ଭୁବନେଶ୍ୱର : ବିଏମ୍ସି ନିର୍ବାଚନ ପାଇଁ ଗୁରୁବାର ଥିଲା ନାମାଙ୍କନପତ୍ର ଦାଖଲର ଦ୍ବିତୀୟ ଦିନ। ପ୍ରଥମ ଦିନରେ ଜଣେ ହେଲେ ପ୍ରାର୍ଥୀ ନାମାଙ୍କନ କରିନଥିବା ବେଳେ ଗୁରୁବାର ଦିନ କର୍ପୋରେଟର୍ ପଦ ପାଇଁ ୪ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେଥିମଧ୍ୟରୁ ବିଜେପିର ୩ଜଣ ପ୍ରାର୍ଥୀ ଥିବା ବେଳେ ସିପିଆଇରୁ ଜଣେ ରହିଛନ୍ତି। ତେବେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ତାଲିକା ସ୍ପଷ୍ଟ ହୋଇନଥିବାରୁ ଏହି ଦୁଇ ପ୍ରମୁଖ ଦଳ ପକ୍ଷରୁ କେହି ନାମାଙ୍କନ ଦାଖଲ କରିନାହାନ୍ତି।
/sambad/media/post_attachments/wp-content/uploads/2022/03/m11.jpg)
ନାମାଙ୍କନ ଦାଖଲ କରିଥିବା ବିଜେପି ପ୍ରାର୍ଥୀମାନେ ହେଲେ, ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ୱାର୍ଡ ନମ୍ବର ୩୭ରୁ ସ୍ବର୍ଣ୍ଣପ୍ରଭା ବେହେରା, ୱାର୍ଡ ନମ୍ବର ୩୮ ପାଇଁ ପାର୍ବତୀ ଜଗଦେବ ଓ ୱାର୍ଡ ନମ୍ବର ୪୧ ପାଇଁ ମିନତି ବେହେରା। ଏହି ତିନିଜଣ ବିଜେପି ଦଳ ପକ୍ଷରୁ ନାମାଙ୍କନ କରିଥିବା ଦର୍ଶାଇଛନ୍ତି। କିନ୍ତୁ ସେମାନେ ବିଜେପିର ଟିକେଟ୍ ଦାଖଲ କରିନାହାନ୍ତି। ୯ ତାରିଖ ପୂର୍ବରୁ ଏମାନେ ଦଳୀୟ ଟିକେଟ୍ ନ ଦେଖାଇଲେ, ସେମାନଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ବିବେଚନା କରାଯିବ। ସେହିଭଳି ୱାର୍ଡ ନମ୍ବର ୯ ପାଇଁ ସିପିଆଇରୁ ପାର୍ବତୀ ବାରିକ ନାମାଙ୍କନ କରିଛନ୍ତି। ଏହି ୱାର୍ଡ ଅଣସଂରକ୍ଷିତ ରହିଛି।
ତେବେ ମେୟର୍ ପଦ ପାଇଁ କୌଣସି ନାମାଙ୍କନ ଦାଖଲ ହୋଇନାହିଁ। ଗତକାଲି ମେୟର ପଦ ପାଇଁ ୫ଜଣ ନାମାଙ୍କନପତ୍ର ନେଇଥିବା ବେଳେ ଆଜି ଆଉ ୩ଜଣ ନେଇଛନ୍ତି। ଦୁଇ ଦିନରେ ମୋଟ ୮ଟି ନାମାଙ୍କନପତ୍ର ଇସ୍ୟୁ ହୋଇଛି। ସେହିଭଳି ଗତକାଲି କର୍ପୋରେଟର୍ ପଦ ପାଇଁ ୧୯୪ଟି ଆବେଦନପତ୍ର ଇସ୍ୟୁ ହୋଇଥିବା ବେଳେ ଆଜି ଆଉ ୧୭୭ଜଣ ଫର୍ମ ନେଇଛନ୍ତି। ୨ ଦିନରେ ମୋଟ ୩୭୧ଟି ନାମାଙ୍କନପତ୍ର ଇସ୍ୟୁ ହୋଇଛି। ଫର୍ମ ନେବା ପାଇଁ ନିର୍ବାଚନ ଅଧିକାରୀ ତଥା ଏଡିଏମ୍ଙ୍କ କାର୍ଯ୍ୟାଳୟ ବାହାରେ ୩ଟି କାଉଣ୍ଟର୍ ହୋଇଥିବା ବେଳେ ମନୋନୟନପତ୍ର ଦାଖଲ କରିବାକୁ କାର୍ଯ୍ୟାଳୟ ପରିସରରେ ୧୧ଟି କାଉଣ୍ଟର୍ ହୋଇଛି। ୬୭ ୱାର୍ଡକୁ ଏହି ୧୧ଟି କାଉଣ୍ଟର୍ରେ ବାଣ୍ଟି ଦିଆଯାଇଛି। ୱାର୍ଡ ଅନୁସାରେ ନିର୍ଦ୍ଧାରିତ କାଉଣ୍ଟର୍ରେ ନାମାଙ୍କନପତ୍ର ଦାଖଲ ହେଉଛି। ଆଜି ଶାନ୍ତିଶୃଙ୍ଖଳାର ସହ ଏହି ୪ଟି ନାମାଙ୍କନପତ୍ର ଦାଖଲ ହୋଇଛି। ନାମାଙ୍କନପତ୍ର ନେବା ପ୍ରକ୍ରିୟା ମଧ୍ୟ ଦୁଇଦିନ ହେବ ଶୃଙ୍ଖଳାର ସହ ଚାଲିଥିବା ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ବାଇଁ।
/sambad/media/post_attachments/wp-content/uploads/2022/03/m12.jpg)
ବିଏମ୍ସି ୬୭ ୱାର୍ଡରେ ୭୦୫ଟି ବୁଥ୍ ରହିଛି। ପ୍ରତ୍ୟେକ ବୁଥ୍ରେ ଦୁଇଟି ହିସାବରେ ୧୪୧୦ ଓ ଅତିରିକ୍ତ ୧୦୦ ଏଭଳି ୧୫୧୦ଟି ଇଭିଏମ୍ର ଆବଶ୍ୟକତା ରହିଛି। ଦୁଇଦିନ ଭିତରେ ଇଭିଏମ୍ ମେସିନ୍ଗୁଡ଼ିକ ଏଡିଏମ୍ କାର୍ଯ୍ୟାଳୟରେ ପହଞ୍ଚିବ। ସେଗୁଡ଼ିକୁ ପରୀକ୍ଷା ନିରୀକ୍ଷା କରାଯିବା ପରେ ଚଳନକ୍ଷମ କରାଯାଇ ବୁଥ୍ମାନଙ୍କୁ ପଠାଯିବ। ମତଦାନ ସମୟରେ କୌଣସି ସମସ୍ୟା ହେଲେ ଅତିରିକ୍ତ ଇଭିଏମ୍ଗୁଡ଼ିକ କାମ ଚଳାଇବେ ବୋଲି ସୂଚନା ମିଳିଛି।
ଆଜି କେତେକ ପ୍ରମୁଖ ଦଳର ପ୍ରାର୍ଥୀ ଚୟନ ଶେଷ ହେବାକୁ ଯାଉଛି। ଏଣୁ ପ୍ରମୁଖ ଦଳ ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେଲେ ପ୍ରବଳ ଭିଡ଼ ହେବା ଆଶଙ୍କା ରହିଛି। ତେବେ ଯଥେଷ୍ଟ ପରିମାଣର କାଉଣ୍ଟର୍ ହୋଇଥିବାରୁ ସମସ୍ୟା ହେବ ନାହିଁ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବିଏମ୍ସି ୬୭ ୱାର୍ଡରେ ମୋଟ ୭ ଲକ୍ଷ ୨୫ ହଜାର ୭୬୫ ଭୋଟର ମତଦାନ କରିବେ। ସେଥିମଧ୍ୟରୁ ୩ ଲକ୍ଷ ୯୪ ହଜାର ୫୧୦ ପୁରୁଷ ଓ ୩ ଲକ୍ଷ ୩୦ ହଜାର ୮୧୫ ମହିଳା ଓ ୪୪୦ ଅନ୍ୟାନ୍ୟ ମତଦାତା ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/m10.jpg)