ଗବେଷଣା ସମ୍ବଳିତ ଲେଖା‌ରେ ଭୁବନେଶ୍ବର ଆଇଆଇଟିକୁ ସଫଳତା: ପଛରେ ପଡ଼ିଲେ ଦିଲ୍ଲୀ, ବମ୍ବେ, ଖଡ଼ଗପୁର

ଏବର୍ଷ ପ୍ରକାଶ ପାଇଛି ୫୦୦ରୁ ଅଧିକ ଲେଖା, ଅନ୍ତର୍ଜାତୀୟ ଦୃଷ୍ଟିକୋଣରୁ ଭାରତୀୟ ଶିକ୍ଷାନୁଷ୍ଠାନ ପଛରେ

ଭୁବନେଶ୍ବର: ଗତ ସପ୍ତାହରେ ପ୍ରକାଶ ପାଇଛି ଟାଇମ୍ସ ବିଶ୍ବ ବିଶ୍ବବିଦ୍ୟାଳୟ ରୢାଙ୍କିଂ। ବିଶ୍ବର ଶ୍ରେଷ୍ଠ ୩୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାରତର ଗୋଟିଏ ବି ବିଶ୍ବବିଦ୍ୟାଳୟ ସ୍ଥାନ ପାଇନାହାନ୍ତି। ଗବେଷଣା ଓ ଅନ୍ତର୍ଜାତୀୟ ଦୃଷ୍ଟିକୋଣକୁ ନେଇ ପ୍ରକାଶ ପାଉଥିବା ଏହି ରୢାଙ୍କିଂରେ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ବେଳେ ୨୦୦୮ରେ ପ୍ରତିଷ୍ଠା ହୋଇଥିବା ଆଇଆଇଟିଗୁଡ଼ିକ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଆଇଆଇଟି ରୋପର ଏଥର ଆଶ୍ଚର୍ଯ୍ୟଜନକ ଭାବେ ଶୀର୍ଷ ସ୍ଥାନ ହାସଲ କରିଛି। ଏଥିସହ ଭୁବନେଶ୍ବର, ଗାନ୍ଧୀନଗର ଓ ହାଇଦ୍ରାବାଦ ଆଇଆଇଟି ମଧ୍ୟ ଦମ୍‌ଦାର ପ୍ରଦର୍ଶନ କରି ଶ୍ରେଷ୍ଠ ୮୦୦ ରୢାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଗବେଷଣା ସମ୍ବଳିତ ଲେଖାରେ ଆଇଆଇଟି ବମ୍ବେ, ଦିଲ୍ଲୀ, ଖଡଗପୁର, ରୁର୍‌କି, ଦିଲ୍ଲୀ ବିଶ୍ବବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟକୁ ପଛରେ ପକାଇ ଭୁବନେଶ୍ବର ଆଇଆଇଟି ସମେତ ରୋପର ଓ ଗାନ୍ଧୀନଗର ଆଗରେ ରହିଛନ୍ତି। ତେବେ ୧୧ ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଭୁବନେଶ୍ୱର ଆଇଆଇଟି ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହୋଇପାରି ନଥିବା ଜଣାପଡ଼ିଛି।

ଭୁବନେଶ୍ବର ଆଇଆଇଟି ମୋଟ ଉପରେ ୨୮.୩-୩୫.୨ ପଏଣ୍ଟ ହାସଲ କରିଛି। ଶିକ୍ଷା‌ଦାନ ବର୍ଗରେ ୨୭ପଏଣ୍ଟ ପାଇଥିବା ବେଳେ ଗବେଷଣାରେ ୧୧.୩, ଗବେଷଣା ସମ୍ବଳିତ ଲେଖାରେ ୫୨.୯, ଶିଳ୍ପ ଆୟରେ ୩୫.୮, ଅନ୍ତର୍ଜାତୀୟ ଦୃଷ୍ଟିକୋଣରେ ୧୭.୧ ପଏଣ୍ଟ ପାଇ ଗତବର୍ଷ ରୢାଙ୍କ ବଜାୟ ରଖିଛି। ଗବେଷଣା ସମ୍ବଳିତ ଲେଖାରେ ଦିଲ୍ଲୀ ଆଇଆଇଟି ୪୯, ଆଇଆଇଏସ୍‌ ବେଙ୍ଗାଲୁରୁ ୩୨.୪, ଆଇଆଇଟି ବମ୍ବେ ୩୪.୯, ଆଇଆଇଟି ଖଡ଼ଗପୁର ୩୯, ଆଇଆଇଟି ରୁର୍‌କି ୪୬.୬ ପଏଣ୍ଟ ପାଇ ଭୁବନେଶ୍ବର ଆଇଆଇଟିଠାରୁ ପଛରେ ପଡ଼ିଛନ୍ତି। ଆଇଆଇଏସ୍‌ ବେଙ୍ଗାଲୁରୁ ସହ ଶୀର୍ଷ ସ୍ଥାନରେ ରହିଥିବା ଆଇଆଇଟି ରୋପର ଗବେଷଣା ସମ୍ବଳିତ ଲେଖାରେ ୧୦୦ ପଏଣ୍ଟ ହାସଲ କରିଛି।

ଭୁବ‌ନେଶ୍ବର ଆଇଆଇଟିରେ ୧୨୭୪ଜଣ ଛାତ୍ରଛାତ୍ରୀ ପଢ଼ୁଥିଲେ ମଧ୍ୟ ଜଣେ ବି ହେଲେ ବିଦେଶୀ ଛାତ୍ରଛାତ୍ରୀ ନାହାନ୍ତି। ଏଠାରେ ଛାତ୍ରୀ ଓ ଛାତ୍ରଙ୍କ ଅନୁପାତ ଯଥାକ୍ରମେ ୧୫:୮୫ ରହିଛି। ୟୁନିଭରସିଟି ଇମ୍‌ପ୍ୟାକ୍ଟ ରୢାଙ୍କିଂ-୨୦୧୯ରେ ‘୩୦୧+’, ୟୋଙ୍ଗ୍‌ ୟୁନିଭରସିଟି ରୢାଙ୍କିଂ-୨୦୧୯ରେ ୧୫୧ରୁ ୨୦୦ ରୢାଙ୍କ ମଧ୍ୟରେ ସ୍ଥାନ ପାଇଥିଲା। ଗତବର୍ଷ ଏଠାକାର ଛାତ୍ରଛାତ୍ରୀଙ୍କ ଦ୍ବାରା ୪୦୦ରୁ ଅଧିକ ଲେଖା‌ ପ୍ରକାଶ ପାଇଥିଲା ବେଳେ ଏଥର ୫୨୦ରୁ ଅଧିକ ପ୍ରକାଶ ପାଇଛି। ଭୁବନେଶ୍ବର ଆଇଆଇଟିର ଜଣେ ପ୍ରଫେସରଙ୍କ କହିବାନୁଯାୟୀ, ଅନ୍ତର୍ଜାତୀୟ ଦୃଷ୍ଟିକୋଣରେ ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକ ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି। ଯେଉଁଥିପାଇଁ ଶ୍ରେଷ୍ଠ ୩୦୦ରେ ସ୍ଥାନ ମିଳି ପାରିନି। ଭୁବନେଶ୍ବର ଆଇଆଇଟିରେ ଗବେଷଣା ପାଇଁ ବ୍ୟାପକ ସୁଯୋଗ ରହିଛି। ଏକାଧିକ ଏକ୍ସଲେନ୍ସ ସେଣ୍ଟର ପ୍ରତିଷ୍ଠା ହୋଇଛି। ଏବେ ସମୟ ଆସିଛି ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ପଡ଼ିବ। ଏବେ କିଛି ବିଦେଶୀ ପ୍ରଫେସର୍‌ ନିଯୁକ୍ତ ହୋଇଛନ୍ତି। ଆଗକୁ ଆହୁରି ନିଯୁକ୍ତ ହେବାକୁ ଯୋଜନା ରଖାଯାଇଛି।

ସମ୍ବଲପୁରୀ ଷ୍ଟୋଲ୍‌ ପକାଇବେ ଛାତ୍ରଛାତ୍ରୀ
ଆସନ୍ତା ୨୧ ତାରିଖରେ ଭୁବନେଶ୍ବର ଆଇଆଇଟିର ସମାବର୍ତନ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ(ଇସ୍ରୋ)ର ଅଧ୍ୟକ୍ଷ କେ ଶିବନ୍‌ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ତେବେ ଚଳିତ ବର୍ଷର ସମାବର୍ତନ ଉତ୍ସବରେ ଭାଗ ନେବାକୁ ଥିବା ଛାତ୍ରଛାତ୍ରୀଙ୍କ ଲାଗି ଡ୍ରେସ୍‌କୋଡ୍‌ କରାଯାଇଛି। ଛାତ୍ରମାନେ କୁର୍ତ୍ତା ଓ ପାଇଜାମା ପିନ୍ଧିବାକୁ ଥିବା ବେଳେ ଛାତ୍ରୀମାନେ ସାଲୱାର୍‌ ଓ କମିଜ୍‌ ପିନ୍ଧିବେ। ସମସ୍ତ ଛାତ୍ରଛାତ୍ରୀ ସମ୍ବଲପୁରୀ ହସ୍ତତନ୍ତରେ ପ୍ରସ୍ତୁତ ଷ୍ଟୋଲ ପକାଇବେ। ଏଥିପାଇଁ ଆଇଆଇଟି ପକ୍ଷରୁ ୪ଟି ‌ଷ୍ଟୋଲ୍‌ ଜାରି କରାଯାଇଛି। ପ୍ରତି ଷ୍ଟୋଲ୍‌ରେ ଆଇଆଇଟି ଲୋ‌ଗୋ ରହିଛି। ବି.ଟେକ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଖଇରିଆ, ଏମ୍‌ଏସ୍‌ସି ପିଲାଙ୍କର ନୀଳ, ଏମ୍‌.ଟେକ୍‌ ପିଲାଙ୍କ ପାଇଁ ସବୁଜ ଓ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ଲାଗି ହଳଦିଆ ରଙ୍ଗର ଷ୍ଟୋଲ କରାଯାଇଛି।

ସମ୍ବନ୍ଧିତ ଖବର