ଶୁଭଶ୍ରୀ ମୃତ୍ୟୁ ମାମଲା: ପୁରୁଷବନ୍ଧୁଙ୍କ ରାଗରୁ ଆତ୍ମହତ୍ୟା

ଭୁବନେଶ୍ବର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବହୁଚର୍ଚ୍ଚିତ ଶୁଭଶ୍ରୀ ମୃତ୍ୟୁ ମାମଲାର ରହସ୍ୟ ଭେଦ କରିଛି କମିସନରେଟ୍‌ ପୁଲିସ। ଆରମ୍ଭରୁ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ପୁଲିସ ଶେଷରେ ଏହା ଏକ ଆତ୍ମହତ୍ୟା ବୋଲି ପ୍ରମାଣ ପାଇଛି। ତେବେ ଆତ୍ମହତ୍ୟା ପଛରେ ଶୁଭଶ୍ରୀଙ୍କ ପୁରୁଷବନ୍ଧୁ ଚିତ୍ତରଞ୍ଜନ ଜେନା(୨୫)ଙ୍କ ହାତ ଥିବା ପ୍ରମାଣ ପାଇବା ପ‌ରେ ପୁଲିସ ତାଙ୍କୁ ଗିରଫ କରିଛି। ଶୁଭଶ୍ରୀଙ୍କ ସ୍ବାମୀ ଅନନ୍ତ ନାରାୟଣ ନାଥ ଓ ଟ୍ୟୁସନ୍‌ ଶିକ୍ଷୟିତ୍ରୀଙ୍କ ବୟାନ୍‌ ସମେତ ଅଭିଯୁକ୍ତ ପୁରୁଷବନ୍ଧୁ ଚିତ୍ତରଞ୍ଜନଙ୍କ ସ୍ବୀକାରୋକ୍ତିକୁ ଆଧାର କରି ପୁଲିସ ଏହି ରହସ୍ୟର ପର୍ଦ୍ଦାଫାସ କରିଛି। ଏମିତିକି ପୁଲିସ ଚିତ୍ତରଞ୍ଜନଠାରୁ ଶୁଭଶ୍ରୀଙ୍କ ଓଢ଼ଣି ଜବତ କରିଛି। ଖୋର୍ଦ୍ଧା ବରୁଣେଇ ପାହାଡ଼ ନିକଟରୁ ଏକ ବୁଦାମୂଳରୁ ପୁଲିସ ଓଢ଼ଣି ପାଇଛି। ଆଜି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଏହି ମାମଲା ବାବଦ‌ରେ ସମସ୍ତ ସୂଚନା ଦେଇଛନ୍ତି।

୩ ବର୍ଷର ପ୍ରେମ ସମ୍ପର୍କ

୨୦୧୪ ମସିହାରେ ଶୁଭଶ୍ରୀ ଭଲ ପାଇ ଅନନ୍ତ ନାରାୟଣ ନାଥଙ୍କୁ ବିବାହ କରିଥିଲେ। ସେମାନଙ୍କର ଏକ ୩ ବର୍ଷର ପୁଅ ଅଛି। ମାତ୍ର ଏହା ଭିତରେ ଶୁଭଶ୍ରୀ ନୟାଗଡ଼ ଇଟାମାଟି ଅଞ୍ଚଳର ଚିତ୍ତରଞ୍ଜନ ଜେନା ଓରଫ୍ ବାବୁନାକୁ ଭଲ ପାଇ ବସିଲେ। ଉଭୟଙ୍କ ଘର ଇଟାମାଟି ଅଞ୍ଚଳରେ। ଏହାଛଡ଼ା ସେମାନେ ଦୂର ସମ୍ପର୍କୀୟ ମଧ୍ୟ। ୨୦୧୯ ମସିହାରେ ନୟାଗଡ଼ର ଏକ ବ୍ୟାଚ୍‌ ପାର୍ଟିରେ ଉଭୟ ଭେଟାଭେଟି ‌ହୋଇଥିଲେ ଏବଂ ସେଠାରୁ ସେମାନଙ୍କ ସମ୍ପର୍କ ଆଗକୁ ବଢ଼ିଥିଲା। ଫୋନ୍‌ ନମ୍ବର ଦିଆନିଆ ହୋଇଥିଲା। ପରେ ଫେସ୍‌ବୁକ୍‌ ଜରିଆରେ ସେମାନଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥିଲା। ଫୋନ୍‌‌ରେ ଘଣ୍ଟା ଘଣ୍ଟା କଥାବାର୍ତ୍ତା ଓ ଚାଟିଂ ସେମାନଙ୍କ ବନ୍ଧୁତା ସମ୍ପର୍କକୁ ଧୀରେଧୀରେ ପ୍ରେମ ଆଡ଼କୁ ଟାଣିନେଇଥିଲା। ଭୁବନେଶ୍ବରରେ ଏକ ଘରୋଇ ସ୍କୁଲ୍‌ର ବସ୍‌ଚାଳକ ଥିବା ବାବୁନା ଓ ଶୁଭଶ୍ରୀଙ୍କ ମଧ୍ୟରେ ମିଳାମିଶା ପାଇଁ କିଛି ସମସ୍ୟା ନଥିଲା।

କାରଣ ଶୁଭଶ୍ରୀଙ୍କ ସ୍ବାମୀ ଅନନ୍ତ ତାଙ୍କ ଚାକିରି କାମରେ ବହୁ ସମୟରେ ବାହାରକୁ ଯାଉଥିଲେ। ଅନନ୍ତ ଭୁବନେଶ୍ବର ବାହାରକୁ ଯିବା ମଉକାରେ ସେମାନେ ବୁଲାବୁଲି କରୁଥିଲେ। ଏମିତିକି ହୋଟେଲ କିମ୍ବା ଓୟୋରେ ରହୁଥିଲେ। ତେବେ ସେମାନଙ୍କ ଲୁଚାଛପା ପ୍ରେମ ବେଶି ଦିନ ଅଛପା ହୋଇ ରହିନଥିଲା। ଅନନ୍ତଙ୍କ କାନକୁ କଥା ଯାଇଥିଲା। ଏନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଓ ଶୁଭଶ୍ରୀ କ୍ଷମା ମାଗିଥିଲେ। ଆଉ କେବେ ବି ବାବୁନା ସହ ମିଶିବ‌େ ନାହିଁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏସବୁ କେବଳ ଧର୍ମକୁ ଆଖିଠାର ଭଳି ଥିଲା। ଖାସ ଏହି କାରଣରୁ ଅନନ୍ତ ପଟିଆ ଛାଡ଼ି ଶାସ୍ତ୍ରୀନଗରକୁ ଚାଲି ଆସିଥିଲେ ବି ଶୁଭଶ୍ରୀ ଓ ବାବୁନାଙ୍କ ସମ୍ପର୍କ ପୁଣି ପୂର୍ବ ଭଳି ଜାରି ରହିଥିଲା। ଏଥର ସେମାନେ ବେଶ୍ ସତର୍କ ହୋଇ ମିଳାମିଶା କରୁଥିଲେ। ଉଭୟ ହ୍ବାଟସ୍‌ଆପ୍‌ କଲ୍‌ରେ କଥା ହେଉଥିଲେ ଓ ଚାଟିଂ ବି କରୁଥିଲେ। କିନ୍ତୁ ସଙ୍ଗେସଙ୍ଗେ ସବୁ କଲ୍‌ ଓ ମେସେଜ୍‌ ଡିଲିଟ୍‌ କରିଦେଉଥିଲେ। ତେଣୁ ଅନନ୍ତ ଆଉ‌ ସେତେଟା ସନ୍ଦେହ କରୁନଥିଲେ।

ସ୍ବାମୀଙ୍କ ସାଙ୍ଗ ବିଗାଡ଼ିଲେ ବାବୁନା-ଶୁଭଶ୍ରୀ ସମ୍ପର୍କ

ଗତ କିଛି ଦିନ ହେଲା ଶୁଭଶ୍ରୀ ଓ ବାବୁନା ମଧ୍ୟରେ କିଛିଟା ତିକ୍ତତା ଉପୁଜିଥିଲା। ସ୍ବାମୀ ଅନନ୍ତଙ୍କ ଜଣେ ସାଙ୍ଗ ଓ ଶୁଭଶ୍ରୀଙ୍କ ମିଳାମିଶା ଥିଲା ସେମାନଙ୍କ ସମ୍ପର୍କ ବିଗିଡ଼ିବାର ମୂଳ କାରଣ। ଉକ୍ତ ଯୁବକଙ୍କ ସହ ଶୁଭଶ୍ରୀଙ୍କ ମିଳାମିଶାକୁ ପ୍ରବଳ ବିରୋଧ କରୁଥିଲା ବାବୁନା। ଏମିତିକି ବହୁଥର ବାରଣ କରିଥିଲା। ମାତ୍ର ସେମାନଙ୍କ ଭିତରେ କିଛି ଖରାପ ସମ୍ପର୍କ ନାହିଁ ବୋଲି ଶୁଭଶ୍ରୀ ବାରମ୍ବାର ବୁଝାଉଥିଲେ। କିନ୍ତୁ ବାବୁନା ମନରେ ସୃଷ୍ଟି ହୋଇଥିବା ସନ୍ଦେହ ସହଜରେ ଦୂର ହେଉନଥିଲା। ଏହା ଭିତରେ ସେ ଶୁଭଶ୍ରୀଙ୍କ ଫୋନ୍‌ରୁ ହ୍ବାଟ୍‌ସଆପ୍‌ ଓ ମେସେଞ୍ଜର ଚାଟିଂ ଆଦି ଯାଞ୍ଚ କରିଥିଲା। ସେଥିରୁ କିଛି ସୁରାକ ପାଇବା ପରେ ସେ ରାଗି ଯାଇଥିଲା। ଏମିତିକି ଏନେଇ ସେ ଶୁଭଶ୍ରୀଙ୍କୁ ମାଡ଼ ମାରୁଥିଲା ଓ ସମ୍ପର୍କ କାଟି ଦେବାକୁ ଧମକ ଦେଉଥିଲା। ଗତ ୨୯ ତାରିଖର ଘଟଣା। ସ୍ବାମୀ ଅନନ୍ତ ଜଗତସିଂହପୁର ନିକଟ ତାଙ୍କ ଗାଁକୁ ଯାଇଥିଲେ। ସନ୍ଧ୍ୟାବେଳେ ଶୁଭଶ୍ରୀ କୌଣସି କାମରେ ଉକ୍ତ ଯୁବକଙ୍କ ସହ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। କୌଣସି ସୂତ୍ରରୁ ବାବୁନା ଏହି ଖବର ପାଇଥିଲା। ଶୁଭଶ୍ରୀ ଘରକୁ ଫେରିବା ପରେ ପହଞ୍ଚିଥିଲା ବାବୁନା। କୁଆଡ଼େ ଓ କାହିଁକି ଉକ୍ତ ଯୁବକ ସହ ସେ ଯାଇଥିଲେ ବୋଲି ଜବାବ ମାଗି ଝଗଡ଼ା କରିଥିଲା। ଏମିତିକି ସେ ଶୁଭଶ୍ରୀଙ୍କୁ ପ୍ରବଳ ମାଡ଼ ମାରିଥିଲା। ସବୁଦିନ ପାଇଁ ତାକୁ ଭୁଲିଯିବାକୁ କହି ବାବୁନା ଫେରି ଯାଇଥିଲା।

କାହିଁକି ‌କଲେ ଆତ୍ମହତ୍ୟା‌

୨୯ ତାରିଖ ରାତିର ଗଣ୍ଡ‌ଗୋଳ ପରେ ୩୦ ତାରିଖ ଦିନ ସାରା କେହି କାହାକୁ ଫୋନ୍‌ କରିନଥିଲେ। କିନ୍ତୁ ସନ୍ଧ୍ୟାବେଳକୁ ଶୁଭଶ୍ରୀଙ୍କ ମନ ବ୍ୟାକୁଳ ହୋଇଉଠିଥିଲା। ପୁଅକୁ ଟ୍ୟୁସନ୍‌ରେ ଛାଡ଼ି ଆସିବା ପରେ ସେ ବାବୁନାକୁ ଫୋନ୍‌ କରିଥିଲେ। ମାତ୍ର ବାରମ୍ବାର କଲ୍‌ କରିବା ପରେ ବି ବାବୁନା ଫୋନ୍‌ ଉଠାଇନଥିଲା। ୬ଟାରୁ ୬ଟା ୪୫ ମିନିଟ୍‌ ଭିତରେ ସେ ପ୍ରାୟ ୧୦ ଥର ଫୋନ୍‌ କରିଥିଲେ। ଶେଷରେ ବାବୁନା ଫୋନ୍‌ ଉଠାଇଥିଲା ସିନା କିନ୍ତୁ ଉକ୍ତ ଯୁବକଙ୍କୁ ନେଇ ଗାଳିଗୁଲଜ କରିଥିଲା। ଶୁଭଶ୍ରୀ ଘରକୁ ଆସି କଥା ହେବାକୁ ବାରମ୍ବାର ଡାକିଥିଲେ ବି ସେ ମନା କରିଥିଲା। ଏମିତିକି ଶୁଭଶ୍ରୀ ଆତ୍ମହତ୍ୟା କରିଦେବେ ବୋଲି କହିଲେ ବି ବାବୁନା କର୍ଣ୍ଣପାତ ନକରି ଫୋନ୍‌ କାଟି ଦେଇଥିଲା। ଏହା ଶୁଭଶ୍ରୀଙ୍କୁ ବେଶ୍ ଆଘାତ ଦେଇଥିଲା ଓ ସେ ବେକରେ ଓଢ଼ଣି ବାନ୍ଧି ଫ୍ୟାନ୍‌ରେ ଝୁଲିପଡ଼ିଥିଲେ।

ପ୍ରଥମେ ଦେଖି‌ଥିଲେ ଟ୍ୟୁସନ୍‌ ମାଡାମ୍‌

ଶୁଭଶ୍ରୀଙ୍କ ଆତ୍ମହତ୍ୟା ଧମକକୁ ବାବୁନା ହାଲୁକା ଭାବେ ନେଇଥିଲେ ବି ତା’ ମନରେ ସନ୍ଦେହ ହୋଇଥିଲା। ତେଣୁ ସେ ତୁରନ୍ତ ଟ୍ୟୁସନ ମାଡାମ୍‌ଙ୍କୁ ଫୋନ୍‌ କରି ଜଣାଇଥିଲା। ସେ ଟ୍ୟୁସନ ଛାଡ଼ି ଶୁଭଶ୍ରୀଙ୍କ ଘରକୁ ଯାଇଥିଲେ। ସେ‌‌ତେବେଳକୁ ଶୁଭଶ୍ରୀ ଫ୍ୟାନ୍‌ରେ ଝୁଲୁଥିଲେ। ଭୟଭୀତ ହୋଇ ଟ୍ୟୁସନ ଶିକ୍ଷୟିତ୍ରୀ ଘରକୁ ଫେରିଯାଇ ବାବୁନାକୁ ଫୋନ୍ କରି ଜଣାଇଥିଲେ। ଖବର ପାଇ ବାବୁନା ଶୁଭଶ୍ରୀଙ୍କ ପାଖକୁ ଚାଲିଆସିଥିଲା ଏବଂ ଫ୍ୟାନ୍‌ରୁ ତାଙ୍କୁ ଓହ୍ଲାଇ ମୁହଁରେ ପାଣି ଛାଟିଥିଲା। ହେଲେ‌ ସେତେବେଳକୁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଅଚାନକ ଏସବୁ ଘଟିଯିବାରୁ ବାବୁନାର ଅକଲ ଗୁଡ଼ୁମ୍‌ ହୋଇଯାଇଥିଲା। ମୃତଦେହକୁ ଖଟରେ ଶୁଆଇ ଓଢ଼ଣିକୁ ନେଇ ସ୍କୁଟି ଯୋଗେ ସିଧା ନୟାଗଡ଼ ବାହାରି ଯାଇଥିଲା। ଏହା ଭିତରେ ଟ୍ୟୁସନ ଶିକ୍ଷୟିତ୍ରୀ ଘର ମାଲିକଙ୍କୁ ଓ ଅନନ୍ତଙ୍କୁ ଜଣାଇଦେଇଥିଲେ ବି ବାବୁନା ଫେରାର୍ ହୋଇଯାଇଥିଲା।

ସିନ୍‌ ରିକ୍ରିଏସନ୍‌ କଲା

ଆଜି ଖାରବେଳନଗର ଥାନା ପୁଲିସ ବାବୁନାକୁ ନେଇ ଭଡ଼ା ଘରେ ସିନ୍‌ ରିକ୍ରିଏସନ୍ କରାଇଥିଲା। ସେ କିଭଳି ଶୁଭଶ୍ରୀଙ୍କ ମୃତଦେହକୁ ଫ୍ୟାନ୍‌ରୁ ଓହ୍ଲାଇଥିଲା, ବେକରୁ ଓଢ଼ଣି ଖୋଲିଥିଲା ଇତ୍ୟାଦି ପୁଲିସକୁ ଦେଖାଇଥିଲା। ଏହାପରେ ପୁଲିସ ଟିମ୍‌ ସହ ଯାଇ ବରୁଣେଇ ପାହାଡ଼ ନିକଟରୁ ଜରିରେ ଲୁଚାଇଥିବା ଓଢ଼ଣିକୁ ଆଣିଥିଲା।

ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଛି

ଶୁଭଶ୍ରୀଙ୍କ ବ୍ୟବଚ୍ଛେଦ ରିପୋର୍ଟ ମିଳିଛି। ଶ୍ୱାସରୁଦ୍ଧ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ସେହିପରି ଶୁଭଶ୍ରୀଙ୍କୁ ମାଡ଼ ମରାଯାଇଥିବା ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି। ତେବେ ମୃତ୍ୟୁ ପୂର୍ବରୁ ସେ କୌଣସି ବିଷାକ୍ତ ଖାଦ୍ୟ ଖାଇଥିଲେ କି ନାହିଁ ଜାଣିବା ପାଇଁ ଫୋରେନ୍‌ସିକ୍ ଲାବ୍‌କୁ ନମୁନା ପଠାଯାଇଛି।

ସମ୍ବନ୍ଧିତ ଖବର