ଏମ୍ସ ନ୍ୟୁରୋସର୍ଜରି ବିଭାଗର ସଫଳତା: ବିନା ନିଶ୍ଚେତକରେ ନାବାଳକଙ୍କ ମସ୍ତିଷ୍କ ଅସ୍ତ୍ରୋପଚାର

ଭୁବନେଶ୍ବର : ଏମ୍ସ ନ୍ୟୁରୋସର୍ଜରି ବିଭାଗର ଡାକ୍ତରମାନେ ବିନା ନିଶ୍ଚେତକରେ ଜଣେ ୧୪ ବର୍ଷୀୟ ନାବାଳକଙ୍କ ମସ୍ତିଷ୍କ ଅସ୍ତ୍ରୋପଚାର କରିଛନ୍ତି। ପୂର୍ବରୁ ବୟସ୍କ ବ୍ୟକ୍ତିଙ୍କ ଏହିଭଳି ଅସ୍ତ୍ରୋପଚାର ହୋଇଛି; ମାତ୍ର ଚେତା ଥାଇ ଏତେ କମ୍‌ ବୟସର ପିଲାଙ୍କ ଏହିଭଳି ଜଟିଳ ଅସ୍ତ୍ରୋପଚାର ରାଜ୍ୟରେ ବିରଳ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି।

ନ୍ୟୁରୋସର୍ଜରି ବିଭାଗର ପ୍ରଫେସର ଆର୍‌ଏନ୍‌ ସାହୁ କହିଛନ୍ତି, ଏହି ପିଲାଙ୍କୁ ୮ ମାସ ହେଲା ବାରମ୍ବାର ବାତ ମାରୁଥିଲା। ଏଥିଯୋଗୁଁ ସେ କଥା କହିପାରୁ ନଥିଲେ। ଏମ୍ସରେ ପରୀକ୍ଷଣ ପରେ ପିଲାଟିର ମସ୍ତିଷ୍କରେ ଟ୍ୟୁମର ଥିବା ଚିହ୍ନଟ ହୋଇଥିଲା। ମସ୍ତିଷ୍କର ଯେଉଁ ଅଂଶରେ କଥା କହିବାର ନିୟନ୍ତ୍ରଣ ଥାଏ, ସେଠାରେ ହିଁ ଟ୍ୟୁମର ଚିହ୍ନଟ ହେବାରୁ ଏହା ଡାକ୍ତରଙ୍କ ଚିନ୍ତା ବଢାଇ ଦେଇଥିଲା। ତେବେ ଏହି ସ୍ଥାନରେ ଅସ୍ତ୍ରୋପଚାର ହେଲେ, ବୟସ ବେଶି ହୋଇନଥିବାରୁ ପିଲାଟିର ବାକ୍‌‌ଶକ୍ତି ସଂପୂର୍ଣ୍ଣ ଚାଲିଯିବା ଏବଂ ଅନ୍ୟ ପାର୍ଶ୍ବରେ ଦୁର୍ବଳତା ସୃଷ୍ଟି ହେବାର ଆଶଙ୍କା ରହିଥିଲା। ଏଥିଯୋଗୁଁ ତାଙ୍କୁ ନିଶ୍ଚେତକ ଦିଆନଯାଇ ଚେତା ଥାଇ ଅସ୍ତ୍ରୋପଚାର କରିବାର ଆବଶ୍ୟକତା ଥିଲା। ଯେପରିକି ତାଙ୍କର ଶାରୀରିକ ଗତିବିଧିର ପରୀକ୍ଷଣ କରାଯାଇ ପାରିବ। ଅର୍ଥାତ ସେ କଥା କହୁଥିବେ, ଶୁଣୁଥିବେ, ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ପାରୁଥିବେ। ଏହାଛଡ଼‌ା ଡାକ୍ତର ମଧ୍ୟ ଏଭଳି ଅସ୍ତ୍ରୋପଚାର କରିବା ଆବଶ୍ୟକ, ଯେପରିକି ରୋଗୀଙ୍କୁ ମଧ୍ୟ କଷ୍ଟ ହେଉନଥିବ।

ଡାକ୍ତରଙ୍କ ଅନୁସାରେ, ପୂର୍ବରୁ ଚେତା ଥାଇ ବୟସ୍କ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର ହୋଇଛି। ପିଲାଙ୍କ କ୍ଷେତ୍ରରେ କିନ୍ତୁ ଅସୁବିଧା ହୁଏ। ଅସ୍ତ୍ରୋପଚାର ବେଳେ ସେମାନେ ଭୟଭୀତ ହୋଇ ପଡ଼ନ୍ତି। ଅନେକ କ୍ଷେତ୍ରରେ ସେମାନେ କଷ୍ଟ ସହିପାରନ୍ତି ନାହିଁ ଏବଂ ଅସ୍ତ୍ରୋପଚାର କରିବା କଷ୍ଟକର ହୋଇ ପଡ଼େ। କିନ୍ତୁ ପିଲାଟିର ମସ୍ତିଷ୍କ ରୋଗ ମଧ୍ୟ ଠିକ୍‌ କରିବାର ଥିଲା। ତେଣୁ ପ୍ରଥମେ ମକ୍‌ଡ୍ରିଲ କରାଯାଇ, ଏ ସମ୍ପର୍କରେ ସଚେତନ କରାଗଲା। ଏହାପରେ ନ୍ୟୁରୋସର୍ଜରି ବିଭାଗ ଏଚ୍‌ଓଡି ଆର୍‌ଏନ୍‌ ସାହୁ, ନିଶ୍ଚେତକ ବିଭାଗ ଡାକ୍ତର ଡ. ନତାଶା ମିଶ୍ରଙ୍କ ସହାୟତାରେ ୩ ଘଣ୍ଟା ସମୟ ଧରି ସଫଳତାର ସହ ଅସ୍ତ୍ରୋପଚାର କରିଥିଲେ। କିଛି ଦିନ ପୂର୍ବରୁ ଏହି ରୋଗୀଙ୍କୁ ଡିସଚାର୍ଜ କରାଯାଇଛି। ତାଙ୍କୁ ଆବଶ୍ୟକ ସମୟରେ ପରାମର୍ଶ ପାଇଁ ଏମ୍ସ ଆସିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର