ସନ୍‌ସାଇନ୍‌ ହସ୍ପିଟାଲରେ ସଫଳ ରୋବୋଟିକ୍‌ ଆଣ୍ଠୁ ଅସ୍ତ୍ରୋପଚାର

ଭୁବନେଶ୍ବର: ଲକ୍ଷ୍ମୀସାଗରସ୍ଥିତ ସନ୍‌ସାଇନ୍‌ ହସ୍ପିଟାଲରେ ସଫଳ ରୋବୋଟିକ୍‌ ଆଣ୍ଠୁ ଅସ୍ତ୍ରୋପଚାର ହୋଇଛି। ବାଲେଶ୍ୱର ଜିଲ୍ଲାର ଶାନ୍ତିଲତା ଦାସ(୫୨) ଗତ ୧୫ ବର୍ଷ ଧରି ଜଟିଳ ଆଣ୍ଠୁ ଯନ୍ତ୍ରଣାରେ ପୀଡ଼ିତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ଦୀର୍ଘ ଦିନ ଔଷଧ ଖାଇବା ପରେ ମଧ୍ୟ ତାଙ୍କର ଆଣ୍ଠୁ ଯନ୍ତ୍ରଣା କମୁ ନଥିଲା। ଗତ ୨୯ ତାରିଖ‌ରେ ସେ ସନ୍‌ସାଇନ୍‌ ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗର ଡାକ୍ତର ଚନ୍ଦନ ପଣ୍ଡାଙ୍କୁ ସାକ୍ଷାତ କରିଥିଲେ। ଏହାପରେ ତାଙ୍କ ଆଣ୍ଠୁରେ ରୋବୋଟିକ୍‌ ଅସ୍ତ୍ରୋପଚାର କରାଯାଇଥିଲା। ହସ୍ପିଟାଲର ନିଶ୍ଚେତକ ବିଭାଗୀୟ ମୁଖ୍ୟ ବିରଞ୍ଚି ନାରାୟଣ ପ୍ରତିହାରୀଙ୍କ ଦ୍ୱାରା ନିଶ୍ଚେତକ ଇଞ୍ଜେକସନ୍‌ ଦେବାର କିଛି କ୍ଷଣ ପରେ ଏହି ବିରଳ ରୋବୋଟିକ୍‌ ଅସ୍ତ୍ରୋପଚାର ଡା. ପଣ୍ଡା ଏବଂ ତାଙ୍କ ଅଭିଜ୍ଞ ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଥିଲା।

ଆଜି ହସ୍ପିଟାଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଡା. ପଣ୍ଡା କହିଥିଲେ, ରୋବୋଟିକ୍‌ ରିସର୍ଚ୍ଚ ହେଉଛି ବର୍ତ୍ତମାନ ସମୟରେ ସର୍ବୋତ୍କୃଷ୍ଟ ଏବଂ ଆତ୍ୟାଧୁନିକ ପ୍ରତ୍ୟାରୋପଣ ପଦ୍ଧତି। ଏହି ଅସ୍ତ୍ରୋପଚାର ପରେ ରୋଗୀ ତୁରନ୍ତ ଉପଶମ ପାଇଥାଏ। ଦିନେ ଦୁଇ ଦିନ ମଧ୍ୟରେ ବିନା ସାହାଯ୍ୟରେ ଚାଲିବାକୁ ସକ୍ଷମ ହୋଇଥାଏ। ସେହିପରେ ବିନା ରକ୍ତସ୍ରାବ, ବିନା ଯନ୍ତ୍ରଣାରେ ଆଣ୍ଠୁ ଭାଙ୍ଗିବା ଓ ତୁରନ୍ତ ଉପଶମ ଏହାର ଅନ୍ୟତମ ବିଶେଷତ୍ୱ। ଏହି ଅସ୍ତ୍ରୋପଚାର ଖର୍ଚ୍ଚ ପ୍ରାୟ ଦେଢ଼ରୁ ଦୁଇଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ଅସ୍ତ୍ରୋପଚାର ତଥା ଅନ୍ୟାନ୍ୟ ଚିକିତ୍ସା ବିନା ମୂଲ୍ୟରେ ଉପଲବ୍ଧ କରାଯାଉଛି ବୋଲି ସୂଚନା ଦିଆଯାଇଛି।
ଡାକ୍ତର ପୟୋଦ ଜେନା, ଡାକ୍ତର ପ୍ରଦୀପ ନାରାୟଣ ସାହୁ, ଡାକ୍ତର ଅୟସକାନ୍ତ ମହାନ୍ତି, ଡାକ୍ତର ପଣ୍ଡା ଏବଂ ତାଙ୍କ ଟିମ୍ ଦ୍ୱାରା କରାଯାଉଥିବା ଏହି ବିରଳ ଅସ୍ତ୍ରୋପଚାରକୁ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ପ୍ରଫୁଲ୍ଲ ସାହୁ ଭୂୟସୀ ପ୍ରଶଂସା କରିଥିଲେ। ଅନୁଷ୍ଠାନର ସିଇଓ ଭିନିତ ସାଇନ୍ ରୋବଟିକ୍‌ ସର୍ଜରି ଆସନ୍ତା ପିଢ଼ି ପାଇଁ ଏକ ବିଶେଷ ସ୍ଥାନ ନେବାରେ ସହାୟ ହେବ ବୋଲି କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର