ଚାମ୍ପିଅନ୍‌ସଙ୍କ ସଫଳ କାହାଣୀ

ପ୍ରତିକୂଳ ପରିସ୍ଥିତି କେବେ ତାଙ୍କ ସଫଳତାର ରାସ୍ତାରେ କଣ୍ଟା ହୋଇପାରିନି। ଚାମ୍ପିଅନ୍‌ ହେବାର ଲକ୍ଷ୍ୟ, ଏହାକୁ ସାକାର କରିବାର ଅଙ୍ଗୀକାରବଦ୍ଧତା, ଉପଯୁକ୍ତ ମାର୍ଗରେ ପରିଚାଳିତ ହେବାର କୌଶଳ ତାଙ୍କୁ ଶିଖରରେ ପହଞ୍ଚାଇଛି। କଠିନ ପରିଶ୍ରମର ଯେ ବିକଳ୍ପ ନାହିଁ, ତାହା ସେମାନେ ପ୍ରମାଣିତ କରିଛନ୍ତି। କ୍ୟାରିୟରର ଗୁରୁତ୍ବପୂର୍ଣ୍ଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବଡ଼ବଡ଼ ସ୍ବପ୍ନକୁ ସାକାର କରିବାର ସାହସ ଜୁଟାଇ ପାରିଛନ୍ତି। ଆଜି ‘ସମ୍ବାଦ’ ପକ୍ଷରୁ ମାଟ୍ରିକ୍‌ ଏ-୧ ଗ୍ରେଡ୍‌‌ରେ ଉତ୍ତୀର୍ଣ୍ଣ ଖୋର୍ଧା, ପୁରୀ, ନୟାଗଡ଼ର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଧିତ କରାଯିବା ଅବସରରେ ଆମେ ସାଉଁଟିଥିଲୁ ସେହିଭଳି କିଛି ମାଟ୍ରିକ୍ ଚାମ୍ପିଅନ୍‌ସ ସଫଳ କାହାଣୀ….

ମା’ କହେ ବିଜୟିନୀ ଦିନେ କିଛି କରିକି ଦେଖେଇବ
ଯେ‌ବେ ଜେଜେ ମା’ କହୁଥିଲା, ଝିଅଟା ହେଲା ଯେ କ’ଣ କରିବ? ସେବେ ମୋ ମା’ କହୁଥିଲା ମୋ ଝିଅ ଦିନେ କିଛି କରିକି ଦେଖେଇବ। ମୋ’ର ମାଟ୍ରିକ୍‌ରେ ଏ ଧରଣର ସଫଳତା ହେଉଛି ମୋ ଉପରେ ମା’ର ସେଇ ବିଶ୍ବାସର ପ୍ରତିଫଳନ। ଏକଥା କହିଛନ୍ତି ପୁରୀ ଜିଲ୍ଲା ଗଙ୍ଗାଧର ନୋଡାଲ୍‌ ବିଦ୍ୟାଳୟର ଛାତ୍ରୀ ବିଜୟିନୀ ବେହେରା। ମାଟ୍ରିକ୍‌ରେ ୫୭୧ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ପୁରୀ ହାଡ଼ଗୋଡ଼ିଆ ସାହିର ବିଜୟିନୀ ନିଜ ନାମର ସାର୍ଥକତାକୁ ପ୍ରତିପାଦିତ କରି ପାଲଟି ଯାଇଛନ୍ତି ସମଗ୍ର ଅଞ୍ଚଳର ସୁନା ଝିଅ। ବିଜୟିନୀଙ୍କ ବାପା ପୂଜା ଏଣ୍ଟରପ୍ରାଇଜର୍ସରେ ୬ ହଜାର ଟଙ୍କା ରୋଜଗାର କରି ପରିବାର ଚଳାଉଥିବାରୁ ଆର୍ଥିକ ସମସ୍ୟା ଲାଗି ରୁହେ। ମାତ୍ର ଅର୍ଥାଭାବ ଯେ ସଫଳତାରେ ପ୍ରତିବନ୍ଧକ ସାଜେ ନାହିଁ ତା’ର ଉଦାହରଣ ହେଉଛନ୍ତି ବିଜୟିନୀ। କେବଳ ସେତିକି ନୁହେଁ, ଆଇଏଏସ୍‌ କିମ୍ବା ଡାକ୍ତର ହୋଇ ଭଲ ଦରମାରେ ଚାକିରି କରିବାକୁ ତାଙ୍କର ଇଚ୍ଛା ନାହିଁ, ବରଂ ଅଧ୍ୟାପକ ହୋଇ ତାଙ୍କ ଭଳି ବହୁ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି। ବିଜୟିନୀ କୁହନ୍ତି, ମୋ ଦାଦାଙ୍କର ଦୁଇ ପୁଅ। ବାପା ଯେବେ କର୍ମ କ୍ଷେତ୍ରରୁ ଫେରନ୍ତି, ମତେ କୁହନ୍ତି ତୁ ପୁଅଟିଏ ହୋଇନୁ ବୋଲି କେବେ ମନ ଦୁଃଖ କରିବୁନି। କିଛି କରିକି ଦେଖା। ବାପାଙ୍କର ଏହି କଥା କେଇପଦ ମତେ ସବୁବେଳେ ପ୍ରେରିତ କରିଛି। ମୋ ବଡ଼ ଭଉଣୀ ଜସ୍ମିନ ମଧ୍ୟ ଜଣେ ମେଧାବୀ ଛାତ୍ରୀ। ତାଙ୍କୁ ଅନୁକରଣ କରି ତାଙ୍କଠୁ ଅଧିକ କିଛି କରିବାର ଲକ୍ଷ୍ୟ ରଖି ପରିଶ୍ରମ କରିବା ପରେ ଏଇ ସଫଳତା ମିଳିଛି।

ମା’ କହୁଥିଲା ଭଲ ପଢ଼, ନହେଲେ ଶୁଖୁଆ ବିକିବୁ
ପାଠରେ ଟିକେ ଅବହେଳା ହେଲେ, ମା’ କହୁଥିଲା ଦେଖ୍‌ ମନ ଦେଇ ପଢ଼, ନହେଲେ ବାପା ଭଳି ବୁଲିବୁଲି ଶୁଖୁଆ ବିକିବୁ। ମା’ର ଏଇ କଥା ମତେ ପାଠ ପଢ଼ିବାକୁ ପ୍ରତି ମୁହୂର୍ତରେ ସତର୍କ କରିଦେଉଥିଲା। ବାପା ଯେବେ ଖରାତରାରେ ଠେଲାରେ ଶୁଖୁଆ ଧରି ଗଳିକନ୍ଦି ଫେରି କରି ବିକନ୍ତି ତାଙ୍କର ସେଇ କଷ୍ଟକୁ ମୁଁ ସାମ୍ନାରୁ ଦେଖିଛି। ବାପା ବି ଯେ‌ବେ ଘରକୁ ଫେରନ୍ତି ମତେ ପଢ଼ିବା ପାଇଁ ପ୍ରେରଣା ଦିଅନ୍ତି ବୋଲି କୁହନ୍ତି ଇଟାମାଟି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର‌ରୁ ଏ୧ରେ ମାଟ୍ରିକ୍‌ ପାସ୍‌ କରିଥିବା ଛାତ୍ର କାହ୍ନୁଚରଣ ବେହେରା। ନୟାଗଡ଼ ଘଡ଼ୁଆଳରେ ରହୁଥିବା କାହ୍ନୁଚରଣ କହିଛନ୍ତି ମୁଁ ଡାକ୍ତର ହେବି। ଡାକ୍ତରୀ ପାଠରେ ବେଶି ଖର୍ଚ ହୁଏ ବୋଲି ଶୁଣିଛି। ହେଲେ ବାପା ମତେ ଡାକ୍ତରୀ ପଢ଼ିବା କ୍ଷେତ୍ରରେ ସାହାଯ୍ୟ କରିବେ ବୋଲି କହିଛନ୍ତି। ଖାଲି କାହ୍ନୁ ନୁହନ୍ତି, କାହ୍ନୁଙ୍କ ବାପା ୩ ଝିଅଙ୍କୁ ବି ସେଇ ଶୁଖୁଆ ବିକ୍ରି କରି ଇଲମ ଦେଇ ସେମାନଙ୍କୁ ସଫଳ କରାଇ ପାରିଛନ୍ତି।

ଯୋଉ ସ୍କୁଲ୍‌ରେ ପଢ଼ିବ, ମୋ ଝିଅ ଟପର୍‌ ହେବ
ସାହି ପଡ଼ିଶା, ସାଙ୍ଗସାଥୀଙ୍କୁ ବାପା କହୁଥିଲେ ଦେଖିବ ମୋ ଝିଅ ଯୋଉ ସ୍କୁଲ୍‌ରେ ପଢ଼ିବ ଟପର ହେବ। ଆଜି ମୁଁ ସ୍କୁଲ୍‌ରେ ଟପ୍‌ରେ ରହିଛି। ୫୪୯ ନମ୍ବର ରଖିଛି। ବାପାଙ୍କ ଇଚ୍ଛା ପୂରଣ କରିଛି। କିନ୍ତୁ ଏକଥା ଦେଖିବାକୁ ବାପା ଆଉ ନାହାନ୍ତି। ୩ ବର୍ଷ ତଳୁ ବାପା ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ଯେବେ ମାଟ୍ରିକ୍‌ରେ ଏ୧ରେ ପାସ୍‌ କରିବା ଖବର ପାଇଲି, ବାପାଙ୍କ କଥା ବହୁତ ମନେ ପଡ଼ିଥିଲା। ଆଜି ‘ସମ୍ବାଦ’ର ଏହି ମାଟ୍ରିକ୍‌ ଚାମ୍ପିଅନ୍‌ସରୁ ପୁରସ୍କାର ପାଉଥିବା ଦେଖିଥିଲେ ସେ ସାହି ପଡ଼ିଶାଙ୍କ ଆଗେ ଆହୁରି ଛାତି ଫୁଲେଇ କହିଥାଆନ୍ତେ। ଏକଥା କହିବା ବେଳେ ନୟାଗଡ଼ ମଝିଆଁଖଣ୍ଡ ରଘୁନାଥ ନୋଡାଲ ହାଇସ୍କୁଲ୍‌ର ଛାତ୍ରୀ ତୃପ୍ତି ସେଠୀଙ୍କ ଆଖିରୁ ଧାରଧାର ଲୁହ ନିଗିଡ଼ି ପଡ଼ୁଥିଲା। ତୃପ୍ତିଙ୍କ ବାପା ପ୍ରଭାତ କୁମାର ସେଠୀ ଏକ କମ୍ପାନିରେ ଚାକିରି କରୁଥିବା ବେଳେ ହୃଦ୍‌ଘାତରେ ତାଙ୍କର ପ୍ରାଣ ଚାଲିଗଲା। ଏବେ ତୃପ୍ତିଙ୍କ ପରିବାରର ସାହା ଭରସା ହେଉଛି କମ୍ପାନିର ହାତଟେକା ୩ ହଜାର ଟଙ୍କା। ଏତେ ଅଭାବ ଭିତରେ ବି ତୃପ୍ତି ମନ ଦୃଢ଼ କରି ଡାକ୍ତରୀ ପଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି।

ଫିଜିକ୍ସ କଷ୍ଟ ବିଷୟ, ସେଇଥିରେ ପ୍ରଫେସର ହେବି
ଯାହା କଷ୍ଟ ବୋଲି ଅନ୍ୟମାନେ କୁହନ୍ତି, ମତେ ତାହା କରିବାକୁ ଭଲ ଲାଗେ। ତେଣୁ ମୁଁ ଫିଜିକ୍ସରେ ପ୍ରଫେସର ହେବି ବୋଲି କହିଛନ୍ତି ପୁରୀ ଜିଲ୍ଲା କଣାସ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଚରିତା ମହାପାତ୍ର। ମା’ ଚାରୁଲତା ମହାପାତ୍ର ହିଁ ତାଙ୍କୁ ସଂଘର୍ଷ କରି ପଢ଼ାଇଛନ୍ତି। ଅଜା ବସନ୍ତ ମହାପାତ୍ରଙ୍କ ଅବଦାନ ମଧ୍ୟ କମ୍‌ ନାହିଁ ବୋଲି କୁହନ୍ତି ସୁଚରିତା। ତେବେ ଫିଜିକ୍ସ ପ୍ରଫେସର ହେବା ପରେ ପ୍ରାଶାସନିକ ସେବାରେ ଯାଇ ଦେଶର ସେବାରେ ନିଜକୁ ନିୟୋଜିତ କରି‌ବେ ବୋଲି କହିଛନ୍ତି।

+୨ରେ ଭଲ କରି ପୁଣି ‘ସମ୍ବାଦ’ର କାର୍ଯ୍ୟକ୍ରମରେ ସାମିଲ୍‌ ହେବି
‘ସମ୍ବାଦ’ ପକ୍ଷରୁ ହେଉଥିବା ମାଟ୍ରିକ୍‌ ଚାମ୍ପିଅନ୍‌ସ ପ୍ରେରଣାଦାୟୀ କାର୍ଯ୍ୟକ୍ରମ। ଏଠାରୁ ଆଜି ବହୁତ ବଡ଼ ବଡ଼ ଲୋକଙ୍କଠାରୁ ଭଲ ଟିପ୍‌ସ ମିଳିଲା। ସେଇ ସବୁ ସଫଳତାର ମନ୍ତ୍ରକୁ ନେଇ ଆଗେଇବି ବୋଲି କହିଛନ୍ତି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଭୀମଟାଙ୍ଗିର ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ। ପ୍ରିୟଙ୍କା କହିଛନ୍ତି, +୨ରେ ଭଲ କରି ପୁଣି ‘ସମ୍ବାଦ’ର ଏଭଳି କାର୍ଯ୍ୟକ୍ରମରେ ସାମିଲ୍‌ ହେବି। ପ୍ରିୟଙ୍କାଙ୍କ ପରିବାରରେ ଅନ୍ୟ କିଛି ସଦସ୍ୟ ବି ଶିକ୍ଷକ। ତେଣୁ ସେ ବି ଅଧ୍ୟାପକ ହେବାକୁ ଇଚ୍ଛା ରଖିଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର