ଆପୋଲୋରେ ସଫଳ କିଡନି ପ୍ରତିରୋପଣ: ୨ ବ୍ୟକ୍ତିଙ୍କଠାରେ ଲାଗିଲା ୫ବର୍ଷୀୟ ମୃତ ଶିଶୁର କିଡ୍‌ନି

ଭୁବନେଶ୍ବର: କିଡ୍‌ନି ପ୍ରତିରୋପଣ କ୍ଷେତ୍ରରେ ଭୁବନେଶ୍ବର ଆପୋଲୋ ହସ୍ପିଟାଲ ଏକ ବିଶେଷ ସଫଳତା ହାସଲ କରିଛି। ପ୍ରଥମଥର ପାଇଁ ଏଠାରେ ଜଣେ ୫ ବର୍ଷୀୟ ମୃତ ଶିଶୁର କିଡ୍‌ନିକୁ ଦୁଇଜଣ ବ୍ୟକ୍ତିଙ୍କଠାରେ ପ୍ରତିରୋପଣ କରାଯାଇଛି। ସେମାନେ ହେଲେ, ପ୍ରୀତମ୍‌ ପ୍ରସାଦ ସ୍ବାଇଁ(୨୯) ଓ ଉର୍ମିଳା ପଣ୍ଡା(୫୫)। ସେମା‌ନଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି ଓ ସେମାନେ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଏ ସଂପର୍କରେ ହସ୍ପିଟାଲର ୟୁରୋଲୋଜି ଆଣ୍ଡ ଟ୍ରାନ୍ସପ୍ଲାଣ୍ଟ ସର୍ଜନ୍‌ ଡାକ୍ତର ସମୀରନ୍ ଅଧିକାରୀ କହିଛନ୍ତି, ଦୁଇଜଣଙ୍କଠାରେ ଗୋଟିଏ ଲେଖାଏଁ କିଡ୍‌ନି ପ୍ରତିରୋପଣ କରାଯାଇଛି। ୫ବର୍ଷରୁ କମ୍ ବୟସର ବାଳକ କିଡ୍‌ନିଦାତାଙ୍କ କିଡ୍‌ନିକୁ ଦୁଇଜଣ ବ୍ୟକ୍ତିଙ୍କଠାରେ ପ୍ରତିରୋପଣ କରାଯିବା ଘଟଣା ଆମ ରାଜ୍ୟ ଓ ଦେଶରେ ପ୍ରଥମ ବୋଲି ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୦୧୧ରେ ଆପୋଲୋ ହସ୍ପିଟାଲରେ ନେଫ୍ରୋଲୋଜି ବିଭାଗର ଡାକ୍ତରମାନେ ପ୍ରୀତମ୍‌ଙ୍କ କିଡ୍‌ନି ନଷ୍ଟ ହୋଇଯାଇଥିବା ଚିହ୍ନଟ କରିଥିଲେ। ମାତ୍ର ୧୯ବର୍ଷ ବୟସରେ କିଡ୍‌ନି ନଷ୍ଟ ହୋଇଯାଇଥିବାରୁ ପ୍ରୀତମଙ୍କୁ ଦିନକୁ ପାଞ୍ଚ ଘଣ୍ଟା ଲେଖାଁଏ ସପ୍ତାହକୁ ତିନିଥର ଡାଏଲିସିସ୍ କରିବାକୁ ପଡ଼ୁଥିଲା। ସେହିଭଳି ୫୫ ବର୍ଷ ବୟସ୍କା ଉର୍ମିଳା ପଣ୍ଡା ମଧ୍ୟ (ଏଣ୍ଡ ଷ୍ଟେଜ୍ ଅଫ୍ ରେନାଲ ଡିଜିଜ୍‌) ଇଏସ୍‌ଆରଡିରେ ପୀଡ଼ିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ। ମୃତ ଶିଶୁର କିଡ୍‌ନି ଆକାର ୯ ସେମିରୁ ଅଧିକ ଓ ଭଲ ଥିବାରୁ ଦୁଇଜଣ ରୋଗୀଙ୍କଠାରେ ଗୋଟିଏ ଲେଖାଏଁ କିଡ୍‌ନି ପ୍ରତିରୋପଣ କରିବାକୁ ସ୍ଥିର କରାଯାଇଥିଲା ବୋଲି ଡାକ୍ତର ଶ୍ରୀ ଅଧିକାରୀ କହିଛନ୍ତି। ଡାକ୍ତର ନିଶିଥ ମହାନ୍ତି ଓ ଡାକ୍ତର ଅଧିକାରୀ ଏହି ପ୍ରତିରୋପଣରେ ସହଯୋଗ କରିଥିବାରୁ ଡାକ୍ତର ପ୍ରତୀକ ସାହୋ, ଡାକ୍ତର ରାମକୁମାର, ଡାକ୍ତର ସୁନୀଲ, ଡାକ୍ତର ସରୋଜ, ଆନାସ୍ଥେଷ୍ଟିସ୍ ଡାକ୍ତର ସୌମିତ୍ର, ଡାକ୍ତର ଦେବବ୍ରତ ଦାଶ ଏବଂ ଡାକ୍ତର ସମର୍‌ଜିତ ବିଶୋଈଙ୍କୁ ନେଇ ଗଠିତ ଟ୍ରାନ୍ସପ୍ଲାଣ୍ଟ ଦଳକୁ ଧନ୍ୟବାଦ ଜଣାଇବା ସହିତ ସୋଟୋ ଏବଂ ଟ୍ରାନ୍ସପ୍ଲାଣ୍ଟ ସଂଯୋଜକ ଆୟୁଷ ଏବଂ ସୁବ୍ରତଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ହସ୍ପିଟାଲର ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ନିର୍ଦ୍ଦେଶକ ମେଡିକାଲ୍ ସର୍ଭିସେସ୍ ଡାକ୍ତର ଆଲୋକ ଶ୍ରୀବାସ୍ତବ ଡାକ୍ତର ଅଧିକାରୀ ଏବଂ ଡାକ୍ତର ମହାନ୍ତିଙ୍କୁ ଏହି ସଫଳ ଅସ୍ତ୍ରୋପଚାର ପାଇଁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର