ଭୁବନେଶ୍ୱର: ‘ଭିଗୋ’ ଭିଡିଓରେ କେତେକ ଯୁବତୀ ସାପକୁ ଚୁମା ଦେଉଥିବାର ଦୃଶ୍ୟକୁ ନେଇ ତନାଘନା ହେବା ପରେ ଅପ୍ଲୋଡ୍କାରୀ ଗିରଫ ହୋଇଛି। ସାପ ସହ ଯୁବତୀମାନଙ୍କ ଏହି ଭିଡିଓ ବେଶ୍ ଆଦୃତି ଲାଭ କରିଥିବାରୁ ଅପ୍ଲୋଡ୍କାରୀ ଗୋଟିଏ ଭିଡିଓରେ ୮ ହଜାର ଟଙ୍କା ରୋଜଗାର କରିଥିବା ପ୍ରମାଣ ମିଳିଛି। ‘ଭି-ମେଟ୍’ ପକ୍ଷରୁ ଗିରଫ ଅଭିଯୁକ୍ତ ବରଗଡ଼ର ଅଶୋକ ମେହେର ଓରଫ ରୋହିତକୁ ଏହି ଅର୍ଥ ଅନ୍ଲାଇନ୍ରେ ପ୍ରଦାନ କରାଯାଇଛି। ଗୋଟିଏ ଭିଡିଓ ପାଇଁ ଗୋଟିଏ ସପ୍ତାହରେ ୮ ହଜାର ଟଙ୍କା ରୋଜଗାର ହୋଇଥିବା ବେଳେ ଏଭଳି ଶତାଧିକ ଭିଡିଓ ଅପ୍ଲୋଡ୍ ହୋଇଥିବା ପ୍ରମାଣ ରହିଛି। କେବଳ ଭିଗୋ ନୁହେଁ, ଏହି ଭିଡିଓକୁ ଭିନ୍ନଭିନ୍ନ ସୋସିଆଲ ମିଡିଆରେ ଅପ୍ଲୋଡ୍ କରାଯାଇ ଅର୍ଥ ସଂଗ୍ରହ କରାଯାଇଛି। ଏଣୁ ଏହି ସବୁ ଭିଡିଓ ପାଇଁ ଲକ୍ଷଲକ୍ଷ ଟଙ୍କା ରୋଜଗାର ହୋଇଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। ବେଆଇନ ଭାବରେ ଏହି ଅର୍ଥ ରୋଜଗାର ହୋଇଥିବାରୁ ଅର୍ଥ ପ୍ରଦାନ କରିଥିବା ସଂସ୍ଥାମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ଅର୍ଥଗ୍ରହଣ କରିଥିବା ବ୍ୟକ୍ତିମାନଙ୍କ ଆକାଉଣ୍ଟ ଜବତ କରିବା ପାଇଁ ଅବୈତନିକ ବନ୍ୟପ୍ରାଣୀ ତତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି। ସମ୍ପୃକ୍ତ ଭିଡିଓଗୁଡ଼ିକ ଏହି ସବୁ ଅର୍ଥ ଉପାର୍ଜନକାରୀ ସୋସିଆଲ ମିଡିଆରେ ରହିଥିବାରୁ ସିଧାସଳଖ ବ୍ୟାଙ୍କ୍ ଆକାଉଣ୍ଟକୁ ଅର୍ଥ ଆସୁଛି। ଗୋଟିଏ ପଟେ ସାପ ଖେଳାଇ ପେଟ ପୋଷୁଥିବା ସାପୁଆ କେଳାଙ୍କୁ ସରକାର ବୃତ୍ତି ନିବୃତ୍ତ କରିଥିବା ବେଳେ ଏଭଲି ଅନ୍ଲାଇନ୍ରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାରକୁ କିଭଳି ସୁଯୋଗ ଦିଆଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp