ଭୁବନେଶ୍ୱର ଆଇଆଇଟି ଛାତ୍ରଛାତ୍ରୀଙ୍କ ସଫଳତା: ବାର୍ଷିକ ୪୩ ଲକ୍ଷ ଟଙ୍କାରେ ନିଯୁକ୍ତି

୧୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ୨୫ ଲକ୍ଷର ଅଫର
ଆରମ୍ଭ ହେଲା ୨୦୨୦-୨୧ ଶିକ୍ଷାବର୍ଷ ପାଠପଢ଼ା

ଭୁବନେଶ୍ୱର : କୋଭିଡ୍‌-୧୯ ପାଇଁ କ୍ୟାମ୍ପସ ଚୟନ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା କରାଯାଉଥିଲା। ଛାତ୍ରଛାତ୍ରୀଙ୍କୁ ଭଲ ନିଯୁକ୍ତି ମିଳିବ କି ନାହିଁ ସେନେଇ ବି ଆଶଙ୍କା ଥିଲା। ତେବେ ଆଇଆଇଟି ଭୁବନେଶ୍ବର ଛାତ୍ରଛାତ୍ରୀଙ୍କୁ ପ୍ରି-ପ୍ଲେସ୍‌ମେଣ୍ଟ୍‌ ଅଫର ଯେଉଁଭଳି ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଛାତ୍ରଛାତ୍ରୀଙ୍କ ଫଳାଫଳକୁ ଦୃଷ୍ଟିରେ ରଖି ମାଇକ୍ରୋସଫ୍ଟ, ଡି-ସ, ଗୋଲ୍‌ଡମାନ୍‌ ସାଚ୍‌ସ, ଜିଇପି ସଲ୍ୟୁସନ୍‌ସ ଆଦି କମ୍ପାନୀରୁ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଅଫର ମିଳିଛି। ବାର୍ଷିକ ୪୩ ଲକ୍ଷ ଟଙ୍କାରେ ଜଣେ ଛାତ୍ରଙ୍କୁ ନିଯୁକ୍ତି ଅଫର ଆସିଛି। ଏଥିସହ ୧୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୨୫ ଲକ୍ଷରୁ ଅଧିକ ଟଙ୍କାରେ ନିଯୁକ୍ତି ପାଇଁ ଅଫର ଆସିଥିବା ଭୁବନେଶ୍ୱର ଆଇଆଇଟି ପକ୍ଷରୁ ସୂଚନା ଦିଆଯାଇଛି।

ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଆର୍‌ ଭି ରାଜା କୁମାରଙ୍କ ସୂଚନା ମୁତାବକ, ଜଣେ ଛାତ୍ର ବାର୍ଷିକ ସର୍ବୋଚ୍ଚ ୪୩ ଲକ୍ଷ ଟଙ୍କାରେ ନିଯୁକ୍ତି ପାଇଛନ୍ତି। ଯାହାକି ଦେଶର କେତେକ ପୁରାତନ ଆଇଆଇଟି ମଧ୍ୟରେ ଦେଖିବାକୁ ମିଳିନାହିଁ। ଏହି ଛାତ୍ରଙ୍କ ବ୍ୟତୀତ ଆଉ କେତେଜଣ ମଧ୍ୟ ଦେଶ ଓ ବିଦେଶର ପ୍ରମୁଖ କମ୍ପାନିଗୁଡ଼ିକରେ ନିଯୁକ୍ତି ପାଇଛନ୍ତି। ଆଇଆଇଟି ଭୁବନେଶ୍ବରର ପାଠ୍ୟକ୍ରମର ଗୁଣାତ୍ମକ ମାନ ଯୋଗୁଁ ହିଁ ଏହା ସମ୍ଭବପର ହୋଇଛି। ଆସନ୍ତା ନିଯୁକ୍ତି ପାଇଁ ଶେଷ ବର୍ଷ ଛାତ୍ରଛାତ୍ରୀ ଉତ୍ସାହର ସହ ଅପେକ୍ଷା କରିଥିବା ବ‌େଳେ ତାହା ୨୦୨୦ ମସିହା ଅକ୍ଟୋବର ୩୧ରୁ ଅନଲାଇନ୍‌ ମୋଡ୍‌ରେ ଆରମ୍ଭ ହେବ। କ୍ୟାମ୍ପସ ଚୟନରେ ବିଭିନ୍ନ କମ୍ପାନିର ଏହି ଭର୍ଚୁଆଲ ନିଯୁକ୍ତି ପ୍ରକ୍ରିୟା ନୂଆ ଧାରା ସୃଷ୍ଟି କରିଛି ବୋଲି ଆଇଆଇଟି ଭୁବନେଶ୍ବରର କ୍ୟାରିୟର ଡେଭଲପମେଣ୍ଟ୍‌ ସେଲ୍‌ ‌ପ୍ରଫେସର ଇନ୍‌ଚାର୍ଜ ଏ କେ ପ୍ରଧାନ କହିଛନ୍ତି।

ଅନ୍ୟପକ୍ଷରେ ଆଇଆଇଟିରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇଛି। ପୁରାତନ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅଗଷ୍ଟ ୧୭ରୁ ଆରମ୍ଭ ହୋଇଥିବା ବେଳେ ନୂତନ ଭାବେ ନାମ ଲେଖାଇଥିବା ଏମ.ଟେକ, ଏମ.ଏସସି, ପିଏଚଡି ଛାତ୍ରଛାତ୍ରୀଙ୍କ ପାଠପଢ଼ା ୨୭ ତାରିଖରୁ ଆରମ୍ଭ ହୋଇଛି। କୋଭିଡ୍‌-୧୯ ଦୃଷ୍ଟିରୁ ଛାତ୍ରଛାତ୍ରୀ ଘରେ ରହି କ୍ଲାସ କରୁଛନ୍ତି। ବର୍ତ୍ତମାନ ସେମିଷ୍ଟର ପାଠପଢ଼ା ନିର୍ଦ୍ଧାରିତ ସମୟ ମଧ୍ୟରେ ଆରମ୍ଭ ହୋଇଛି। କରୋନା ସଂକ୍ରମଣ ଯୋଗୁଁ ମାତ୍ର ୩ ସପ୍ତାହ ବିଳମ୍ବ ହୋଇଛି। ପରିସ୍ଥିତିରେ ସୁଧାର ଆସିବା ସହ ଅନୁମତି ମିଳିଲେ ସ୍ୱତନ୍ତ୍ର ଏସ୍ଓପି ଜାରି କରାଯାଇ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସକୁ ଆଣିବା ଦିଗରେ ପଦକ୍ଷେପ ନିଆଯିବ।

ଆଇଆଇଟି ନିର୍ଦେଶକ ଶ୍ରୀ ରାଜା କୁମାରଙ୍କ କହିବାନୁଯାୟୀ ନିର୍ଦ୍ଧାରିତ ସମୟରେ ନୂତନ ଶିକ୍ଷାବର୍ଷ ଆରମ୍ଭ କରିବାରେ ଆମେ ସଫଳ ହୋଇଛୁ। କେବଳ ବି.ଟେକ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ପିଲାଙ୍କ ପାଠପଢ଼ା ଚାଲିଛି। ସେପ୍ଟେମ୍ବର ୧ରୁ ୬ ଯାଏ ଜେଇଇ ମେନ ଓ ୨୭ ତାରିଖରେ ଜେଇଇ ଆଡଭାନ୍ସଡ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସରିବାର କିଛି ମାସ ମଧ୍ୟରେ ସେମାନଙ୍କ କ୍ଲାସ ଆରମ୍ଭ କରାଯିବ। ବର୍ତ୍ତମାନ ଅନଲାଇନ ମୋଡରେ ଛାତ୍ରଛାତ୍ରୀଙ୍କ କ୍ଲାସ କରାଯାଉଛି। ଛାତ୍ରଛାତ୍ରୀ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ଏବେ ଥିଓରି ଉପରେ ଗୁରୁତ୍ୱ ଦିଆଯାଇ ପଢ଼ାଯାଉଛି। କ୍ୟାମ୍ପସ ଖୋଲିବା ପରେ ଛାତ୍ରଛାତ୍ରୀଙ୍କୁ ଲାବୋରେଟୋରିରେ ଅଭ୍ୟାସ ଲାଗି ସୁଯୋଗ ଦିଆଯିବ। ଏବେ ଅନଲାଇନରେ ବି କିଛି ପିଲାଙ୍କୁ ଲାବୋରେଟୋରି ତାଲିମ ଦିଆଯାଉଛି।

ସମ୍ବନ୍ଧିତ ଖବର