ଭୁବନେଶ୍ବର: ଗଙ୍ଗପଡ଼ା ପଞ୍ଚାୟତ ଚାଷଜମିକୁ ଜଳସେଚିତ କରୁଥିବା ଭେଣ୍ଡିଆବନ୍ଧ ଜଳସେଚନ ପ୍ରକଳ୍ପ ୩ ବର୍ଷହେଲା ଭାଙ୍ଗି ପଡ଼ିଛି। ଖୋର୍ଧା ସ୍ଥିତ ଜଳସେଚନ କାର୍ଯ୍ୟାଳୟକୁ ଜଣାଇଲେ ମଧ୍ୟ କୌଣସି ଲାଭ ହେଉନାହିଁ। ପୂର୍ବରୁ ବିଭିନ୍ନ ସମୟରେ ଏହାର ମରାମତି କରାଯାଇଥିଲା, କିନ୍ତୁ ପ୍ରକଳ୍ପ ଅନ୍ତର୍ଗତ ଅନେକ ଜମିକୁ ପାଣି ମାଡ଼େନାହିଁ। ଏଥିଯୋଗୁଁ ପୂର୍ବରୁ ହେଉଥିବା ବିରିଚାଷ ବନ୍ଦ ପଡ଼ିଛି ତ ଧାନଚାଷ ସଙ୍କୁଚିତ ହେବାରେ ଲାଗିଛି। ଗଙ୍ଗପଡ଼ା ପଞ୍ଚାୟତ ସମେତ ଏହାର ନିକଟବର୍ତ୍ତୀ ଗାଁର ପଡ଼ିଆ ଜମି ବର୍ତ୍ତମାନ ବିଲଡର୍ ଓ ଠିକାଦାରମାନଙ୍କ ପାଖକୁ ଚାଲିଯାଉଛି ବୋଲି କହନ୍ତି ଗଙ୍ଗପଡ଼ାର ଦେବରାଜ ସେଠୀ। ଦେବରାଜ ସ୍ନାତକ ପଢ଼ିବା ପରେ ଚାଷ କରୁଛନ୍ତି। କିନ୍ତୁ ପୂର୍ବରୁ ଯେଉଁଠି ୧ ଏକର ଜମିରୁ ତାଙ୍କ ବାପା ୨୦ ବସ୍ତା ଧାନ ଉତ୍ପାଦନ କରୁଥିଲେ, ଆଜି ପାଣି ଅଭାବରୁ ସେ ମାତ୍ର ୮ ବସ୍ତା ଧାନ ଅମଳ କରିପାରୁଛନ୍ତି। କଣ୍ଟାବାଡ଼ର ଜଣେ ଚାଷୀ ବିଦ୍ୟାଧର ବାରିକ କହନ୍ତି, ତାଙ୍କ ଗାଁ ନିକଟରେ ଡେରାସ ଓ ଝୁମୁକା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଛି। କିନ୍ତୁ କୌଣସି ପ୍ରକଳ୍ପର ପାଣି ଗାଁକୁ ଆସି ପାରେନାହିଁ। ଚାଷୀ ବର୍ଷା ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହୁଏ। ନ ହେଲେ ଖର୍ଚ୍ଚାନ୍ତ ହୋଇ ପମ୍ପ ଜରିଆରେ ବିଲକୁ ପାଣି ମଡ଼ାଏ। ଅଳ୍ପବର୍ଷାରେ ଚାଷ ଜମି ଫାଟିଯାଏ। ବିଦ୍ୟାଧରଙ୍କ ଅନୁସାରେ, ଝୁମୁକା ପ୍ରକଳ୍ପ ପାଣି କଣ୍ଟାବାଡ଼, ଭଗବତୀପୁର, ଦଳୁଆ, ଭୋଳା, ଦାସପୁର, ପଥରଗାଡ଼ିଆ, ବାରମାଣ, ରଘୁନାଥପୁର ଜମିକୁ ପାଣି ମାଡ଼ିବା କଥା। କିନ୍ତୁ ଝୁମୁକା ପ୍ରକଳ୍ପ ଠିକ୍ ତଳ କେନାଲରେ ପାଣି ଲିକେଜ୍ ହେଉଛି। ଏଥିଯୋଗୁଁ ପ୍ରସ୍ତାବିତ ଚାଷଜମିକୁ ପହଞ୍ଚି ପାରୁନାହିଁ।
ପ୍ରତିବର୍ଷ ଏହି ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ଟଙ୍କା ଖର୍ଚ୍ଚହୁଏ, କିନ୍ତୁ ଅନାବଶ୍ୟକ ସ୍ଥାନରେ ଖର୍ଚ୍ଚ ହୋଇ ଟଙ୍କା ବରବାଦ ହୋଇଯାଏ। ଏପରିକି ୩ ବର୍ଷ ପୂର୍ବରୁ ଏହି ସ୍ଥାନରେ ୩ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଲିକେଜ୍ ମରାମତି କରାଯାଇଥିଲା। ଏହାସତ୍ତ୍ବେ ସ୍ଥିତିର ସୁଧାର ହୋଇନାହିଁ। କେନାଲ ମରାମତି ଓ ରକ୍ଷଣାବେକ୍ଷଣକୁ ଯାଞ୍ଚ କରିବାର ଦାବିକୁ ଶୁଣିବାକୁ କେହି ନାହିଁ। ଏଣେ ପାଣି ଅଭାବରୁ ପ୍ରାୟ ୧୦ ବର୍ଷ ହେଲା ଧାନ ଦୁଇଫସଲ ହୋଇ ପାରୁନାହିଁ। ଅଧିକାଂଶ ଜମି ପଡ଼ିଆ ପଡ଼ୁଛି। ଅନ୍ୟଦିଗରେ କଣ୍ଟାବାଡ଼ ଗାଁ ନିକଟସ୍ଥ କେନାଲ ଜମିକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରିଛନ୍ତି। ଏହାକୁ ନେଇ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଚନ୍ଦକା ରାଜସ୍ବ ଗାଁ, କୁଜିମହଲ, ଶିମିଳିପାଟଣା ସମେତ ନିକଟସ୍ଥ ପଞ୍ଚାୟତରେ ଜମି ଜଳସେଚନ ପାଇଁ କମାରଖୁଣ୍ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ କୁଜିମହଲ ପ୍ରକଳ୍ପ ରହିଛି। କିନ୍ତୁ ଉଭୟ ଏକପ୍ରକାର ମୃତ ଅବସ୍ଥାକୁ ଚାଲି ଆସିଲେଣି। ଏହି କ୍ୟାଚମେଣ୍ଟ ଅଞ୍ଚଳରେ ପାଣି ନାହିଁ। ଏଥିସହିତ ବିଭିନ୍ନ ସ୍ଥାନରେ ଥିବା ଶାଖା କେନାଲକୁ ଜମି ମାଫିଆମାନେ ପୋତି ପକାଇଛନ୍ତି। ଏହି ଅଞ୍ଚଳଗୁଡ଼ିକରେ ଥିବା ଆଡ଼ିବନ୍ଧଗୁଡ଼ିକ ପ୍ରଭାବଶାଳୀ ବ୍ୟକ୍ତିମାନେ ନିଜ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଫଳରେ ଜମିକୁ ପାଣି ମାଡ଼ିପାରୁନାହିଁ। ଛୋଟରାୟପୁର ଗାଁର ସୁକାନ୍ତ ଖୁଣ୍ଟିଆ କହନ୍ତି, ପାଣି ଅଭାବରୁ ଚାହିଲେ ମଧ୍ୟ ସେ ରବିଚାଷ କରିପାରନ୍ତି ନାହିଁ। ସ୍ଥାନୀୟ ଚାଷୀ ସଙ୍ଗଠନର ଅଭିଯୋଗ ଅନୁସାରେ, ଭୁବନେଶ୍ବର ରାଜଧାନୀ ହେବା ପରେ ସହରୀ ଲୋକଙ୍କୁ ଲାଭ ହୋଇଛି। ପଞ୍ଚାୟତରେ ରହୁଥିବା ପ୍ରକୃତ ଭୁବନେଶ୍ବର ଅଧିବାସୀ ସର୍ବସ୍ବାନ୍ତ ହେବାରେ ଲାଗିଛନ୍ତି। ରାଜଧାନୀରେ ଜଳସେଚନ ବିଭାଗ କାର୍ଯ୍ୟାଳୟ। କିନ୍ତୁ ମାତ୍ର କେଇ କିଲୋମିଟର ଦୂରରେ ସ୍ଥିତ ପଞ୍ଚାୟତ ଚାଷଜମି ଶୁଖିଲା ପଡ଼ିଥିଲେ ମଧ୍ୟ ଦେଖିବାକୁ କେହି ନାହିଁ।
ଖରିଫରେ ୬୮ ପ୍ରତିଶତ ଜଳସେଚିତ: କୃଷି ବିଭାଗ
କୃଷି ବିଭାଗର ସୂଚନା ଅନୁସାରେ, ବିଏମ୍ସି ଅନ୍ତର୍ଗତ ପାତ୍ରପଡ଼ା, ନୂଆଁଗାଁ ଓ ରାଜଧାନୀ ଉପକଣ୍ଠରେ ସ୍ଥିତ ଇଟିପୁର, ଟିକରପଡ଼ା, ଧଉଳି, ଲିଙ୍ଗିପୁର, ବାସୁଆଘାଇ, ଶିଶୁପାଳଗଡ଼, ବରିମୁଣ୍ଡ, କଲ୍ୟାଣପୁର, ଦାଢ଼ା, ରଘୁନାଥପୁର, ନୂଆଁପୁର, ତମାଣ୍ଡୋ, ରଣସିଂହପୁର, ଅନ୍ଧାରୁଆ, ଦାରୁଠେଙ୍ଗ, ଚନ୍ଦକା, କଣ୍ଟାବାଡ଼ ଓ ମେଣ୍ଢାଶାଳ ପଞ୍ଚାୟତରେ ଚାଷ କରାଯାଉଛି। ଏଠାରେ ଖରିଫରେ ଚାଷ ହେଉଥିବା ୧୨ ହଜାର ୫୦ ହେକ୍ଟରରୁ ୮,୨୦୯ ହେକ୍ଟର ଏବଂ ରବିରେ ୧,୪୩୦ ହେକ୍ଟର ଜମି ଜଳସେଚିତ ହୋଇପାରେ। ବରିମୁଣ୍ଡ, କଲ୍ୟାଣପୁର, ଦାଢ଼ାରେ ପୂର୍ବରୁ ରବିରେ ପାଣି ମାଡ଼ୁଥିଲା କିନ୍ତୁ ବର୍ତ୍ତମାନ ବନ୍ଦ ରହିଛି। ଖରିଫରେ ମୁଖ୍ୟ ଜଳସେଚନ ପ୍ରକଳ୍ପ ଜରିଆରେ ୪୬୪୫ ହେକ୍ଟର, ୧୫ଟି କ୍ଷୁଦ୍ର ପ୍ରକଳ୍ପ ଜରିଆରେ ୨୧୫୦ ହେକ୍ଟର, ୫୦ ସରକାରୀ ଉଠାଜଳସେଚନ ଜରିଆରେ ୯୬୪ ହେକ୍ଟର, ଘରୋଇ ଉଠାଜଳସେଚନରେ ୩୭୫ ହେକ୍ଟର, ୧୦୪ ନଳକୂଅରେ ୫୨ ହେକ୍ଟର ଏବଂ ଅନ୍ୟ ସୂତ୍ରରେ ୨୩ ହେକ୍ଟର ଜଳସେଚିତ ହେଉଛି। ରବିରେ ମୁଖ୍ୟ ପ୍ରକଳ୍ପ ଜରିଆରେ ୪୪୬ ହେକ୍ଟର, ୪ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ ଚେକ୍ଡ୍ୟାମ୍ ଜରିଆରେ ୩୯୭ ହେକ୍ଟର, ୪୫ ସରକାରୀ ସରକାରୀ ଉଠାଜଳସେଚନ ପ୍ରକଳ୍ପ ଜରିଆରେ ୫୭୧ ହେକ୍ଟରରେ ଜଳସେଚିତ ହେଉଛି। ୧୧୬ଟି ନଳକୂଅ ଜରିଆରେ ୫୯ ହେକ୍ଟର, ଅନ୍ୟସୂତ୍ରରେ ୨୮ ହେକ୍ଟର ଜଳସେଚିତ ହେଉଛି। ବର୍ତ୍ତମାନ ଭୁବନେଶ୍ବରର ପ୍ରକୃତ ଚାଷଜମି ଚିହ୍ନଟ ପାଇଁ ସର୍ଭେ କରାଯାଉଛି। ଖୁବ୍ ଶୀଘ୍ର ରିପୋର୍ଟ ଆସିବ।