କମିଯାଉଛି। ତେଣୁ ଭୁବନେଶ୍ବରରୁ ବହୁ ଆଇନଜୀବୀ, କଲେଜ ଛାତ୍ରଛାତ୍ରୀ ଏହି ସେତୁ ପାର୍ ହୋଇ କଟକ ସହରକୁ ଯାଉଛନ୍ତି। ସେହିଭଳି ଏହି ବାଟରେ ବାରଙ୍ଗ ଅଞ୍ଚଳର ଶହ ଶହ ଗରିବ ଦିନମଜୁରିଆ କଟକ ସହରକୁ କାମ ପାଇଁ ଯାଉଥିବା ବେଳେ କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ସେତୁ ଦେଇ ଯା’ଆସ କରୁଛନ୍ତି। ତେଣୁ ସ୍ବାଭାବିକ ଭାବେ ଦିନତମାମ ଏହି ସେତୁରେ ଭିଡ଼ ରହୁଛି। ତେଣୁ ଦିନ ବେଳା ହାଇୱା ଭଳି ଭାରୀଯାନ ଚଳାଚଳ କରିବା ଦ୍ବାରା ବାଇକ୍ ଓ ସାଇକେଲ୍ ଆରୋହୀମାନେ ବ୍ରିଜ୍ କଡ଼ ବାଲି ଗଦାରେ ଫସି ଯାଉଛନ୍ତି। ତେଣୁ ସେତୁ ଉପରୁ ବାଲି ସଫା ତୁରନ୍ତ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି।