ସୁଭାଷିତ

ନମସ୍ତେଽସ୍ତୁ ମହାମାୟେ ଶ୍ରୀପୀଠେ ସୁରପୂଜିତେ।
ଶଙ୍ଖଚକ୍ରଗଦାହସ୍ତେ ମହାଲକ୍ଷ୍ମି ନମୋଽସ୍ତୁ ତେ।ା
-ମହାଲକ୍ଷ୍ମୀଅଷ୍ଟକ, ପଦ୍ମପୁରାଣ
ଅଷ୍ଟାଦଶ ପୁରାଣ ମଧ୍ୟରୁ ‘ପଦ୍ମପୁରାଣ’ ଗୋଟିଏ ଏବଂ ଏହା ଏକ ପ୍ରମୁଖ ପୁରାଣ ଭାବରେ ସ୍ୱୀକୃତ। ପୁରାଣ ପ୍ରସଙ୍ଗରେ ଏହାକୁ ବିଶ୍ୱକୋଷ ଆଖ୍ୟା ଦିଆଯାଏ। ବ୍ରହ୍ମା ପଦ୍ମଯୋନି ଏବଂ ତାଙ୍କ ନାମରେ ଏହି ପୁରାଣ ନାମିତ ହୋଇଛି। ଏଥିରେ ବହୁ ଭାବରେ ଭଗବାନ ବିଷ୍ଣୁଙ୍କର ମହିମା ବ୍ୟାଖ୍ୟାନ କରାଯାଇଛି।
‘ପଦ୍ମପୁରାଣ’ ଅନ୍ତର୍ଗତ ‘ମହାଲକ୍ଷ୍ମୀଅଷ୍ଟକ’ ଅତ୍ୟନ୍ତ ଲୋକପ୍ରିୟ। ଦେବୀ ଲକ୍ଷ୍ମୀ ପଦ୍ମାସନା ଓ ଚତୁର୍ହସ୍ତା। ସେ ପ୍ରସ୍ଫୁଟିତ ପଦ୍ମ ଉପରେ ଉପବେଶନ କରିଥାଆନ୍ତି ଏବଂ ଊର୍ଦ୍ଧ୍ୱ ଦୁଇ ହସ୍ତରେ ପଦ୍ମପୁଷ୍ପ ଧାରଣ କରିଥାଆନ୍ତି। କିନ୍ତୁ ‘ମହାଲକ୍ଷ୍ମୀଅଷ୍ଟକ’ର ଉପରୋକ୍ତ ପ୍ରଥମ ଶ୍ଳୋକରେ ତାଙ୍କୁ ‘ଶଙ୍ଖଚକ୍ରଗଦାହସ୍ତ’ କୁହାଯାଇଛି। ଏହାର ଆଧାରରେ ପ୍ରସ୍ତୁତ ତାଙ୍କର ଚିତ୍ରପଟ ବା ପ୍ରତିମାରେ ସେ ପଦ୍ମ ଉପରେ ଉପବେଶନ କରିଥିବାବେଳେ, ତାଙ୍କର ଊର୍ଦ୍ଧ୍ୱ ବାମ ହସ୍ତରେ ଶଙ୍ଖ ଓ ଊର୍ଦ୍ଧ୍ୱ ଦକ୍ଷିଣ ହସ୍ତରେ ଚକ୍ର ଏବଂ ନିମ୍ନ ବାମ ହସ୍ତରେ ଗଦା ଓ ନିମ୍ନ ଦକ୍ଷିଣ ହସ୍ତରେ ପଦ୍ମ ଥିବା ଦେଖାଯାଏ। ଏହା ଚତୁର୍ଭୁଜ ବିଷ୍ଣୁଙ୍କର ଚାରି ଆୟୁଧ ସହ ସମାନ। ‘ମହାଲକ୍ଷ୍ମୀଅଷ୍ଟକ’ର ଏହି ଶ୍ଳୋକରେ ଆହୁରି ମଧ୍ୟ କୁହାଯାଇଛି- ଏହି ଦେବୀ ‘ଶ୍ରୀପୀଠ’ରେ ପୂଜା ପାଆନ୍ତି ଏବଂ ସେ ଦେବତାମାନଙ୍କ ଦ୍ୱାରା ପୂଜିତ।
ମହାଲକ୍ଷ୍ମୀ ଅଷ୍ଟକର ଶେଷରେ କୁହାଯାଇଛି- ଯେଉଁମାନେ ଭକ୍ତିର ସହିତ ଏହା ପାଠ କରନ୍ତି, ସେମାନଙ୍କର ସର୍ବସିଦ୍ଧି ହୁଏ। ସେମାନେ ରାଜ୍ୟ ବା ସୌଭାଗ୍ୟ ଲାଭ କରନ୍ତି। ଯେଉଁମାନେ ଏହା ଦିନକୁ ଥରେ ପଢ଼ନ୍ତି, ସେମାନଙ୍କର ମହାପାପର ବିନାଶ ଘଟେ ଏବଂ ଯେଉଁମାନେ ଏହା ତ୍ରିକାଳରେ ତ୍ରିବାର ପାଠ କରନ୍ତି, ସେମାନେ ଧନଧାନ୍ୟ ପ୍ରାପ୍ତ ହୁଅନ୍ତି। ସେମାନଙ୍କର ମହାଶତ୍ରୁ ବିନାଶପ୍ରାପ୍ତ ହୁଅନ୍ତି ଏବଂ ମହାଲକ୍ଷ୍ମୀ ସେମାନଙ୍କ ପ୍ରତି ଚିର ପ୍ରସନ୍ନ ହୋଇ ବରଦାନ ଦିଅନ୍ତି। ସେମାନଙ୍କର ସର୍ବଶୁଭ ହୁଏ।

ସମ୍ବନ୍ଧିତ ଖବର