କେବଳ ଓଡ଼ିଶା ନୁହେଁ, ପୂର୍ବ ଭାରତରେ ପ୍ରଥମ; କେୟାର ହସ୍ପିଟାଲରେ ୯୪ ବର୍ଷୀୟ ବ୍ୟକ୍ତିଙ୍କ ସଫଳ ଆଣ୍ଠୁ ପ୍ରତିରୋପଣ

ଭୁବନେଶ୍ୱର: ଚିକିତ୍ସା କ୍ଷେତ୍ରରେ ପୁଣି ଏକ ମାଇଲଷ୍ଟୋନ୍ ଅତିକ୍ରମ କରିଛି  ଭୁବନେଶ୍ୱରର କେୟାର ହସ୍ପିଟାଲ । ଗତ ୧୩ ତାରିଖରେ କେୟାର ହସ୍ପିଟାଲ ଭୁବନେଶ୍ୱର ଠାରେ ଜଣେ ୯୪ ବର୍ଷୀୟ ବୃଦ୍ଧଙ୍କର ସଫଳତାର ସହିତ ଆଣ୍ଠୁ ପ୍ରତିରୋପଣ କରାଯାଇଛି । ୯୪ ବର୍ଷରେ ଆଣ୍ଠୁ ପ୍ରତିରୋପଣ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ବିରଳ ଘଟଣା।  ଏହା କେବଳ ଓଡ଼ିଶା ନୁହେଁ। ପୂର୍ବ ଭାରତରେ ପ୍ରଥମ ବୋଲି ହସ୍ପିଟାଲ ପକ୍ଷରୁ ଦାବି କରାଯାଇଛି ।

ଅତ୍ୟାଧୁନିକ ପଦ୍ଧତିରେ ଏହି ଅପରେସନ୍ କରିଛନ୍ତି କେୟାର ହସ୍ପିଟାଲର ଅଭିଜ୍ଞ ଅସ୍ଥିଶଲ୍ୟ ବିଶେଷଜ୍ଞ ପ୍ରଫେସର ଡାକ୍ତର ବସନ୍ତ ବେହେରା । ୯୪ ବର୍ଷିୟ ଈଶ୍ୱର ଚନ୍ଦ୍ର ମହାନ୍ତି ଦୀର୍ଘ ଦିନ ଧରି ଅଷ୍ଠିଓଆର୍ଥ୍ରାଇଟିସ୍ ରୋଗରେ ଆକ୍ରାନ୍ତ ଥିବାରୁ ତାଙ୍କର ଆଣ୍ଠୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା, ଫଳରେ ସେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବା ସହିତ ଠିକ୍ ଭାବରେ ଚଲାବୁଲା ମଧ୍ୟ କରିପାରୁନଥିଲେ । ଏହି ଅପରେସନ୍ ସମ୍ପର୍କରେ ପ୍ରଫେସର ଡାକ୍ତର ବସନ୍ତ ବେହେରା କହିଛନ୍ତି, ସମୟ ସହିତ ଉନ୍ନତ ହୋଇଛି ଚିକିତ୍ସା ବିଜ୍ଞାନ। ଆଜିକାଲି ଅତ୍ୟାଧୁନିକ ପଦ୍ଧତିରେ ଅନେକ ବୟସ୍କ ବ୍ୟକ୍ତିଙ୍କ ଆଣ୍ଠୁ ଅପରେସନ୍ କରାଯାଇ ପାରୁଛି । କେୟାର ହସ୍ପିଟାଲର ନିଶ୍ଚେତକ ବିଭାଗର ମୁଖ୍ୟ ଡାକ୍ତର ରିତେଶ ରାୟ ଓ ତାଙ୍କ ଟିମ ସହାୟତାରେ ଏହି ବିରଳ ଅପରେସନ୍ ସଫଳ ହୋଇଛି ।

ଅପରେସନ୍ ସରିବାର ୨୪ ଘଣ୍ଟା ମଧ୍ୟରେ ୯୪ ବର୍ଷିୟ ଈଶ୍ୱର ମହାନ୍ତି ଚଲାବୁଲା କରିବା ସହିତ ମାତ୍ର ୩ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସେ ପୂର୍ବ ଭଳି ଏକ ଯନ୍ତ୍ରଣା ମୁକ୍ତ ଜୀବନ ଅତିବାହିତ କରୁଛନ୍ତି । ସାଧାରଣତଃ ଅଧିକ ବୟସ୍କ ଲୋକଙ୍କ ଆଣ୍ଠୁ ଅପରେସନର ସଫଳତାକୁ ନେଇ ମନରେ ଅନେକ ସନ୍ଦେହ ରହିଛି, ହେଲେ କେୟାର ହସ୍ପିଟାଲରେ ଆଣ୍ଠୁଗଣ୍ଠି ପ୍ରତିରୋପଣ ପାଇଁ ସମସ୍ତ ପ୍ରକାର ସୁବିଧା ରହିଛି । ଏଠାରେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଅତ୍ୟାଧୁନିକ ପଦ୍ଧତିରେ ସୁଲଭ ମୂଲ୍ୟରେ ସମସ୍ତ ଚିକିତ୍ସା ଓଡ଼ିଶାବାସୀଙ୍କୁ ଯୋଗାଇ ଦିଆଯାଉଛି ବୋଲି କେୟାର ହସ୍ପିଟାଲ୍‌ ଏଚସିଓ କିସଲେ ଆନନ୍ଦ କହିଛନ୍ତି ।

ସମ୍ବନ୍ଧିତ ଖବର