ସାବାସ୍‌ ଶୁଭଶ୍ରୀ! ୫ ବର୍ଷର ଝିଅକୁ ପାଣିରୁ ଟାଣିଆଣିଲା

ବାରଙ୍ଗ : ପୋଖରୀରେ ବୁଡ଼ିଯାଉଥିବା ବେଳେ ଜଣେ ୫ ବର୍ଷର ନାବାଳିକାକୁ ବଞ୍ଚାଇଛି ଜଣେ ୯ ବର୍ଷର ନାବାଳିକା। ନିଜ ଜୀବନକୁ ବାଜି ଲଗାଇ ଗଭୀର ଜଳରୁ ନାବାଳିକାକୁ ଟାଣି ଆଣି ଛୋଟ ଝିଅଟି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛି। ଏହି ଘଟଣା ବୁଧବାର ଦିନ ନନ୍ଦନକାନନ ଥାନା ଅଧୀନ ରଘୁନାଥପୁର ଗ୍ରାମରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାନୁସାରେ ବୁଧବାର ସକାଳେ ରଘୁନାଥପୁର ଶିଖରଚଣ୍ଡୀ ପୋଖରୀରେ କିଛି ମହିଳା ଗାଧୋଉଥିଲେ। ସେମାନଙ୍କ ଭିତରେ ଶୁଭଶ୍ରୀ ରାଉତ(୯) ଓ ଖୁସି ରାଉତ (୫) ଥିଲେ। ହଠାତ୍ କୌଣସି କାରଣରୁ ଖୁସି ପୋଖରୀ ଭିତରକୁ ଟାଣି ହୋଇଯାଇଥିଲେ ଓ ବୁଡ଼ି ଯାଇଥିଲେ। ଅନ୍ୟ ମହିଳାମାନେ ନିଜନିଜ ଭିତରେ କଥାବାର୍ତ୍ତାରେ ମଜ୍ଜି ରହିଥିବାରୁ ଖୁସି ବୁଡ଼ି ଯାଉଥିବାବେଳେ ଦେଖି ପାରିନଥିଲେ। ତେବେ ତା’ ଉପରେ ଶୁଭଶ୍ରୀର ନଜର ପଡ଼ିଯାଇଥିଲା। କାଳବିଳମ୍ବ ନକରି ଶୁଭଶ୍ରୀ ପାଣି ଭିତରକୁ ପହଁରି ଯାଇଥିଲା ଓ ଖୁସିର ହାତକୁ ଧରି ଟାଣିଟାଣି କୂଳକୁ ନେଇଆସିଥିଲା। ଅବଶ୍ୟ କୂଳରେ ପହଞ୍ଚିବା ପୂର୍ବରୁ ଅନ୍ୟ ମହିଳାମାନେ ଶୁଭଶ୍ରୀକୁ ସହଯୋଗ କରିଥିଲେ। ସୌଭାଗ୍ୟକୁ ଖୁସି ପାଣି ପିଇ ଦେଇଥିଲେ ବି ସୁସ୍ଥ ଥିଲା। ଏହି ଘଟଣା ପ୍ରଚାର ହେବା ପରେ ଗାଁଟି ଯାକର ଲୋକେ ପୋଖରୀ ନିକଟକୁ ଧାଇଁ ଆସିଥିଲେ ଏବଂ ଶୁଭଶ୍ରୀକୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର