ଭୁବନେଶ୍ବର: ରାଜଧାନୀରେ ସୁଲଭମୂଲ୍ୟରେ ଘର ଯୋଗାଇ ଦେବାପାଇଁ ଭିତ୍ତିଭୂମି ପ୍ରସ୍ତୁତ କରୁଛି ବିଡିଏ। ହେଲେ ଅଧିକାରୀଙ୍କ ପିସି ଲୋଭରୁ ପ୍ରକଳ୍ପ ବିଳମ୍ବ ହେବାରେ ଲାଗିଛି। ଖର୍ଚ୍ଚ ମଧ୍ୟ ବଢ଼ିବଢ଼ି ଚାଲିଛି। ଖର୍ଚ୍ଚ କେମିତି ବଢ଼ିବ ସେ ନେଇ ପ୍ରତିଦିନ ଦାୟିତ୍ବରେ ଥିବା ଅଧିକାରୀ ଓ ଇଞ୍ଜିନିୟର ମାନସମନ୍ଥନ କରୁଛନ୍ତି ଓ ବାଟ ବାହାର କରୁଛନ୍ତି। ବସ୍ତିବାସିନ୍ଦାଙ୍କ ବ୍ୟତୀତ ଅନ୍ୟ ଆବାସିକ ପ୍ରକଳ୍ପରେ ଭୋଟ୍‌ବ୍ୟାଙ୍କ୍‌ ନଥିବାରୁ, ବସ୍ତିବାସିନ୍ଦାଙ୍କୁ ଫ୍ଲାଟ୍‌ ଚାବି ହସ୍ତାନ୍ତର ସମୟରେ ଫଟୋ ଉଠାଇବା ବ୍ୟବସ୍ଥା ନାହିଁ। ଏଣୁ ନେତାମନ୍ତ୍ରୀ ମଧ୍ୟ ଏଥିରେ ମୁଣ୍ଡ ପୁରାଉନାହାନ୍ତି। ଫଳରେ କଙ୍କଡ଼ାକୁ ‌ଗୋଳି ପାଣି ସୁହାଇବା ଭଳି ଅଧିକାରୀମାନଙ୍କୁ ସୁହାଇଛି। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ସୁବୁଦ୍ଧିପୁର ‘ଏକାମ୍ର ରେସିଡେନ୍‌ସି’। 

Advertisment

୨୦୧୮ ମସିହାରେ ବିଡିଏ ସୁବୁଦ୍ଧିପୁରରେ ଆରମ୍ଭ କରିଥିଲା ଆବାସିକ ପ୍ରକଳ୍ପ ‘ଏକାମ୍ର ରେସିଡେନ୍‌ସି’। ଏଥିରେ ୭୦୪ଟି ଫ୍ଲାଟ୍‌ ରାହିବା ବ୍ୟବସ୍ଥା ଥିଲା। ସେଥିରୁ ୨ବିଏଚ୍‌କେ ୪୧୬ ଓ ୩ ବିଏଚ୍‌କେ ୨୮୮ଟି ରହିଥିଲା। ପ୍ରକଳ୍ପ ମୂଲ୍ୟ ରହିଥିଲା ୪ଶହ କୋଟି। ୪ରୁ ୫ ବର୍ଷ ମଧ୍ୟରେ ଏହା ସରିବାକୁ ଥିଲା। କମ୍ପୋଜିଟ୍‌ ଟେଣ୍ଡର ବ୍ୟବସ୍ଥାରେ ଏକ ଅଣଓଡ଼ିଆ ସଂସ୍ଥା ଏହି କାମ ଆରମ୍ଭ କରିଥିଲା। ୨୦୨୨-୨୩ରେ ସରିବାକୁ ଥିବା ପ୍ରକଳ୍ପ ସରିପାରିଲା ନାହିଁ। ବରଂ ଖର୍ଚ୍ଚ ବଢ଼ି ବଢ଼ି ଚାଲିଥିଲା। ଟେଣ୍ଡରରେ ୨୦ଟି ଲିଫ୍‌ଟ ବ୍ୟବସ୍ଥା କରିବାକୁ ଥିଲା। କିନ୍ତୁ ୩୩ଟି ଆବଶ୍ୟକ ବୋଲି ଦାୟିତ୍ବରେ ଥିବା ଅଧିକାରୀ ଦର୍ଶାଇଲେ। ଯେଉଁ ସଂସ୍ଥା ଟେଣ୍ଡର ନେଇଥିଲା ସେହି ସଂସ୍ଥାକୁ ଏହି ଅତିରିକ୍ତ ଲିଫ୍‌ଟ ଲଗାଇବାକୁ ଦେଲେନାହିଁ। ବରଂ ଆଉ ଏକ ସଂସ୍ଥାକୁ ଡାକି ଟେଣ୍ଡର ଦେଇଦେଲେ। ଅର୍ଥାତ୍‌ ଗୋଟିଏ ସଂସ୍ଥା ୨୦ଟି ଓ ଆଉ ଗୋଟିଏ ସଂସ୍ଥା ୧୩ଟି ଲିଫ୍‌ଟ ଲଗାଇଲା। ଫଳରେ ୪ରୁ ୫ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହେଲା। ଏହି ଲିଫ୍‌ଟ ଲଗାଇବା ପାଇଁ ମୂଳ ଠିକାଦାର ସହ ପିସି ହିସାବ ନଛିଣ୍ଡିବାରୁ ନୂଆ ଠିକାଦାର ଚୟନ କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ପିସି ବାବଦକୁ ୨୦ ଲକ୍ଷ ଆସିଥିଲା।

ଜଣେ ନେଲା ଠିକା, ବିଡିଏ ଲଗାଇଲା ଲିଫ୍ଟ, ହୋଇପାରୁନି ବିଦ୍ୟୁତ୍‌ ସଂଯୋଗ

ଏତିକିରେ କଥା ସରିଲାନି। ବରଂ ଏହାର ରକ୍ଷଣାବେକ୍ଷଣ ବାବଦରେ ମଧ୍ୟ ଯେଉଁ ଖର୍ଚ୍ଚ ହେବ ସେଥିରେ ବି ଅଧିକାରୀ ଓ ଇଞ୍ଜିନିୟରମାନେ ପିସି ହାତେଇଥିବା ଅଭିଯୋଗ ହୋଇଛି। ଏଣେ କିନ୍ତୁ ପ୍ରକଳ୍ପ ସରିପାରୁନି। ୭ ବର୍ଷ ହେବ ବିଡିଏର ପ୍ରାୟ ୪୫୦ କୋଟି ଟଙ୍କା ପଡ଼ି ରହିଛି। ଏବେ ବି ଖର୍ଚ୍ଚ ଚାଲିଛି। ପ୍ରକଳ୍ପ ସରିନାହିଁ। ଗୋଟିଏ ଫ୍ଲାଟ୍‌କୁ ଅତି କମ୍‌ରେ ୬୦ରୁ ୭୦ ଲକ୍ଷ ଟଙ୍କା ହେଲେ ବିଡିଏ ଏଥିରୁ ୪୨୦ କୋଟି ପାଇବାକୁ ଯାଉଛି। ଯଦି ୨୦୨୩ରେ କାମ ସରିଥାନ୍ତା ‌ତେବେ ଏହି ଅର୍ଥ ବିଡିଏ ଦୁଇ ବର୍ଷ ତଳୁ ପାଇ ସାରନ୍ତାଣି। କିନ୍ତୁ ଅଧିକାରୀଙ୍କ ପିସି ଖେଳରେ ପ୍ରକଳ୍ପ ବାଜିରେ ଲାଗିଛି।  ଏବେ ଏଥିରେ ନୂଆ ସମସ୍ୟା ଉଭା ହୋଇଛି। ପ୍ରକଳ୍ପ ନିର୍ମାଣ କାମ ସରିଥିବା କୁହାଯାଉଥିଲେ ମଧ୍ୟ ବିଜୁଳି ସଂଯୋଗ ଆସିପାରୁ ନାହିଁ। ଏହି ଲିଫ୍‌ଟ ଲଗାଇବା ପାଇଁ ମୂଳ ଠିକାଦାର ସହ ପିସି ହିସାବ ନଛିଣ୍ଡିବାରୁ ନୂଆ ଠିକାଦାର ଚୟନ କରାଯାଇଥିବା ଅଭିଯୋଗ ହୋଇଥିଲା। କେଉଁଠି ସମସ୍ୟା ଅଛି ସେ ନେଇ ଅଧିକାରୀମାନେ କହିବାକୁ ଚାହୁନାହାନ୍ତି। ଏଣେ କିନ୍ତୁ ଏହାକୁ ଆନୁଷ୍ଠାନିକ ଭାବରେ ‘ଲଞ୍ଚ’ କରିବାକୁ ବିଡିଏ ଅଣ୍ଟା ଭିଡ଼ିଛି। ଲଞ୍ଚ ହେବା ପରେ ଫ୍ଲାଟ୍‌ ବୁକିଂ ହେବ। ଏତିକିରେ କଥା ସରିନି। କଳିଙ୍ଗବିହାର ଦେଇ ଏହି ପ୍ରକଳ୍ପକୁ ରହିଥିବା ରାସ୍ତା ଚଉଡ଼ା ଯୋଜନା ହୋଇଛି। ହେଲେ ଏଥିରେ ବି ନିମ୍ନମାନର କାମ ହେଉଥିବା ଅଭିଯୋଗ ହୋଇଛି। ମଝିରେ ମଝିରେ କେବଳ ପିଚୁ ରାମ୍ପି ଦିଆଯାଇଛି। ଏହା ଉପରେ ରାତି ଅଧରେ ପିଚୁ ଢାଳି ଦେବାକୁ ଯୋଜନା ହୋଇଥିବା ଅଭିଯୋଗ ହୋଇଛି। ତେବେ ପିସି ଅଭିଯୋଗକୁ ଖଣ୍ଡନ କରିଛନ୍ତି କର୍ତ୍ତୃପକ୍ଷ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରାଯାଇଛି। ପ୍ରତ୍ୟେକ ଟେଣ୍ଡରରେ ଖର୍ଚ୍ଚ କମ୍‌ ବେଶି ହୁଏ। ଖୁବ୍‌ଶୀଘ୍ର ଏହି ପ୍ରକଳ୍ପ ଆନୁଷ୍ଠାନିକ ଭାବେ ଲଞ୍ଚ୍‌ କରିବାକୁ ଯାଉଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।